Skip to content

ପ୍ରେରିତ 16

16
ପାଉଲଙ୍କ ଦ୍ୱିତୀୟ ପ୍ରଚାର ଯାତ୍ରା
ପାଉଲ ଓ ଶୀଲାଙ୍କ ସହିତ ତୀମଥିଙ୍କ ଯୋଗଦାନ
1ସେ ଦର୍ବୀକୁ ଓ ତା ପରେ ଲୀସ୍ତ୍ରାକୁ ଗଲେ, ସେଠାରେ ତୀମଥି ନାମକଜଣେ ଶିଷ୍ୟ ବାସ କରୁଥିଲେ, ଏହାଙ୍କର ମାତା ଯିହୁଦୀ ଓ ଜଣେ ବିଶ୍ୱାସିନୀ ଥିଲେ କିନ୍ତୁ ପିତା ଗ୍ରୀକ ଲୋକ ଥିଲେ। 2ଲୀସ୍ତ୍ରା ଓ ଇକନିୟମର ଭାଇମାନଙ୍କ ନିକଟରେ ତାଙ୍କର ସୁନାମ ଥିଲା। 3ପାଉଲ ତାଙ୍କୁ ସଙ୍ଗରେ ନେବାକୁ ଇଚ୍ଛା କଲେ, ତେଣୁ ସେହି ଅଞ୍ଚଳରେ ବାସ କରୁଥିବା ଯିହୁଦୀମାନଙ୍କ ସକାଶେ ସେ ତୀମଥିଙ୍କୁ ସୁନ୍ନତ କଲେ, କାରଣ ତାଙ୍କର ପିତା ଜଣେ ଗ୍ରୀକ ଲୋକ ବୋଲି ସେମାନେ ସମସ୍ତେ ଜାଣିଥିଲେ। 4ସେମାନେ ବିଭିନ୍ନ ସହରକୁ ଯାତ୍ରା କଲାବେଳେ ଯିରୂଶାଲମର ପ୍ରେରିତଶିଷ୍ୟ ଓ ମଣ୍ଡଳୀର ମୁଖ୍ୟମାନେ ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ତାହା ଲୋକମାନଙ୍କୁ ଜଣାଇ ପାଳନ କରିବାକୁ କହୁଥିଲେ। 5ଅତଏବ ମଣ୍ଡଳୀଗୁଡ଼ିକ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ପ୍ରତିଦିନ ସଂଖ୍ୟାରେ ବୃଦ୍ଧି ପାଇଲେ।
ମାସିଦୋନିଆ ଯିବାକୁ ଦିବ୍ୟଦର୍ଶନ
6ଏସିଆ ପ୍ରଦେଶରେ ବାକ୍ୟ ପ୍ରଚାର କରିବାକୁ ପବିତ୍ରଆତ୍ମା ନିଷେଧ କରିବାରୁ, ପାଉଲ ଓ ତାଙ୍କର ସଙ୍ଗୀମାନେ ସମଗ୍ର ଫ୍ରିଜିଆ ଓ ଗାଲାତିଆ ଅଞ୍ଚଳ ଦେଇ ଯାତ୍ରା କଲେ। 7ସେମାନେ ମିସିଆର ସୀମାକୁ ଆସି, ବିଥିନିଆରେ ପ୍ରବେଶ କରିବାକୁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ। 8ତେଣୁ ସେମାନେ ମିସିଆ ଦେଇ ତ୍ରୋୟାସ କୁ ଚାଲିଗଲେ। 9ରାତ୍ରିକାଳରେ ପାଉଲ ଗୋଟିଏ ଦିବ୍ୟଦର୍ଶନ ପାଇଲେ ଯେ ମାସିଦୋନିଆର ଜଣେ ଲୋକ ବିନତି କରି କହୁଅଛି, “ମାସିଦୋନିଆକୁ ଆସି ଆମକୁ ସାହାଯ୍ୟ କର।” 10ପାଉଲ ଏହି ଦିବ୍ୟଦର୍ଶନ ପାଇଲା ପରେ, ଆମେ ମାସିଦୋନିଆକୁ ଯିବା ପାଇଁ ପ୍ରସ୍ତୁତ ହେଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମକୁ ଆହ୍ଵାନ କରୁଛନ୍ତି ବୋଲି ନିଶ୍ଚିତ ରୂପେ ବୁଝିଲୁ।
ଫିଲିପ୍‌ପୀରେ ଲୁଦିଆ ବିଶ୍ୱାସିନୀ ହେଲେ
11ଆମେ ତ୍ରୋୟାସ ରୁ ଜଳଯାତ୍ରା କରି ସିଧା ସାମଥ୍ରେସ୍ ଆଡ଼କୁ, ଓ ପରଦିନ ନିଆପଲିସକୁ ଗଲୁ। 12ସେଠାରୁ ଆମେ ଫିଲିପ୍‌ପୀକୁ ଗଲୁ, ଏହା ମାସିଦୋନିଆ ଅଞ୍ଚଳର ପ୍ରଧାନ ନଗର ଓ ଏକ ରୋମୀୟ ଉପନିବେଶ ଥିଲା। ସେଠାରେ ଆମେ କିଛିଦିନ ରହିଲୁ।
13ଶାବତବାରରେ ଆମେ ନଗରଦ୍ଵାର ବାହାରେ ନଦୀ କୂଳକୁ ଗଲୁ, ସେଠାରେ ଗୋଟିଏ ପ୍ରାର୍ଥନାସ୍ଥାନ ଥିବ ବୋଲି ଆମର ଆଶା ଥିଲା। ଆମେ ବସି ସେଠାରେ ସବବେତ ହୋଇଥିବା ମହିଳାମାନଙ୍କୁ କଥା କହିଲୁ। 14ଯେଉଁମାନେ ଶୁଣୁଥିଲେ, ସେମାନଙ୍କ ମଧ୍ୟରେ ଲୁଦିଆ ନାମ୍ନୀ ଜଣେ ମହିଳା ଥିଲେ ସେ ଥୁୟାତିରା ନଗରବାସିନୀ ଓ ବାଇଗଣି ରଙ୍ଗର ବସ୍ତ୍ରର ବ୍ୟବସାୟ କରୁଥିଲେ। ସେ ଈଶ୍ୱରପରାୟଣା ଥିଲେ। ପାଉଲଙ୍କ ବାର୍ତ୍ତାରେ ମନୋଯୋଗ କରିବାକୁ ପ୍ରଭୁ ତାଙ୍କ ହୃଦୟ ଉନ୍ମୁକ୍ତ କଲେ। 15ସେ ସପରିବାର ଡୁବନ ନେବା ପରେ, ତାଙ୍କ ଘରକୁ ଆମକୁ ନିମନ୍ତ୍ରଣ କରି କହିଲେ। “ମୁଁ ପ୍ରଭୁଙ୍କର ଜଣେ ବିଶ୍ୱାସିନୀ ବୋଲି ଆପଣମାନେ ଯଦି ମନେ କରନ୍ତି, ତେବେ ଆସି ମୋ ଘରେ ରହନ୍ତୁ।” ପୁଣି ସେ ଆମମାନଙ୍କୁ ମଣାଇ ରାଜି କରାଇଲେ।
କାରାଗାରରେ ପାଉଲ ଓ ଶୀଲା
16ଥରେ ଆମେ ପ୍ରାର୍ଥନା ସ୍ଥାନକୁ ଯିବା ବାଟରେ ଜଣେ କ୍ରୀତଦାସୀକୁ ଭେଟିଲୁ ତା ଠାରେ ଏପରି ଏକ ଆତ୍ମା ଥିଲା, ଯାହା ଦ୍ଵାରା ସେ ଭାଗ୍ୟଫଳ ଗଣନା କରି ପାରୁଥିଲା। ସେ ଭାଗ୍ୟ ଗଣନା କରି ତାହାର ମାଲିକମାନଙ୍କ ପାଇଁ ବହୁତ ଅର୍ଥ ଉପାର୍ଜନ କରୁଥିଲା। 17ଏହି ବାଳିକା ପାଉଲ ତଥା ଆମର ପଛେ ପଛେ ଆସି, ଚିତ୍କାର କରି କହୁଥିଲା, “ଏହି ବ୍ୟକ୍ତିମାନେ ସର୍ବୋପରିସ୍ଥ ଈଶ୍ୱରଙ୍କ ସେବକ, ଏମାନେ ଆପଣମାନଙ୍କୁ ପରିତ୍ରାଣର ମାର୍ଗ ଜଣାଉଛନ୍ତି।” 18ଅନେକ ଦିନ ଧରି ସେ ଏହିପ୍ରକାର କଲା। ଅବଶେଷରେ ପାଉଲ ଏତେ ବିରକ୍ତ ହେଲେ ଯେ ସେ ବୁଲିପଡ଼ି ସେହି ଆତ୍ମାକୁ କହିଲେ, “ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆଦେଶ ଦେଉଛି ଏହାଠାରୁ ବାହାରି ଯା!” ସେହି ମୁହୂର୍ତ୍ତରେ ସେହି ଆତ୍ମା ତାକୁ ଛାଡ଼ି ଚାଲିଗଲା।
19କ୍ରୀତଦାସୀର ମାଲିକମାନେ ଅର୍ଥଲାଭର ଆଶା ଲୋପ ପାଇବାର ଜାଣି, ପାଉଲ ଓ ଶୀଲାଙ୍କୁ ଧରିଲେ ଓ ବଜାର ଛକରେ କର୍ତ୍ତୁପକ୍ଷଙ୍କ ସମ୍ମୁଖକୁ ଟାଣି ନେଇଗଲେ। 20ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ସମ୍ମୁଖକୁ ଆଣି କହିଲେ, “ଏହି ଲୋକମାନେ ଯିହୁଦୀ, ପୁଣି ଆମ ନଗରରେ ମହା ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି 21ଆମେ ରୋମୀୟମାନେ ଯେଉଁସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ ସେହିସବୁ ପ୍ରଚାର କରୁଛନ୍ତି।”
22ତହୁଁ ଲୋକସମୂହ ମଧ୍ୟ ପାଉଲ ଓ ଶୀଲାଙ୍କ ବିରୁଦ୍ଧରେ ଉଠିଲେ, ସେମାନଙ୍କର ବସ୍ତ୍ର କାଢ଼ି ବେତ୍ରାଘାତ କରିବାକୁ ବିଚାରକର୍ତ୍ତାମାନେ ଆଦେଶ ଦେଲେ। 23ବହୁତ ପ୍ରହାର କଲାପରେ, ସେମାନଙ୍କୁ କାରାଗାରରେ ନିକ୍ଷେପ କରାଗଲା, ଏବଂ ଖୁବ୍ ସାବଧାନରେ ସେମାନଙ୍କୁ ଜଗିବା ପାଇଁ କାରାରକ୍ଷକଙ୍କୁ ଆଦେଶ ଦିଆଗଲା। 24ଏହିପ୍ରକାର ଆଦେଶ ପାଇ, ସେ ସେମାନଙ୍କୁ ଏକ ଭିତର କାରାକକ୍ଷରେ ରଖି ପାଦରେ ହରିକାଠ ଲଗାଇଦେଲେ।
25ପ୍ରାୟ ମଧ୍ୟରାତ୍ରି ବେଳକୁ ପାଉଲ ଓ ଶୀଲା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଏବଂ ଅନ୍ୟ ବନ୍ଦୀମାନେ ଶୁଣୁଥିଲେ। 26ହଠାତ୍ ଏପରି ଭୟଙ୍କର ଭୂମିକମ୍ପ ହେଲା ଯେ, ବନ୍ଦୀଶାଳା ର ମୂଳଦୁଆ ଦୋହଲି ଉଠିଲା। ସଙ୍ଗେସଙ୍ଗେ କାରାଗାରର ଦ୍ଵାରସବୁ ଖୋଲିଗଲା, ଏବଂ ସମସ୍ତଙ୍କର ଶିକୁଳିବନ୍ଧନ ଖସିଗଲା। 27କାରାରକ୍ଷକ ନିଦରୁ ଉଠି, ଯେତେବେଳେ କାରାଦ୍ଵାରସବୁ ଖୋଲା ଦେଖିଲେ, ବନ୍ଦୀମାନେ ପଳାଇଥିବେ ଭାବି ସେ ନିଜର ଖଡ଼୍‌ଗ ବାହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ। 28କିନ୍ତୁ ପାଉଲ ଉଚ୍ଚସ୍ଵରରେ ଡାକି କହିଲେ, “ନିଜର କୌଣସି କ୍ଷତି କରନ୍ତୁ ନାହିଁ! ଆମେ ସମସ୍ତେ ଏଠାରେ ଅଛୁ!”
29କାରାରକ୍ଷକ ଦୀପ ଆଣିବାକୁ କହିଲେ, ଓ ଦୈଡ଼ିଯାଇ ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କ ଆଗରେ ପଡ଼ିଲେ। 30ସେ ସେମାନଙ୍କୁ ବାହାର କରି ଆଣିଲା ପରେ ପଚାରିଲେ, “ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମୋତେ କଣ କରିବାକୁ ହେବ?”
31ସେମାନେ ଉତ୍ତର ଦେଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତୁ, ତା ହେଲେ ଆପଣ ଓ ଆପଣଙ୍କ ପରିବାର ପରିତ୍ରାଣ ପାଇବେ।” 32ଏହାପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ପ୍ରଭୁଙ୍କର ବାକ୍ୟ କହିଲେ। 33ରାତ୍ରିର ସେହି ପ୍ରହରରେ ସୁଦ୍ଧା କାରାରକ୍ଷକ ସେମାନଙ୍କୁ ନେଇଯାଇ ସେମାନଙ୍କର କ୍ଷତସବୁ ଧୋଇଲେ; ତା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ସଙ୍ଗେସଙ୍ଗେ ଡୁବନ ନେଲେ। 34କାରାରକ୍ଷକ ସେମାନଙ୍କୁ ନିଜ ଘରକୁ ନେଇଯାଇ ସେମାନଙ୍କ ସମ୍ମୁଖରେ ଖାଦ୍ୟ ପରିବେଷଣ କଲେ; ଏବଂ ପରିବାରର ସମସ୍ତେ ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିବାରୁ ଆନନ୍ଦରେ ପୂର୍ଣ୍ଣ ହେଲେ।
35ପ୍ରଭାତ ହେବା ପରେ, ବିଚାରକର୍ତ୍ତାମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଏହି ଆଦେଶ ଦେଇ କାରାରକ୍ଷକ ନିକଟକୁ ପଠାଇଲେ: “ସେହି ଲୋକମାନଙ୍କୁ ଛାଡ଼ି ଦିଅ।” 36କାରାରକ୍ଷକ ପାଉଲଙ୍କୁ କହିଲେ, “ବିଚାରକର୍ତ୍ତାମାନେ ଆପଣଙ୍କୁ ଓ ଶୀଲାଙ୍କୁ ମୁକ୍ତି ଦେବାକୁ ଆଦେଶ ଦେଇଛନ୍ତି। ଏବେ ଆପଣମାନେ, ଶାନ୍ତିରେ ଚାଲି ଯାଆନ୍ତୁ।”
37କିନ୍ତୁ ପାଉଲ କର୍ମଚାରୀମାନଙ୍କୁ କହିଲେ: “ଆମେ ରୋମୀୟ ନାଗରିକ, ଅଥଚ ସେମାନେ ଆମକୁ ବିନା ବିଚାରରେ ପ୍ରକାଶ୍ୟରେ ପ୍ରହାର କରାଇ, କାରାଗାରରେ ପକାଇଲେ। ଆଉ ଏବେ କଣ ଆମକୁ ଗୋପନରେ ଛାଡ଼ି ଦେବାକୁ ଚାହୁଁଛନ୍ତି? ନା! ସେମାନେ ନିଜେ ଆସି ଆମକୁ ବାହାର କରନ୍ତୁ।”
38କର୍ମଚାରୀମାନେ ଯାଇ ଏହି ସମ୍ବାଦ ବିଚାରକର୍ତ୍ତାମାନଙ୍କୁ ଦେଲେ, ଏବଂ ପାଉଲ ଓ ଶୀଲା ରୋମୀୟ ନାଗରିକ ବୋଲି ଶୁଣି, ସେମାନେ ଭୟଭିତ ହେଲେ। 39ଅତଏବ ସେମାନେ ଆସି କ୍ଷମାପ୍ରାର୍ଥନା କଲେ ଓ କାରାଗାରରୁ ସେମାନଙ୍କୁ ମୁକ୍ତ କରି, ସହର ଛାଡ଼ି ଚାଲିଯିବାକୁ ଅନୁରୋଧ କଲେ। 40ପାଉଲ ଓ ଶୀଲା କାରାଗାରରୁ ବାହାରିଗଲା ପରେ, ଲୁଦିଆଙ୍କ ଗୃହକୁ ଗଲେ, ସେଠାରେ ସେମାନେ ଭାଇମାନଙ୍କ ସହିତ ଦେଖା କରି ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ। ତା ପରେ ସେମାନେ ପ୍ରସ୍ଥାନ କଲେ।