Skip to content

ପ୍ରେରିତ 17

17
ଥେସଲନୀକୀ ରେ ସୁସମାଚାର ପ୍ରଚାର
1ସେମାନେ ଆମ୍ଫିପଲିସ ଓ ଆପଲନିଆ ମଧ୍ୟଦେଇ, ଥେସଲନୀକୀ କୁ ଗଲେ, ସେଠାରେ ଗୋଟିଏ ଯିହୁଦୀ ଉପାସନାଗୃହ ଥିଲା। 2ପାଉଲ ଆପଣା ରୀତି ଅନୁସାରେ ଉପାସନାଗୃହକୁ ଗଲେ, ଏବଂ ତିନି ଶାବତବାର ଧରି ଧର୍ମଶାସ୍ତ୍ରରୁ ସେମାନଙ୍କ ସହିତ ଯୁକ୍ତି କଲେ, 3ପୁଣି ଖ୍ରୀଷ୍ଟ ଦୁଃଖଭୋଗ କରି ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବା ଆବଶ୍ୟକ ଥିଲା ବୋଲି ବ୍ୟାଖ୍ୟା କରି ପ୍ରମାଣ କଲେ। ସେ କହିଲେ, “ଯେଉଁ ଯୀଶୁଙ୍କ କଥା ମୁଁ ତୁମମାନଙ୍କ ନିକଟରେ ପ୍ରଚାର କରୁଛି, ସେ ଖ୍ରୀଷ୍ଟ ଅଟନ୍ତି।” 4ଯିହୁଦୀମାନଙ୍କ ମଧ୍ୟରୁ କେତେକେ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ, ଏବଂ ବହୁସଂଖ୍ୟକ ଈଶ୍ୱରପରାୟଣ ଗ୍ରୀକ ଓ ଅନେକ ଖ୍ୟାତିସମ୍ପନ୍ନା ମହିଳା ମଧ୍ୟ ଯୋଗ ଦେଲେ।
5କିନ୍ତୁ ଯିହୁଦୀମାନେ ଈର୍ଷାନ୍ୱିତ ହେଲେ; ତେଣୁ ସେମାନେ ହାଟବଜାରରୁ କେତେକ ଦୃଷ୍ଟପ୍ରକୃତିକ ଲୋକଙ୍କୁ ଏକଜୁଟ କରି, ନଗରରେ ଦଙ୍ଗା ସୃଷ୍ଟି କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଖୋଜି ବାହାର କରି ଜନତା ସମ୍ମୁଖକୁ ଆଣିବା ପାଇଁ ଯାସୋନଙ୍କ ଘର ଉପରେ ଚଢ଼ାଉ କଲେ। 6କିନ୍ତୁ ସେମାନଙ୍କୁ ନ ପାଇବାରୁ, ସେମାନେ ଯାସୋନ ଓ ଅନ୍ୟ କେତେକ ଭାଇମାନଙ୍କୁ ନଗରର କର୍ମକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ, ଏବଂ ଚିତ୍କାର କରି କହିଲେ: “ଏହି ଯେଉଁ ଲୋକମାନେ ଦୁନିଆଟାକୁ ଓଲଟପାଲଟ କରି ଦେଲେଣି ସେମାନେ ଏବେ ଏଠାକୁ ଆସିଛନ୍ତି, 7ଆଉ ଯାସୋନ ସେମାନଙ୍କୁ ନିଜ ଘରେ ଆଶ୍ରୟ ଦେଇଛି। ସେମାନେ ସିଜାରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରି, ଯୀଶୁ ନାମରେ ଆଉ ଜଣେ ରାଜା, ଅଛନ୍ତି ବୋଲି କହୁଛନ୍ତି।” 8ଏ କଥା ଶୁଣି ଜନତା ଓ ନଗରର କର୍ମକର୍ତ୍ତାମାନେ ଉଦ୍‌ବିଗ୍ନ ହୋଇ ଉଠିଲେ। 9ତତ୍ପରେ ଯାସୋନ ଓ ଅନ୍ୟମାନଙ୍କଠାରୁ ଜାମିନ ଟଙ୍କା ନେଇ ଛାଡ଼ିଦେଲେ।
ବେରିଆରେ ସୁସମାଚାର ପ୍ରଚାର
10ରାତ୍ରି ହେବାମାତ୍ରେ, ଭାଇମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇଦେଲେ। ସେଠାରେ ପହଞ୍ଚି ସେମାନେ, ଯିହୁଦୀ ଉପାସନାଗୃହକୁ ଗଲେ। 11ଥେସଲନୀକୀ ର ଲୋକମାନଙ୍କଠାରୁ ବେରିଆର ଯିହୁଦୀ ଲୋକମାନେ ଅଧିକ ଉଦାର ଥିଲେ, କାରଣ ଏମାନେ ମହା ଆଗ୍ରହରେ ବାର୍ତ୍ତା ଗ୍ରହଣ କଲେ ଏବଂ ପାଉଲ କହୁଥିବା କଥା ସତ୍ୟ କି ନୁହେଁ ତାହା ଦେଖିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅନୁଧ୍ୟାନ କଲେ। 12ସେମାନଙ୍କ ମଧ୍ୟରୁ, କେତେକ ଯିହୁଦୀ, ତଥା ବହୁସଂଖ୍ୟକ ଖ୍ୟାତିସମ୍ପନ୍ନା ଗ୍ରୀକ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ।
13ପାଉଲ ବେରିଆରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି ବୋଲି, ଥେସଲନୀକୀ ର ଯିହୁଦୀମାନେ ଯେତେବେଳେ ଶୁଣିଲେ, ସେମାନେ ସେଠାକୁ ମଧ୍ୟ ଯାଇ ଲୋକଙ୍କୁ ମତାଇ ଉତ୍ତେଜନା ସୃଷ୍ଟି କଲେ। 14ଭାଇମାନେ ଅବିଳମ୍ୱେ ପାଉଲଙ୍କୁ ସମୁଦ୍ର ଉପକୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ବେରିଆରେ ରହିଲେ। 15ଯେଉଁମାନେ ପାଉଲଙ୍କ ସଙ୍ଗରେ ଗଲେ ସେମାନେ ତାଙ୍କୁ ଏଥେନ୍‌ସ ପର୍ଯ୍ୟନ୍ତ ନେଇଗଲେ ଶୀଲା ଓ ତୀମଥି ଯଥାଶୀଘ୍ର ପାଉଲଙ୍କ ସହିତ ଯୋଗ ଦେବା ବିଷୟରେ ନିର୍ଦ୍ଦେଶ ନେଇ ସେମାନେ ପ୍ରସ୍ଥାନ କଲେ।
ଏଥେନ୍‌ସରେ ସୁସମାଚାର ପ୍ରଚାର
16ଏଥେନ୍‌ସରେ ପାଉଲ ସେମାନଙ୍କୁ ଅପେକ୍ଷା କରୁଥିବା ବେଳେ, ସେହି ନଗରକୁ ଦେବପ୍ରତିମାରେ ପୂର୍ଣ୍ଣ ଦେଖି ଅତ୍ୟନ୍ତ ମର୍ମାହତ ହେଲେ। 17ତେଣୁ ସେ ଉପାସନାଗୃହରେ ଯିହୁଦୀ ତଥା ଈଶ୍ୱରପରାୟଣ ଗ୍ରୀକ୍‌ମାନଙ୍କ ସହିତ ଏବଂ ପ୍ରତିଦିନ ବଜାର ଛକସ୍ଥାନରେ ଯେଉଁମାନଙ୍କ ସଙ୍ଗେ ସାକ୍ଷାତ ହେଉଥିଲା, ସେମାନଙ୍କ ସହିତ ଯୁକ୍ତି କଲେ। 18ଦଳେ ଏପିକ୍ୟୁରିଆନ୍ ଓ ସ୍ତୋୟିକ୍ ଦାର୍ଶନିକ ତାଙ୍କ ସଙ୍ଗେ ବାଦାନୁବାଦ କଲେ। ସେମାନଙ୍କ ମଧ୍ୟରୁ କେତେକ ପଚାରିଲେ, “ଏ ବାଚାଳ କଅଣ କହିବାକୁ ଚେଷ୍ଟା କରୁଛି?” ଅନ୍ୟମାନେ ମନ୍ତବ୍ୟ ଦେଇ କହିଲେ, “ମନେ ହେଉଛି ସେ ବିଦେଶୀୟ ଦେବତାମାନଙ୍କର ଜଣେ ପ୍ରଚାରକ।” ପାଉଲ ଯୀଶୁଙ୍କର ଓ ପୁନରୁତ୍ଥାନର ଶୁଭବାର୍ତ୍ତା ପ୍ରଚାର କରୁଥିବାରୁ ସେମାନେ ସେପରି କହିଲେ। 19ଏଉତ୍ତାରେ ସେମାନେ ତାଙ୍କୁ ଏରିୟପାଗସ୍‌ର ଏକ ସଭାକୁ ନେଇଯାଇ କହିଲେ, “ତୁମେ ଏହି ଯେଉଁ ନୂତନ ଶିକ୍ଷା ପ୍ରଚାର କରୁଛ, ତାହା କଅଣ ଆମେ ଜାଣିପାରୁ କି? 20ତୁମେ ବ୍ୟକ୍ତ କରିଥିବା କେତେକ ବିଚିତ୍ର ମତବାଦ ଆମ କାନକୁ ଆସିଛି, ଏବଂ ସେହିସବୁ କଅଣ ଆମେ ଜାଣିବାକୁ ଇଚ୍ଛା କରୁଛୁ।” 21ଏଥେନ୍‌ସବାସୀ ସମସ୍ତେ ଓ ସେଠାରେ ବାସ କରୁଥିବା ବିଦେଶୀମାନେ ନୂଆ ନୂଆ ମତବାଦ କହିବା ଓ ଶୁଣିବା ଛଡ଼ା ଆଉ କେଉଁଥିରେ ସମୟ କାଟୁ ନ ଥିଲେ।
22ତତ୍ପରେ ପାଉଲ ଏରିୟପାଗସ୍‌ର ସଭାରେ ଉଠି ଠିଆ ହେଲେ ଏବଂ କହିଲେ: “ହେ ଏଥେନ୍‌ସବାସୀ! ମୁଁ ଦେଖୁଛି ଆପଣମାନେ ସବୁ ବିଷୟରେ ଅତ୍ୟନ୍ତ ଧର୍ମନିଷ୍ଠ। 23କାରଣ ମୁଁ ଭ୍ରମଣ କରୁଥିବା ବେଳେ ଓ ଆପଣମାନଙ୍କ ପୂଜିତ ବସ୍ତୁସକଳ ଦେଖୁଥିଲା ବେଳେ ଏପରି ଗୋଟିଏ ପୂଜାବେଦି ମଧ୍ୟ ଦେଖିଲି, ଯାହା ଉପରେ ଲେଖାଅଛି:
ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।
ଅତଏବ ଆପଣମାନେ ନ ଜାଣି ଯାହାଙ୍କର ଆରାଧନା କରୁଛନ୍ତି ତାହାଙ୍କ ବିଷୟ ମୁଁ ଆପଣମାନଙ୍କ ନିକଟରେ ଘୋଷଣା କରିବାକୁ ଯାଉଛି।
24“ଯେଉଁ ଈଶ୍ୱର ଜଗତ ଓ ତହିଁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କଲେ ସେ ସ୍ଵର୍ଗ ଓ ମର୍ତ୍ତ୍ୟର ପ୍ରଭୁ ଅଟନ୍ତି ଏବଂ ହସ୍ତନିର୍ମିତ ମନ୍ଦିରମାନଙ୍କରେ ବାସ କରନ୍ତି ନାହିଁ। 25ଆହୁରି ମଧ୍ୟ ତାଙ୍କର କୌଣସି ଅଭାବ ନ ଥିବାରୁ, ସେ ମନୁଷ୍ୟ ହସ୍ତ ଦ୍ଵାରା ସେବିତ ହୁଅନ୍ତି ନାହିଁ। କାରଣ, ସେ ତ ନିଜେ ସବୁ ମନୁଷ୍ୟଙ୍କୁ ଜୀବନ ଓ ଶ୍ୱାସ ବାୟୁ ଏବଂ ଅନ୍ୟ ସମସ୍ତ ବିଷୟ ଦିଅନ୍ତି। 26ଜଣେ ମନୁଷ୍ୟଠାରୁ ସେସବୁ ମାନବ ଜାତି ସୃଷ୍ଟି କଲେ, ଯେପରିକି ସେମାନେ ସମଗ୍ର ପୃଥିବୀ ପୃଷ୍ଠରେ ବାସ କରିବେ; ପୁଣି ସେ ସେମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ଓ ବାସସ୍ଥାନର ସୀମା ସ୍ଥିର କଲେ। 27ଯଦିବା ସେ ଆମ କାହାରିଠାରୁ ଦୂରରେ ନାହାନ୍ତି ତଥାପି ମନୁଷ୍ୟମାନେ ଯେପରି ତାହାଙ୍କର ଅନ୍ୱେଷଣ କରିବେ ଓ ତାହାଙ୍କୁ ଖୋଜୁ ଖୋଜୁ ତାହାଙ୍କର ସନ୍ଧାନ ପାଇବେ, ଏଥିପାଇଁ ଈଶ୍ୱର ଏହା କଲେ। 28‘କାରଣ ତାହାଙ୍କଠାରେ ଆମର ସତ୍ତା, ଗତି ଓ ସ୍ଥିତି।’ ଆପଣମାନଙ୍କର କବିମାନଙ୍କ ମଧ୍ୟରୁ କେତେକ ଏହିପରି କହିଛନ୍ତି, ‘ଆମେ ତାହାଙ୍କର ସନ୍ତାନ।’
29“ସୁତରାଂ ଆମେ ଈଶ୍ୱରଙ୍କ ସନ୍ତାନ ହୋଇଥିବାରୁ, ମନୁଷ୍ୟର କଳାକୌଶଳରେ ନିର୍ମିତ ସୁନା ରୂପା ଓ ପ୍ରସ୍ତରର ପ୍ରତିମା ଯେ ଈଶ୍ୱରଙ୍କ ସ୍ଵରୂପ ଏହା ଭାବିବା ଆମର ଉଚିତ ନୁହେଁ। 30ଅତୀତରେ ଈଶ୍ୱର ଏପ୍ରକାର ଅଜ୍ଞାନତାକୁ ଉପେକ୍ଷା କରିଛନ୍ତି, କିନ୍ତୁ ଏବେ ସେ ସର୍ବତ୍ର ସବୁ ଲୋକଙ୍କୁ ଅନୁତାପ କରିବାକୁ ଆଜ୍ଞା ଦେଉଛନ୍ତି। 31କାରଣ ସେ ଗୋଟିଏ ଦିନ ସ୍ଥିର କରିଛନ୍ତି ଯେଉଁ ସମୟରେ ସେ ତାଙ୍କର ନିରୂପିତ ବ୍ୟକ୍ତିଙ୍କ ଦ୍ଵାରା ନ୍ୟାୟରେ ଜଗତର ବିଚାର କରିବେ। ସେ ତାହାଙ୍କୁ ମୃତଲୋକଙ୍କ ମଧ୍ୟରୁ ଉତ୍ଥିତ କରି ସବୁ ଲୋକଙ୍କ ନିକଟରେ ଏହାର ପ୍ରମାଣ ଦେଇଛନ୍ତି।”
32ସେମାନେ ଯେତେବେଳେ ମୃତଲୋକଙ୍କର ପୁନରୁତ୍ଥାନ କଥା ଶୁଣିଲେ, କେହି କେହି ଉପହାସ କଲେ, କିନ୍ତୁ ଅନ୍ୟମାନେ କହିଲେ, “ଆମେ ତୁମ ପାଖରୁ ପୁନର୍ବାର ଏ ବିଷୟ ଶୁଣିବାକୁ ଇଚ୍ଛା କରୁ।” 33ତେଣୁ ପାଉଲ ସଭାସ୍ଥଳରୁ ଚାଲିଗଲେ। 34ଅଳ୍ପ କେତେକ ଲୋକ ପାଉଲଙ୍କର ଅନୁଗାମୀ ହେଲେ ଏବଂ ବିଶ୍ୱାସ କଲେ। ସେମାନଙ୍କ ମଧ୍ୟରେ ଥିଲେ ଏରିୟପାଗସ୍, ସଭାର ସଦସ୍ୟ ଡାୟନିସିଅସ୍, ଆହୁରି ମଧ୍ୟ ଦାମାରୀସ୍ ନାମ୍ନୀ ଜଣେ ମହିଳା, ଓ ଅନ୍ୟ କେତେଜଣ।