Skip to content

ପ୍ରେରିତ 14

14
ଇକନିୟମରେ ସୁସମାଚାର ପ୍ରଚାର
1ଇକନିୟମରେ ପାଉଲ ଓ ବର୍ଣ୍ଣବା ରୀତି ଅନୁସାରେ ଯିହୁଦୀୟ ଉପାସନାଗୃହକୁ ଗଲେ। ସେଠାରେ ସେମାନେ ଏତେ ଶକ୍ତିର ସହ କଥା କହିଲେ ଯେ ବହୁସଂଖ୍ୟକ ଯିହୁଦୀ ତଥା ଗ୍ରୀକ ଲୋକେ ବିଶ୍ୱାସ କଲେ। 2କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ ସେମାନେ ଏହି ଭାଇମାନଙ୍କ ବିରୁଦ୍ଧରେ ଅଣଯିହୁଦୀମାନଙ୍କୁ ମତାଇ ସେମାନଙ୍କ ମନକୁ ବିଷାକ୍ତ କଲେ। 3ତଥାପି ପାଉଲ ଓ ବର୍ଣ୍ଣବା ସେଠାରେ ବହୁ ଦିନ ରହି, ପ୍ରଭୁଙ୍କ ପାଇଁ ସାହସ ସହକାରେ ପ୍ରଚାର କଲେ ଏବଂ ପ୍ରଭୁ, ନାନାଦି ଅଲୌକିକ କର୍ମ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିବାକୁ ସେମାନଙ୍କୁ ସାମର୍ଥ୍ୟ ଦେଇ ତାଙ୍କ ଅନୁଗ୍ରହପୂର୍ଣ୍ଣ ବାର୍ତ୍ତାକୁ ପ୍ରମାଣିତ କଲେ। 4ସେହି ନଗରର ଲୋକେ ଦୁଇ ଦଳ ହେଲେ; କେତେକେ ଯିହୁଦୀମାନଙ୍କ ପକ୍ଷରେ, ଓ ଅନ୍ୟମାନେ ପ୍ରେରିତଶିଷ୍ୟମାନଙ୍କ ପକ୍ଷସମର୍ଥନ କଲେ। 5ପ୍ରେରିତଶିଷ୍ୟମାନଙ୍କ ପ୍ରତି ଦୁର୍ବ୍ୟବହାର କରିବାକୁ, ଓ ସେମାନଙ୍କୁ ପଥର ଫୋପାଡ଼ି ମାରିବାକୁ, ଅଣଯିହୁଦୀ ତଥା ଯିହୁଦୀମାନେ ସେମାନଙ୍କ ନେତୃବର୍ଗଙ୍କ ସହିତ ଷଡ଼ଯନ୍ତ୍ର କଲେ। 6କିନ୍ତୁ ସେମାନେ ତାହା ଜାଣିପାରି ଲିକାୟନିଆର ଲୀସ୍ତ୍ରା ଓ ଦର୍ବୀକୁ ଏବଂ ଚତୁର୍ଦ୍ଦିଗସ୍ଥ ଅଞ୍ଚଳକୁ ପଳାଇଗଲେ, 7ସେଠାରେ ସେମାନେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।
ଲୀସ୍ତ୍ରା ଓ ଦର୍ବୀରେ ସୁସମାଚାର ପ୍ରଚାର
8ଲୀସ୍ତ୍ରାରେ ଜଣେ ଲୋକ ବସିଥିଲା। ତାହାର ପାଦ ଦୁଇଟି ବିକଳାଙ୍ଗ ଓ ସେ ଜନ୍ମରୁ ଛୋଟା ହୋଇଥିବାରୁ କେବେ ଚାଲି ନ ଥିଲା। 9ପାଉଲ କଥା କହୁଥିଲା ବେଳେ ସେ ଶୁଣୁଥିଲା। ପାଉଲ ତାକୁ ଏକ ଲୟରେ ଚାହିଁଲେ, ଓ ସୁସ୍ଥ ହେବାକୁ ତାହାର ବିଶ୍ୱାସ ଅଛି ବୋଲି ଦେଖିଲେ। 10ତେଣୁ ସେ ଉଚ୍ଚସ୍ଵରରେ କହିଲେ, “ତୁମେ ପାଦରେ ଭରା ଦେଇ ଠିଆ ହୁଅ!” ତହୁଁ, ସେହି ଲୋକ କୁଦା ମାରି ଚାଲିବାକୁ ଲାଗିଲା।
11ପାଉଲଙ୍କର ଏହି କାର୍ଯ୍ୟ ଦେଖି, ଜନସମୂହ ଲିକାୟନିଆ ଭାଷାରେ ଚିତ୍କାର କରି କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ ନିକଟକୁ ଓହ୍ଲାଇ ଆସିଛନ୍ତି!” 12ସେମାନେ ବର୍ଣ୍ଣବାଙ୍କୁ ଜୁପିଟର ବୋଲି କହିଲେ, ଏବଂ ପାଉଲ ମୁଖ୍ୟବକ୍ତା ହୋଇଥିବାରୁ ତାଙ୍କୁ ମର୍କ୍ୟୁରି ବୋଲି କହିଲେ। 13ନଗର ବାହାରେ ଥିବା, ଜୁପିଟର ମନ୍ଦିରର ଯାଜକ, ବୃଷ ଓ ପୁଷ୍ପମାଲ୍ୟ ନଗରଦ୍ଵାର ନିକଟକୁ ଆଣିଲେ କାରଣ ସେ ଓ ଲୋକମାନେ ସେମାନଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବାକୁ ଇଚ୍ଛା କରୁଥିଲେ।
14କିନ୍ତୁ ପ୍ରେରିତଶିଷ୍ୟ ବର୍ଣ୍ଣବା ଓ ପାଉଲ ତାହା ଶୁଣି, ନିଜ ନିଜର ବସ୍ତ୍ର ଚିରି ଜନତା ମଧ୍ୟକୁ ଦୈଡ଼ିଗଲେ, ଓ ଚିତ୍କାର କରି କହିଲେ: 15“ମହାଶୟମାନେ, କାହିଁକି ଏପରି କରୁଛନ୍ତି? ଆମେ ମଧ୍ୟ ଆପଣମାନଙ୍କ ପରି, ସାମାନ୍ୟ ମନୁଷ୍ୟ। ଆମେ ଆପଣମାନଙ୍କ ନିକଟକୁ ଶୁଭବାର୍ତ୍ତା ଘେନି ଆସିଛୁ ଓ କହୁଛୁ ଯେ, ଆପଣମାନେ ଏହିସବୁ ଅସାର ବସ୍ତୁରୁ ବିମୁଖ ହୋଇ, ଆକାଶ ପୃଥିବୀ ସାଗର ଓ ତହିଁ ମଧ୍ୟସ୍ଥ ସବୁ ବିଷୟର ସୃଷ୍ଟିକର୍ତ୍ତା ନିତ୍ୟଜୀବୀ ଈଶ୍ୱରଙ୍କ ନିକଟକୁ ଆସନ୍ତୁ। 16ଅତୀତରେ, ଈଶ୍ୱର ଜାତିଗଣଙ୍କୁ ନିଜ ନିଜ ପଥରେ ଯିବା ପାଇଁ ଛାଡ଼ି ଦେଇଥିଲେ। 17ତଥାପି ସେ ଯେ ନିଜ ସମ୍ବନ୍ଧରେ ସାକ୍ଷ୍ୟ ପ୍ରମାଣ ରଖି ନାହାନ୍ତି: ତା ନୁହେଁ, ସେ ଆପଣମାନଙ୍କୁ ଆକାଶରୁ ବୃଷ୍ଟିଜଳ ଓ ଯଥା ଋତୁରେ ଫସଲ ଦେଇଛନ୍ତି; ଏବଂ ପ୍ରଚୁର ଖାଦ୍ୟ ଦେଇ ଆନନ୍ଦରେ ହୃଦୟ ପୂର୍ଣ୍ଣ କରିବା ଦ୍ଵାରା ତାହାଙ୍କର ଦୟାପ୍ରଦର୍ଶନ କରିଛନ୍ତି।” 18ଏସବୁ କଥା କହିବା ସତ୍ତ୍ୱେ, ସେମାନଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ଉଦ୍ୟମରୁ ଲୋକଙ୍କୁ ନିବୃତ୍ତ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥିଲା।
19ଏଉତ୍ତାରେ ଆଣ୍ଟିୟୋଖ ଓ ଇକନିୟମରୁ କେତେକ ଯିହୁଦୀ ଆସି ଲୋକମାନଙ୍କୁ ମତାଇଲେ। ଏବଂ ଲୋକେ ପାଉଲଙ୍କୁ ପ୍ରସ୍ତରାଘାତ କଲେ ପୁଣି ସେ ମରିଗଲେଣି ଭାବି, ସେମାନେ ତାଙ୍କୁ ନଗର ବାହାରକୁ ଟାଣି ନେଇଗଲେ। 20କିନ୍ତୁ ଶିଷ୍ୟମାନେ ତାଙ୍କୁ ଘେରି ଠିଆ ହେବା ପରେ, ସେ ଉଠିଲେ ଓ ନଗରକୁ ଫେରିଗଲେ। ପରବର୍ତ୍ତୀ ଦିନ ସେ ଓ ବର୍ଣ୍ଣବା ଦର୍ବୀକୁ ଚାଲିଗଲେ।
ସିରିଆର ଆଣ୍ଟିୟଖିୟା କୁ ପ୍ରତ୍ୟାବର୍ତ୍ତନ
21ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଅନେକଙ୍କୁ ଶିଷ୍ୟ କଲେ। ତତ୍ପରେ ସେମାନେ ଲୀସ୍ତ୍ରା, ଇକନିୟମ୍ ଓ ଆଣ୍ଟିୟୋଖକୁ ଫେରିଗଲେ, 22ପୁଣି ଶିଷ୍ୟମାନଙ୍କ ମନରେ ବଳ ପ୍ରଦାନ କରି ବିଶ୍ୱାସରେ ଅଟଳ ରହିବାକୁ ଉତ୍ସାହ ଦେଲେ। ସେମାନେ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମକୁ ବହୁ କଷ୍ଟ ମଧ୍ୟଦେଇ ଯିବାକୁ ପଡ଼ିବ।” 23ପାଉଲ ଓ ବର୍ଣ୍ଣବା ପ୍ରତ୍ୟେକ ମଣ୍ଡଳୀରେ ସେମାନଙ୍କ ନିମନ୍ତେ ମଣ୍ଡଳୀମୁଖ୍ୟମାନଙ୍କୁ ନିଯୁକ୍ତ କରି, ପ୍ରାର୍ଥନା ଓ ଉପବାସ, ପୂର୍ବକ ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ ସ୍ଥାପନ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ। 24ସେମାନେ ପିସିଦିଆ ମଧ୍ୟଦେଇ ଯାତ୍ରା କରି, ପାମ୍ପିଲିଆରେ ପହଞ୍ଚିଲେ, 25ପର୍ଗାରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲାପରେ, ସେମାନେ ଆତ୍ତାଲିଆକୁ ଗଲେ।
26ସେମାନେ ଯେଉଁ ଆଣ୍ଟିୟୋଖରେ ଈଶ୍ୱରଙ୍କ ଅନୁଗ୍ରହ ନିକଟରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ, ତାହା ଏବେ ସମାପ୍ତ କଲେ ଓ ଆତ୍ତାଲିଆରୁ ଜଳଯାତ୍ରା କରି ସେହି ସ୍ଥାନକୁ ଫେରିଗଲେ। 27ସେଠାରେ ପହଞ୍ଚିଲା ପରେ, ସେମାନେ ମଣ୍ଡଳୀର ଲୋକମାନଙ୍କୁ ଏକତ୍ର କଲେ ଏବଂ ଈଶ୍ୱର ସେମାନଙ୍କ ମାଧ୍ୟମରେ ଯାହାସବୁ ସାଧନ କରିଥିଲେ ଓ ଅଣଯିହୁଦୀମାନଙ୍କ ନିକଟରେ କିପରି ବିଶ୍ୱାସର ଦ୍ଵାର ଫିଟାଇଲେ ସେହିସବୁ ବର୍ଣ୍ଣନା କଲେ। 28ପୁଣି, ସେଠାରେ ଶିଷ୍ୟମାନଙ୍କ ସହିତ ସେମାନେ ଅନେକ ଦିନ ଅତିବାହିତ କଲେ।