Skip to content

ପ୍ରେରିତ 13

13
1ଆଣ୍ଟିୟୋଖ ମଣ୍ଡଳୀରେ ଭାବବାଦୀ ଓ ଶିକ୍ଷକମାନେ ଥିଲେ ଯଥା: ବର୍ଣ୍ଣବା, ନିଗର୍ ନାମକ ଶିମିୟୋନ, ସାଇରିନିର ଲୁସିୟସ୍, ମନ୍‌ହେମ (ଯେ କି ସାମନ୍ତରାଜା ହେରୋଦଙ୍କ ସଙ୍ଗେ ପ୍ରତିପାଳିତ ହୋଇଥିଲେ) ଏବଂ ଶାଉଲ। 2ସେମାନେ ଉପବାସ କରି ପ୍ରଭୁଙ୍କର ଉପାସନା କରୁଥିବା ସମୟରେ, ପବିତ୍ରଆତ୍ମା କହିଲେ, “ଯେଉଁ କାର୍ଯ୍ୟ ପାଇଁ ମୁଁ ବର୍ଣ୍ଣବା ଓ ଶାଉଲକୁ ଆହ୍ଵାନ କରିଛି ସେଥିପାଇଁ ସେମାନଙ୍କୁ ମୋ ନିମନ୍ତେ ପୃଥକ କର।” 3ଅତଏବ ସେମାନେ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ, ସେମାନଙ୍କ ଉପରେ ହସ୍ତାର୍ପଣ କରି ବିଦାୟ ଦେଲେ।
4ସେହି ଦୁଇଜଣ ପବିତ୍ରଆତ୍ମାଙ୍କ ଦ୍ଵାରା ପ୍ରେରିତ ହୋଇ, ସେଲ୍ୟୁସିଆକୁ ଓ ସେଠାରୁ ଜାହାଜରେ ଯାତ୍ରା କରି ସାଇପ୍ରସ୍‌କୁ ଗଲେ। 5ସେମାନେ ସାଲାମି ସହରରେ ପହଞ୍ଚିଲା ଉତ୍ତାରେ, ଯିହୁଦୀୟ ଉପାସନାଗୃହଗୁଡ଼ିକରେ ଈଶ୍ୱରଙ୍କ ବାକ୍ୟ ଘୋଷଣା କଲେ। ସାହାଯ୍ୟକାରୀ ରୂପେ ଯୋହନ ମାର୍କ ସେମାନଙ୍କ ସହିତ ଥିଲେ।
6ସେମାନେ ସାଇପ୍ରସ୍ ଦ୍ୱୀପର ସର୍ବତ୍ର ଭ୍ରମଣ କରି ଶେଷରେ ପାଫସ୍‌କୁ ଆସିଲେ। ସେଠାରେ ସେମାନେ ବାର୍ଯୀଶୁ ନାମକଜଣେ ଯିହୁଦୀ ମାୟାବୀ ତଥା ଭଣ୍ଡ ଭବିଷ୍ୟଦ୍‌ବକ୍ତାକୁ ଭେଟିଲେ, 7ସେ ରାଜ୍ୟପାଳ ସର୍ଜିଅସ୍ ପାଉଲଙ୍କର ଅନୁଚର ଥିଲା, ରାଜ୍ୟପାଳ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ, ଏବଂ ସେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କରୁଥିବାରୁ, ବର୍ଣ୍ଣବା ଓ ଶାଉଲଙ୍କୁ ଡକାଇ ପଠାଇଲେ। 8କିନ୍ତୁ ସେହି ମାୟାବୀ ଏଲିମସ୍ (ଏହି ନାମର ଅର୍ଥ ମାୟାବୀ) ସେମାନଙ୍କର ପ୍ରତିରୋଧ କଲା ଏବଂ ରାଜ୍ୟପାଳଙ୍କୁ ବିଶ୍ୱାସରୁ ବିମୁଖ କରିବାକୁ ଚେଷ୍ଟା କଲା। 9ତହୁଁ ଶାଉଲ, ଯେ କି ପାଉଲ ନାମରେ ମଧ୍ୟ ପରିଚିତ, ପବିତ୍ରଆତ୍ମରେ ପୂର୍ଣ୍ଣ ହୋଇ, ଏଲିମସ୍‌କୁ ଏକଦୃଷ୍ଟିରେ ଚାହିଁ କହିଲେ, 10“ତୁ ହେଉଛୁ ଶୟତାନର ସନ୍ତାନ ଏବଂ ସବୁ ସତ୍ ବିଷୟର ଶତ୍ରୁ! ତୁ ସବୁପ୍ରକାର ପ୍ରତାରଣା ଓ ଧୂର୍ତ୍ତତାରେ ପୂର୍ଣ୍ଣ। ପ୍ରଭୁଙ୍କର ସରଳ ପଥକୁ ବକ୍ର କରିବା ଚେଷ୍ଟା ରୁ ତୁ କଣ କେବେ ନିବୃତ୍ତ ହେବୁ ନାହୁଁ? 11ଏବେ ପ୍ରଭୁଙ୍କର ହସ୍ତ ତୋ ବିରୁଦ୍ଧରେ ଉଠିଛି। ତୁ ଅନ୍ଧ ହେବୁ କିଛିକାଳ ପାଇଁ, ସୂର୍ୟ୍ୟାଲୋକ ଦେଖିବୁ ନାହିଁ।”
ତତ୍‌କ୍ଷଣାତ୍ ତା ଉପରେ କୁହୁଡ଼ି ଓ ଅନ୍ଧକାର ଘୋଟିଗଲା, ତାକୁ ହାତ ଧରି ବାଟ କଢ଼ାଇବା ପାଇଁ, ସେ ଲୋକ ଖୋଜିବାକୁ ଦରାଣ୍ଡି ହେଲା। 12ରାଜ୍ୟପାଳ ସେହି ଘଟନା ଦେଖି, ବିଶ୍ୱାସ କଲେ, କାରଣ ପ୍ରଭୁଙ୍କ ସମ୍ଭନ୍ଧୀୟ ଶିକ୍ଷାରେ ସେ ଚମତ୍କୃତ ହୋଇଥିଲେ।
ପିସିଦିଆର ଆଣ୍ଟିୟୋଖରେ ପ୍ରଚାର
13ପାଉଲ ଓ ତାଙ୍କର ସଙ୍ଗୀମାନେ, ପାଫସ୍‌ରୁ ଜଳଯାତ୍ରା କରି ପାମ୍ପିଲିଆର ପର୍ଗାକୁ ଗଲେ, ସେଠାରେ ଯୋହନ ମାର୍କ ସେମାନଙ୍କୁ ଛାଡ଼ି ଯିରୂଶାଲମକୁ ଫେରିଗଲେ। 14ପର୍ଗାରୁ ସେମାନେ ପିସିଦିଆର ଆଣ୍ଟିୟୋଖରେ ପହଞ୍ଚିଲେ। ଶାବତବାରରେ ସେମାନେ ଉପାସନାଗୃହକୁ ଯାଇ ବସିଲେ। 15ବିଧିବ୍ୟବସ୍ଥା ଓ ଭାବବାଦୀମାନଙ୍କ ପୁସ୍ତକ ପଠିତ ହେଲା ଉତ୍ତାରେ, ଉପାସନାଗୃହର ଅଧ୍ୟକ୍ଷମାନେ ସେମାନଙ୍କ ନିକଟକୁ ଏହି କଥା, କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ଯଦି କିଛି ଉତ୍ସାହବାଣୀ ଥାଏ, ତେବେ ଦୟାକରି କୁହ।”
16ପାଉଲ ଠିଆ ହୋଇ, ହାତ ହଲାଇ କହିଲେ: “ହେ ଇସ୍ରାଏଲୀୟ ଲୋକବୃନ୍ଦ ଓ ଈଶ୍ୱରଙ୍କ ଉପାସନା-କାରୀ ଅଣଯିହୁଦୀମାନେ, ମୋ କଥାରେ ମନୋଯୋଗ କର! 17ଇସ୍ରାଏଲୀୟମାନଙ୍କର ଈଶ୍ୱର ଆମ ପିତୃ-ପୁରୁଷମାନଙ୍କୁ ମନୋନୀତ କଲେ; ଏବଂ ମିଶର ଦେଶରେ ସେମାନଙ୍କ ରହଣି କାଳରେ ସେମାନଙ୍କୁ ସମୃଦ୍ଧ କଲେ; ପୁଣି ମହାଶକ୍ତିରେ ସେ ସେମାନଙ୍କୁ ସେହି ଦେଶରୁ ବାହାର କରି ଆଣିଲେ; 18ଚାଳିଶ ବର୍ଷ ଧରି ମରୁପ୍ରାନ୍ତରରେ ସେ ସେମାନଙ୍କ ଆଚରଣ ସହ୍ୟ କଲେ; 19କିଣାନ ଦେଶରେ ସେ ସାତୋଟି ଜାତିକୁ ଉତ୍ସନ୍ନ କରି, ସେମାନଙ୍କର ଦେଶ ଆପଣାର ଲୋକମାନଙ୍କ ଅଧିକାର ସ୍ଵରୂପେ ଦେଲେ। 20ଏସମସ୍ତ ପ୍ରାୟ ଚାରିଶହ ପଚାଶ ବର୍ଷ ମଧ୍ୟରେ ଘଟିଥିଲା।
“ଏଉତ୍ତାରେ, ଭାବବାଦୀ ଶାମୁଏଲଙ୍କ ସମୟ ପର୍ଯ୍ୟନ୍ତ ଈଶ୍ୱର ସେମାନଙ୍କୁ ବିଚାରକର୍ତ୍ତାମାନଙ୍କୁ ଦେଲେ। 21ତା ପରେ ଲୋକେ ଜଣେ ରାଜା ପାଇଁ ନିବେଦନ କରିବାରୁ, ସେ ସେମାନଙ୍କୁ ବେଞ୍ଜାମୀନବଂଶଜ, କିଶ୍‌ଙ୍କ ପୁତ୍ର ଶାଉଲଙ୍କୁ ଦେଲେ, ସେ ଚାଳିଶ୍ ବର୍ଷ ରାଜତ୍ଵ କଲେ। 22ଶାଉଲଙ୍କୁ ପଦଚ୍ୟୁତ କଲାପରେ, ସେ ଦାଉଦଙ୍କୁ ସେମାନଙ୍କର ରାଜା କଲେ। ଦାଉଦଙ୍କ ବିଷୟରେ ଈଶ୍ୱର ଏହି ସାକ୍ଷ୍ୟ ଦେଇଥିଲେ: ‘ମୁଁ ମୋର ମନୋମତ ବ୍ୟକ୍ତି ପାଇଛି, ଓ ସେ ଯିଶିର ପୁତ୍ର ଦାଉଦ, ମୁଁ ଯାହା ଇଚ୍ଛା କରେ; ସେ ସେହିସବୁ ପାଳନ କରିବ।’
23“ଏହି ବ୍ୟକ୍ତିଙ୍କର ବଂଶରୁ ଈଶ୍ୱର ଆପଣା ପ୍ରତିଜ୍ଞାନୁସାରେ ଇସ୍ରାଏଲ ପାଇଁ ଜଣେ ତ୍ରାଣକର୍ତ୍ତା, ଅର୍ଥାତ୍ ଯୀଶୁଙ୍କର ଉଦ୍ଭବ କରିଛନ୍ତି। 24ଯୀଶୁଙ୍କର ଆଗମନ ପୂର୍ବରୁ, ଯୋହନ ଇସ୍ରାଏଲର ସବୁ ଲୋକଙ୍କ ନିକଟରେ ଅନୁତାପ ପୂର୍ବକ ଡୁବନ ପ୍ରଚାର କଲେ। 25ଯୋହନ ନିଜର କାର୍ଯ୍ୟ ସମ୍ପୁର୍ଣ୍ଣ କରି, ଆସୁଥିବା ସମୟରେ କହିଲେ: ‘ମୁଁ କିଏ ବୋଲି ତୁମେମାନେ ଭାବୁଛ? ମୁଁ ସେ ଜଣକ ନୁହେଁ। କିନ୍ତୁ ସେ ମୋ ପରେ ଆସୁଛନ୍ତି ତାହାଙ୍କର ପାଦୁକା ଖୋଲିବାକୁ ମୁଁ ଯୋଗ୍ୟ ନୁହେଁ।’
26“ହେ ଭାଇମାନେ ଅବ୍ରହାମଙ୍କ ବଂଶଧରମାନେ ଓ ଈଶ୍ୱରପରାୟଣ ଅଣଯିହୁଦୀମାନେ, ପରିତ୍ରାଣର ଏହି ବାର୍ତ୍ତା ଆମ ନିକଟକୁ ହିଁ ପ୍ରେରିତ। 27ଯିରୂଶାଲମର ଲୋକମାନେ ତଥା ସେମାନଙ୍କର ଶାସକବର୍ଗ ଯୀଶୁଙ୍କୁ ଜାଣିପାରିଲେ ନାହିଁ, ତଥାପି ତାହାଙ୍କୁ ଦଣ୍ଡିତ କରିବା ଦ୍ଵାରା ପ୍ରତି ଶାବତବାରରେ ପଠିତ ହେଉଥିବା ଭାବବାଦୀମାନଙ୍କର ବାକ୍ୟସବୁ ସଫଳ କଲେ। 28ଯଦିବା ତାହାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସେମାନେ ଉପଯୁକ୍ତ କୌଣସି କାରଣ ପାଇଲେ ନାହିଁ, ତଥାପି ତାହାଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ପୀଲାତଙ୍କୁ ଅନୁରୋଧ କଲେ। 29ତାହାଙ୍କ ବିଷୟରେ ଯାହାସବୁ ଲିଖିତ ହୋଇଥିଲା, ସେସମସ୍ତେ ସେମାନେ କାର୍ଯ୍ୟକାରୀ କଲାପରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ଏକ କବର ମଧ୍ୟରେ ରଖିଲେ। 30କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, 31ପୁଣି ଯେଉଁମାନେ ତାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଯାତ୍ରା କରିଥିଲେ। ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କର ଦର୍ଶନ ପାଇଲେ ସେହିମାନେ ହିଁ ଏବେ ଆମ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ।
32“ଆମେ ତୁମ୍ଭମାନଙ୍କୁ ଶୁଭବାର୍ତ୍ତା ଜଣାଉଛୁ: ଈଶ୍ୱର ଆମ ପିତୃପୁରୁଷମାନଙ୍କ ନିକଟରେ କରିଥିବା ପ୍ରତିଜ୍ଞା 33ଆମ ପାଇଁ, ଅର୍ଥାତ୍ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଇଁ ସଫଳ କରିଛନ୍ତି, ଗୀତସଂହିତାର ଦ୍ୱିତୀୟ ଗୀତରେ ଏହିପରି ଲେଖାଅଛି:
“ ‘ତୁମ୍ଭେ ମୋର ପୁତ୍ର;
ଆଜି ମୁଁ ତୁମ୍ଭର ପିତା ହେଲି।’
34ଈଶ୍ୱର ଯେ ତାହାଙ୍କୁ ଆଦୌ କ୍ଷୟ ପାଇବାକୁ ନ ଦେଇ ମୃତମାନଙ୍କ ମଧ୍ୟରୁ ଉଠାଇଲେ। ଏହି ବିଷୟ ନିମ୍ନୋକ୍ତ ବାକ୍ୟରେ କୁହାଯାଇଛି,
“ ‘ଦାଉଦଙ୍କ ନିକଟରେ କରିଥିବା ପ୍ରତିଜ୍ଞା ଅନୁଯାୟୀ ମୁଁ ତୁମ୍ଭମାନଙ୍କୁ ପବିତ୍ର ଓ ନିଶ୍ଚିତ ଆଶୀର୍ବାଦ ସକଳ ପ୍ରଦାନ କରିବି।’
35ପୁଣି ଅନ୍ୟତ୍ର ଏହିପରି ଉଲ୍ଲିଖିତ ହୋଇଛି:
“ ‘ତୁମ୍ଭେ ତୁମ୍ଭର ଧାର୍ମିକଜନକୁ କ୍ଷୟ ପାଇବାକୁ ଦେବ ନାହିଁ।’
36“କାରଣ ଦାଉଦ ତାଙ୍କ ପୀଢ଼ିର ଲୋକଙ୍କ ମଧ୍ୟରେ ଈଶ୍ୱରଙ୍କ ସଂକଳ୍ପ ସାଧନ କରି ସାରିବା ପରେ, ମହାନିଦ୍ରାପ୍ରାପ୍ତ ହେଲେ; ସେ ତାଙ୍କ ପିତୃପୁରୁଷମାନଙ୍କ ସହିତ ସମାଧିସ୍ଥ ହେଲେ ଏବଂ ତାଙ୍କ ଶରୀର କ୍ଷୟ ପାଇଲା। 37ମାତ୍ର ଈଶ୍ୱର ଯାହାଙ୍କୁ ମୃତଲୋକଙ୍କ ମଧ୍ୟରୁ ଉତ୍ଥିତ କଲେ ସେ କ୍ଷୟ ପାଇଲେ ନାହିଁ।
38“ସେଥିପାଇଁ, ହେ ମୋର ଭାଇମାନେ, ତୁମ୍ଭେମାନେ ଏହା ଜାଣ ବୋଲି ମୁଁ ଚାହେଁ ଯେ ଯୀଶୁଙ୍କ ଦ୍ଵାରା ପାପକ୍ଷମା ମିଳେ ଏହା ତୁମ୍ଭମାନଙ୍କ ନିକଟରେ ଘୋଷଣା କରାଯାଉଛି। 39ମୋଶାଙ୍କର ବିଧିବ୍ୟବସ୍ଥା ଦ୍ଵାରା ଯେଉଁ ସମସ୍ତ ବିଷୟରୁ ତୁମ୍ଭେମାନେ ମୁକ୍ତ ହୋଇ ଧାର୍ମିକ ବିବେଚିତ ହୋଇପାରିଲ ନାହିଁ, ଯେତେଜଣ ବିଶ୍ୱାସ କରନ୍ତି ସେସମସ୍ତେ ତାହାଙ୍କ ଦ୍ଵାରା ସେହିସବୁ ବିଷୟରୁ ମୁକ୍ତ ହୋଇ ଧାର୍ମିକ ବିବେଚିତ ହୁଅନ୍ତି। 40ତେଣୁ ସାବଧାନ ଭାବବାଦୀମାନେ ଏହି ଯେଉଁ କଥା କହିଛନ୍ତି ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ:
41“ ‘ହେ ବିଦ୍ରୂପକାରୀଗଣ, ଦେଖ,
ଆଚମ୍ବିତ ହୋଇ ବିନାଶପ୍ରାପ୍ତ ହୁଅ,
କାରଣ ମୁଁ ତୁମ ଜୀବଦ୍ଦଶାରେ ଯାହା କରିବାକୁ ଉଦ୍ୟତ
ତାହା ତୁମକୁ କେହି କହିଲେ ମଧ୍ୟ,
ତୁମେ ଆଦୌ ବିଶ୍ୱାସ କରିବ ନାହିଁ।’ ”
42ପାଉଲ ଓ ବର୍ଣ୍ଣବା ଉପାସନାଗୃହରୁ ବାହାରି ଯାଉଥିବା ସମୟରେ, ପରବର୍ତ୍ତୀ ଶାବତବାରରେ ଏହିସବୁ ବିଷୟ ଆହୁରି ଅଧିକ କହିବାକୁ ଲୋକେ ସେମାନଙ୍କୁ ଅନୁରୋଧ ଜଣାଇଲେ। 43ଉପାସନା ସଭା ଶେଷ ହେଲାପରେ, ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଓ ଯିହୁଦୀ ଧର୍ମରେ ଦୀକ୍ଷିତ ଭକ୍ତମାନେ ପାଉଲ ଓ ବର୍ଣ୍ଣବାଙ୍କ ପଛେ ପଛେ ଗଲେ, ସେମାନେ ଏହି ଲୋକମାନଙ୍କ ସଙ୍ଗେ କଥାବାର୍ତ୍ତା କରି ଈଶ୍ୱରଙ୍କ ଅନୁଗ୍ରହରେ ଅବିଚଳିତ ରହିବାକୁ ସେମାନଙ୍କୁ ମଣାଇଲେ।
44ପରବର୍ତ୍ତୀ ଶାବତବାରରେ ନଗରର ପ୍ରାୟ ସମସ୍ତେ ପ୍ରଭୁଙ୍କର ବାକ୍ୟ ଶୁଣିବାକୁ ସମବେତ ହେଲେ। 45କିନ୍ତୁ ଯିହୁଦୀମାନେ ଜନସମାଗମ ଦେଖି, ଈର୍ଷାରେ ଜର୍ଜରିତ ହେଲେ। ଓ ପାଉଲଙ୍କ କଥାକୁ ଖଣ୍ଡନ କରିବାକୁ ଚେଷ୍ଟା କରି ନିନ୍ଦା କଲେ।
46ତତ୍ପରେ ପାଉଲ ଓ ବର୍ଣ୍ଣବା ସାହସର ସହିତ ସେମାନଙ୍କୁ ଉତ୍ତର ଦେଲେ: “ପ୍ରଥମେ ତୁମମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ କହିବା ଆମର ଆବଶ୍ୟକ ଥିଲା। କିନ୍ତୁ ତୁମେମାନେ ତାହା ପ୍ରତ୍ୟାଖ୍ୟାନ କରିବା ଦ୍ଵାରା ନିଜକୁ ଅନନ୍ତଜୀବନ ନିମନ୍ତେ ଅଯୋଗ୍ୟ ବୋଲି ପ୍ରକାଶ କରୁଅଛ, ତେଣୁ ଆମେ ଏବେ ଅଣଯିହୁଦୀମାନଙ୍କ ନିକଟକୁ ଯାଉଛୁ। 47କାରଣ ପ୍ରଭୁ ଆମକୁ ଏହି ଆଦେଶ ଦେଇଛନ୍ତି:
“ ‘ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିତ୍ରାଣ ଆଣିବା ପାଇଁ,
ମୁଁ ତୁମକୁ ଜାତିଗଣର ଆଲୋକ ସ୍ଵରୂପ କରିଛି।’ ”
48ଅଣଯିହୁଦୀ ଲୋକମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଆନନ୍ଦିତ ହେଲେ ଓ ପ୍ରଭୁଙ୍କ ବାକ୍ୟକୁ ମାନ୍ୟ କଲେ; ପୁଣି ଯେତେ ଲୋକ ଅନନ୍ତଜୀବନ ପାଇଁ ନିରୂପିତ ହୋଇଥିଲେ ସେମାନେ ସମସ୍ତେ ବିଶ୍ୱାସ କଲେ।
49ସେହି ସମଗ୍ର ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ପ୍ରସାର ଲାଭ କଲା। 50କିନ୍ତୁ ଈଶ୍ୱରପରାୟଣା ସମ୍ଭ୍ରାନ୍ତ ମହିଳାମାନଙ୍କୁ ଓ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ଯିହୁଦୀମାନେ ମତାଇଲେ, ଏବଂ ପାଉଲ ଓ ବର୍ଣ୍ଣବାଙ୍କ ବିରୁଦ୍ଧରେ ଉତ୍ପୀଡ଼ନ ଆରମ୍ଭ କରି, ସେମାନଙ୍କୁ ନିଜ ଅଞ୍ଚଳରୁ ତଡ଼ିଦେଲେ। 51ତେଣୁ ପାଉଲ ଓ ବର୍ଣ୍ଣବା ସେମାନଙ୍କ ବିରୁଦ୍ଧରେ ନିଜ ନିଜର ପାଦଧୂଳି ଝାଡ଼ି ଦେଇ ଇକନିୟମ୍‌କୁ ଚାଲିଗଲେ। 52ଶିଷ୍ୟମାନେ ଆନନ୍ଦରେ ଓ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ।