Skip to content

ପ୍ରେରିତ 15

15
ଯିରୂଶାଲମରେ ଅନୁଷ୍ଠିତ ମନ୍ତ୍ରଣା ସଭା
1କେତେକ ଲୋକ ଯିହୁଦାରୁ ଆଣ୍ଟିୟୋଖକୁ ଯାଇ ଭାଇମାନଙ୍କୁ ଏହିପରି ଶିକ୍ଷାଦେବାକୁ ଲାଗିଲେ: “ମୋଶାଙ୍କର ବିଧି ଅନୁସାରେ, ତୁମ୍ଭେମାନେ ସୁନ୍ନତ ନହେଲେ, ପରିତ୍ରାଣ ପାଇବ ନାହିଁ।” 2ଏତଦ୍ୱାରା ସେମାନଙ୍କ ସଙ୍ଗେ ପାଉଲ ଓ ବର୍ଣ୍ଣବାଙ୍କର ତୀବ୍ର ବିବାଦ ଓ ଯୁକ୍ତିତର୍କ ଲାଗିଲା। ତେଣୁ ଯିରୂଶାଲମକୁ ଯାଇ ଏହି ପ୍ରଶ୍ନ ବିଷୟରେ ପ୍ରେରିତଶିଷ୍ୟ, ଓ ମଣ୍ଡଳୀମୁଖ୍ୟମାନଙ୍କୁ ଦେଖା କରିବାକୁ, ପାଉଲ ଓ ବର୍ଣ୍ଣବାସଙ୍କ ସଙ୍ଗେ ଅନ୍ୟ କେତେକ ବିଶ୍ୱାସୀଙ୍କୁ ନିଯୁକ୍ତ କରାଗଲା। 3ଆଣ୍ଟିୟୋଖ ର ମଣ୍ଡଳୀ ସେମାନଙ୍କୁ ବାଟ ବଳାଇ ବିଦାୟ ଦେଲା, ଏବଂ ସେମାନେ ଫିନିସିଆ ଓ ଶମରିଆ ମଧ୍ୟଦେଇ ଯିବା ସମୟରେ, ଅଣଯିହୁଦୀମାନେ କିପରି ହୃଦୟ ପରିବର୍ତ୍ତନ କରୁଛନ୍ତି ତାହା ଜଣାଇଲେ। ଏହି ସମ୍ବାଦ ଭାଇମାନଙ୍କୁ ବିଶେଷ ଆନନ୍ଦ ପ୍ରଦାନ କଲା। 4ସେମାନେ ଯେତେବେଳେ ଯିରୂଶାଲମରେ ପହଞ୍ଚିଲେ, ମଣ୍ଡଳୀ ପ୍ରେରିତଶିଷ୍ୟ ଓ ମଣ୍ଡଳୀମୁଖ୍ୟମାନେ, ସେମାନଙ୍କୁ ସ୍ୱାଗତ ଜଣାଇଲେ ଏବଂ ଈଶ୍ୱର ସେମାନଙ୍କ ଦ୍ଵାରା ଯେସମସ୍ତ କାର୍ଯ୍ୟ କରିଥିଲେ ସେମାନେ ସେହିସବୁ ବର୍ଣ୍ଣନା କଲେ।
5ଏଉତ୍ତାରେ କେତେକ ଖ୍ରୀଷ୍ଟବିଶ୍ୱାସୀ ଯେଉଁମାନେ ପୂର୍ବେ ଫାରୂଶୀ ଦଳର ଥିଲେ ସେମାନେ ଉଠି କହିଲେ, “ଅଣଯିହୁଦୀମାନେ ସୁନ୍ନତ ହେବା ଉଚିତ ଏବଂ ମୋଶାଙ୍କର ବିଧିବ୍ୟବସ୍ଥା ପାଳନ କରିବା ଆବଶ୍ୟକ।”
6ପ୍ରେରିତଶିଷ୍ୟ ଓ ମଣ୍ଡଳୀମୁଖ୍ୟମାନେ ଏହି ପ୍ରଶ୍ନ ଆଲୋଚନା କରିବାକୁ ସମବେତ ହେଲେ। 7ଅନେକ ବିଚାରବିବେଚନା ପରେ, ପିତର ଉଠି ସେମାନଙ୍କୁ କହିଲେ: “ଭାଇମାନେ, ତୁମେମାନେ ଜାଣ ଯେ କିଛିକାଳ ପୂର୍ବେ ତୁମମାନଙ୍କ ମଧ୍ୟରୁ ଈଶ୍ୱର ମୋତେ ମନୋନୀତ କଲେ ଯେପରି ଅଣଯିହୁଦୀମାନେ ମୋ ମୁଖରୁ ସୁସମାଚାର ଶୁଣି ବିଶ୍ୱାସ କରିବେ। 8ଅନ୍ତର୍ଯ୍ୟାମୀ, ଈଶ୍ୱର, ଆମକୁ ଯେପରି ପବିତ୍ରଆତ୍ମଙ୍କୁ ଦାନ କଲେ, ସେମାନଙ୍କୁ ସେହିପରି ଦାନ କରିବା ଦ୍ଵାରା ସେମାନଙ୍କୁ ମଧ୍ୟ ଗ୍ରହଣ କଲେ ବୋଲି ଦର୍ଶାଇଲେ। 9ସେ ଆମମାନଙ୍କ ଓ ସେମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ରଖିଲେ ନାହିଁ, କାରଣ ବିଶ୍ୱାସ ଦ୍ଵାରା ସେ ସେମାନଙ୍କ ହୃଦୟ ଶୁଚି କଲେ। 10ତା ହେଲେ, ଆମର ପୂର୍ବପୁରୁଷମାନେ ଓ ଆମେ ଯେଉଁ ଯୁଆଳି ବହନ କରିବାକୁ ଅସମର୍ଥ ହେଲୁ, ତାହା ଏବେ ବିଜାତି ଶିଷ୍ୟମାନଙ୍କ ବେକରେ ଦେଇ ତୁମ୍ଭେମାନେ କାହିଁକି ଈଶ୍ୱରଙ୍କୁ ପରୀକ୍ଷା କରୁଛ? 11ଆମର ବିଶ୍ୱାସ ଏହି ଯେ କେବଳ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ଵାରା ଆମେ ଯେପରି ପରିତ୍ରାଣ ଲାଭ କଲୁ, ସେମାନେ ମଧ୍ୟ ସେହିପରି ଲାଭ କଲେ।”
12ଏଥିରେ ସଭାର ସମସ୍ତେ ନୀରବ ରହିଲେ ଏବଂ ବର୍ଣ୍ଣବା ଓ ପାଉଲଙ୍କ ଦ୍ଵାରା ଈଶ୍ୱର ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁସବୁ ଅଲୌକିକ କର୍ମ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିଥିଲେ ତାହା ବର୍ଣ୍ଣନା କଲାବେଳେ ସେମାନେ ମନୋଯୋଗ ସହ ଶୁଣିଲେ। 13ସେମାନଙ୍କ କଥା ଶେଷ ହେଲା ଉତ୍ତାରେ, ଯାକୁବ କହିଲେ, “ଭାଇମାନେ, ମୋ କଥା ଶୁଣ। 14ଈଶ୍ୱର କିପରି ଅଣଯିହୁଦୀମାନଙ୍କ ମଧ୍ୟରୁ ନିଜ ସକାଶେ ଏକ ବିଶେଷ ଗୋଷ୍ଠୀ ବାହାର କରି ଆଣି ପ୍ରଥମେ ସେମାନଙ୍କ ପ୍ରତି ଦୟା ପ୍ରକାଶ କରିଛନ୍ତି ତାହା ଶିମୋନ ଆମ ନିକଟରେ ବର୍ଣ୍ଣନା କରିଛନ୍ତି। 15ଏଥି ସହିତ ଭାବବାଦୀମାନଙ୍କ ଉକ୍ତିଗୁଡ଼ିକର ମେଳ ରହିଛି, ଯେହେତୁ ଏହିପ୍ରକାର ଲେଖାଯାଇଛି:
16“ ‘ଏହାପରେ ମୁଁ ଫେରିଆସି
ଦାଉଦର ପତିତ ତମ୍ୱୁକୁ ପୁନଃନିର୍ମାଣ କରିବି।
ତାହାର ଧ୍ୱଂସାବଶେଷକୁ ପୁନଃନିର୍ମାଣ କରି,
ତାହାକୁ ପୁନଃପ୍ରତିଷ୍ଠିତ କରିବି।
17ତା ହେଲେ ମନୁଷ୍ୟଜାତିର ଅବଶିଷ୍ଟ ଲୋକେ,
ଏବଂ ମୋ ନାମ ଧାରଣ କରିଥିବା ସବୁ ଅଣଯିହୁଦୀ ଜାତି,
ପ୍ରଭୁଙ୍କର ଅନ୍ୱେଷଣ କରିବେ, ଯେଉଁ ପ୍ରଭୁ ଯୁଗ ଯୁଗ ଧରି’
18ଏସମସ୍ତ ବିଷୟ ପ୍ରକାଶ କରି ଆସୁଛନ୍ତି ସେ ଏହା କହନ୍ତି।
19“ଅତଏବ ମୋର ମତ, ଏହି ଯେ, ଯେଉଁ ଅଣଯିହୁଦୀମାନେ ଈଶ୍ୱରଙ୍କ ନିକଟକୁ ଆସୁଛନ୍ତି ଆମେ ସେମାନଙ୍କ ପାଇଁ ବାଧା ସୃଷ୍ଟି କରିବା ନାହିଁ। 20ବରଞ୍ଚ ସେମାନଙ୍କୁ ପତ୍ର ଲେଖି ଆମେ ଏହା ଜଣାଇ ଦେବା ଉଚିତ ଯେ, ସେମାନେ ଯେପରି ପ୍ରତିମାଗୁଡ଼ିକ ଦ୍ଵାରା ଅଶୁଚି ହୋଇଥିବା ଖାଦ୍ୟରୁ, ଯୌନ ଅସଦାଚାରରୁ, ଗଳାଚିପା ହୋଇ ମରାଯାଇଥିବା ପ୍ରାଣୀର ମାଂସ ଏବଂ ରକ୍ତ ଭୋଜନରୁ ବିରତ ରହିବେ। 21କାରଣ ପୁରାକାଳରୁ ମୋଶାଙ୍କ ପୁସ୍ତକ ପ୍ରତ୍ୟେକ ନଗରରେ ପ୍ରଚାରିତ ହେଉଛି ଏବଂ ପ୍ରତି ଶାବତବାରରେ ଉପାସନାଗୃହଗୁଡ଼ିକରେ ତାଙ୍କର ବିଧିବ୍ୟବସ୍ଥା ପଠିତ ହେଉଛି।”
ଅଣଯିହୁଦୀ ଖ୍ରୀଷ୍ଟବିଶ୍ୱାସୀମାନଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ପତ୍ର
22ଏଉତ୍ତାରେ ପ୍ରେରିତ ଶିଷ୍ୟମାନେ ଏବଂ ମଣ୍ଡଳୀର ପ୍ରାଚୀନମାନେ, ସମଗ୍ର ମଣ୍ଡଳୀ ସହିତ ଏକମତ ହେଲେ, ଏବଂ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବାସଙ୍କ ସଙ୍ଗେ ଆଣ୍ଟିୟୋଖକୁ ପଠାଇବାକୁ ସ୍ଥିର କଲେ। ସେମାନେ (ବର୍ଶବାସ ନାମରେ ପରିଚିତ) ଯିହୁଦା ଓ ଶୀଲାଙ୍କୁ, ମନୋନୀତ କଲେ ଭାଇମାନଙ୍କ ମଧ୍ୟରେ ଏହି ଦୁଇଜଣ ନେତୃତ ପଦବୀରେ ଥିଲେ। 23ଏହିମାନଙ୍କ ହାତରେ ସେମାନେ ନିମ୍ନଲିଖିତ ପତ୍ରଟି ପଠାଇଲେ:
ଆଣ୍ଟିୟୋଖ, ସିରିଆ ଓ ସିଲିସିଆର ଅଣଯିହୁଦୀ ବିଶ୍ୱାସୀମାନଙ୍କୁ,
ତୁମ୍ଭମାନଙ୍କର ଭାଇ ପ୍ରେରିତଶିଷ୍ୟ, ଓ ମଣ୍ଡଳୀମୁଖ୍ୟମାନଙ୍କର:
ଅଭିବାଦନ।
24ଆମେ ଶୁଣିଛୁ ଯେ ଆମର ବିନାଅନୁମତିରେ ଆମ ମଧ୍ୟରୁ କେତେଜଣ ଯାଇ ଯାହା କହିଛନ୍ତି, ତଦ୍ଦ୍ୱାରା ତୁମ୍ଭମାନଙ୍କୁ ବିଚଳିତ କରିଛନ୍ତି ଓ ତୁମ ମନକୁ ଅସ୍ଥିର କରିଛନ୍ତି। 25ତେଣୁ ଆମେ ସର୍ବସମ୍ମତିକ୍ରମେ କିଛିଲୋକଙ୍କୁ ମନୋନୀତ କରି ଆମର ଶ୍ରଦ୍ଧେୟ ବନ୍ଧୁ ବର୍ଣ୍ଣବା ଓ ପାଉଲଙ୍କ ସହିତ ପଠାଉଛୁ 26ଏହିମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ସକାଶେ ନିଜ ନିଜ ଜୀବନ ବିପନ୍ନ କରିଛନ୍ତି। 27ସେଥିପାଇଁ ଆମ୍ଭେମାନେ ଯିହୁଦା ଓ ଶୀଲାଙ୍କୁ ପଠାଉଚୁ ଯଦ୍ଦ୍ୱାରା ଆମେ ଯାହା ଲେଖୁଛୁ ସେମାନେ ତାହା ମୁଖରେ କହି ଅନୁମୋଦନ କରିବେ। 28ନିମ୍ନଲିଖିତ କେତୋଟି ଅତ୍ୟାବଶ୍ୟକ ବିଷୟ ବ୍ୟତୀତ ଅନ୍ୟ କୌଣସି ବିଷୟରେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ ନ କରିବାକୁ ପବିତ୍ରଆତ୍ମାଙ୍କର ତଥା ଆମ୍ଭମାନଙ୍କର ଦୃଷ୍ଟିରେ ବିହିତ ମନେ ହେଲା: 29ପ୍ରତିମାମାନଙ୍କ ନିକଟରେ ଉତ୍ସର୍ଗିତ ପ୍ରସାଦରୁ, ରକ୍ତ ଭୋଜନରୁ, ଗଳାଚିପା ଯାଇ ମରାଯାଇଥିବା ପ୍ରାଣୀର ମାଂସ ଭୋଜନରୁ ଏବଂ ଯୌନ ଅସଦାଚାରରୁ ବିରତ ହେବା ତୁମ୍ଭମାନଙ୍କର ଆବଶ୍ୟକ। ଏହିସମସ୍ତ ପରିହାର କରିବା ତୁମ୍ଭମାନଙ୍କ ପକ୍ଷେ ଭଲ ହେବ।
ତୁମ୍ଭମାନଙ୍କର ମଙ୍ଗଳ ହେଉ।
30ସେହି ବ୍ୟକ୍ତିମାନେ ବିଦାୟନେଇ ଆଣ୍ଟିୟୋଖକୁ ଗଲେ, ସେଠାରେ ସେମାନେ ମଣ୍ଡଳୀକୁ ଏକତ୍ର କରି ପତ୍ରଟି ଦେଲେ। 31ସେମାନେ ତାହା ପାଠ କରି ତହିଁର ଉତ୍ସାହଜନକ ବାର୍ତ୍ତା ସକାଶେ ଆନନ୍ଦିତ ହେଲେ। 32ଯିହୁଦା ଓ ଶୀଲା, ଉଭୟେ ଭାବବାଦୀ ଥିବାରୁ, ଭାଇମାନଙ୍କୁ ଉତ୍ସାହ ଓ ମନୋବଳ ଦେବାକୁ ଅନେକ ବିଷୟ କହିଲେ। 33ସେଠାରେ କିଛି ସମୟ ଅତିବାହିତ କଲାପରେ, ସେମାନଙ୍କୁ ପଠାଇଥିବା ଲୋକମାନଙ୍କ ନିକଟକୁ ଫେରିଯିବା ପାଇଁ ଭାଇମାନେ ସେମାନଙ୍କୁ ଶାନ୍ତିରେ ବିଦାୟ ଦେଲେ। 34(କିନ୍ତୁ ଶୀଲା ସେଠାରେ ରହିବାକୁ ସ୍ଥିର କଲେ।) 35ପାଉଲ ଓ ବର୍ଣ୍ଣବା ଆଣ୍ଟିୟୋଖରେ ରହିଲେ, ସେଠାରେ ସେମାନେ ଆହୁରି ଅନେକଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଲେ ଓ ପ୍ରଚାର କଲେ।
ବର୍ଣ୍ଣବାସ ଓ ପାଉଲଙ୍କ ମତଭେଦ
36କିଛିକାଳ ପରେ ପାଉଲ ବର୍ଣ୍ଣବାସଙ୍କୁ କହିଲେ, “ଚାଲ ଆମେ ଯେଉଁସବୁ ସହରରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଥିଲୁ ସେହିସବୁ ସ୍ଥାନକୁ ଫେରିଯାଇ ଭାଇମାନଙ୍କୁ ଭେଟିବା ଓ କିପରି ଅଛନ୍ତି ଦେଖିବା।” 37ମାର୍କ ନାମରେ ପରିଚିତ, ଯୋହନଙ୍କୁ ମଧ୍ୟ, ସଙ୍ଗରେ ନେବାକୁ ବର୍ଣ୍ଣବାସ ଇଚ୍ଛା କଲେ, 38କିନ୍ତୁ ତାଙ୍କୁ ସଙ୍ଗରେ ନେବା ବୁଦ୍ଧିର କାର୍ଯ୍ୟ ହେବ ନାହିଁ ବୋଲି ପାଉଲ ମନେ କଲେ, କାରଣ ସେ ସେମାନଙ୍କ ସହିତ କାର୍ଯ୍ୟରେ ଲାଗି ନ ରହି ପାମ୍ପିଲିଆରେ ସେମାନଙ୍କୁ ଛାଡ଼ି ଚାଲି ଯାଇଥିଲେ। 39ସେମାନଙ୍କ ମଧ୍ୟରେ ଘୋର ମତଭେଦ ଘଟିବାରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଗଲେ। ବର୍ଣ୍ଣବାସ ମାର୍କଙ୍କୁ ନେଇ ଜାହାଜରେ ସାଇପ୍ରସକୁ ଗଲେ, 40କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି, ଭାଇମାନଙ୍କ ଦ୍ଵାରା ପ୍ରଭୁଙ୍କ ଅନୁଗ୍ରହ ନିକଟରେ ସମର୍ପିତ ହୋଇ ପ୍ରସ୍ଥାନ କଲେ। 41ସେ ସିରିଆ ଓ ସିଲିସିଆ ମଧ୍ୟଦେଇ ଯାତ୍ରା କରୁ କରୁ, ମଣ୍ଡଳୀଗୁଡ଼ିକୁ ସୁଦୃଢ଼ କଲେ।