Skip to content

ପ୍ରେରିତ 12

12
କାରାଗାରରୁ ପିତରଙ୍କ ଆଶ୍ଚର୍ଯ୍ୟଜନକ ମୁକ୍ତି
1ପ୍ରାୟ ଏହି ସମୟରେ ରାଜା ହେରୋଦ ମଣ୍ଡଳୀର, କେତେ ଜଣଙ୍କୁ ନିର୍ଯ୍ୟାତିତ କରିବା ଅଭିପ୍ରାୟରେ ଗିରଫ କଲେ। 2ସେ ଯୋହନଙ୍କ ଭାଇ ଯାକୁବଙ୍କୁ, ଖଡ଼୍‌ଗରେ ବଧ କରାଇଲେ। 3ଯିହୁଦୀମାନେ ଏଥିରେ ସନ୍ତୁଷ୍ଟ ହେବା ଦେଖି, ସେ ପିତରଙ୍କୁ ମଧ୍ୟ ଧରିବାକୁ ଆଗଭର ହେଲେ। ସେତେବେଳେ ଖମିରଶୂନ୍ୟରୋଟୀର ପର୍ବ ଥିଲା। 4ଗିରଫ କଲାପରେ, ସେ ତାଙ୍କୁ କାରାଗାରରେ ରଖିଲେ, ଏବଂ ପ୍ରତି ଦଳରେ ଚାରି ଜଣ ସୈନିକ ଥିବା ଚାରୋଟି ସେନାଦଳକୁ ଜଗିବା ଦାୟିତ୍ଵ ଦେଲେ। ନିସ୍ତାର ପର୍ବ ଉତ୍ତାରେ ସର୍ବସାଧାରଣରେ ତାଙ୍କର ବିଚାର କରିବାକୁ ହେରୋଦ ସଂକଳ୍ପ କରିଥିଲେ।
5ଏହିରୂପେ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ମଣ୍ଡଳୀର ଲୋକମାନେ ତାଙ୍କ ନିମନ୍ତେ ଆନ୍ତରିକଭାବେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।
6ଯେଉଁଦିନ ହେରୋଦ ବିଚାର ପାଇଁ ପିତରଙ୍କୁ ବାହାର କରିଥାଆନ୍ତେ, ତାହାର ପୂର୍ବ ରାତ୍ରିରେ ସେ ଦୁଇଟି ଶିକୁଳିରେ ବନ୍ଧା ହୋଇ, ଦୁଇଜଣ ସୈନିକ ମଝିରେ ଶୋଇଥିଲେ, ଏବଂ ପ୍ରହରୀମାନେ ପ୍ରବେଶ ଦ୍ଵାର ନିକଟରେ ପହରା ଦେଉଥିଲେ। 7ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆବିର୍ଭୂତ ହେଲେ ଏବଂ କାରାକକ୍ଷଟି ଆଲୋକମୟ ହୋଇଗଲା। ସେ ପିତରଙ୍କ ପାର୍ଶ୍ୱଦେଶରେ ମାରି ନିଦରୁ ଉଠାଇଲେ। ସେ କହିଲେ, “ଶୀଘ୍ର, ଉଠିପଡ଼!” ପିତରଙ୍କ ହାତରୁ ଶିକୁଳି ଖସି ପଡ଼ିଲା।
8ତତ୍ପରେ ସ୍ଵର୍ଗଦୂତ ତାଙ୍କୁ କହିଲେ, “ତୁମର ଲୁଗା ଓ ପାଦୁକା ପିନ୍ଧ।” ପିତର ସେପରି କଲେ। ଦୂତ କହିଲେ, “ତୁମର ଚାଦର ଘୋଡ଼ାଇ ମୋ ପଛେ ପଛେ ଆସ।” 9ପିତର ତାଙ୍କ ପଛେ ପଛେ କାରାଗାରରୁ ବାହାରକୁ ଚାଲିଗଲେ, ଦୂତ ଯାହା କରୁଥିଲେ ତାହା ଯେ ବାସ୍ତବରେ ଘଟୁଥିଲା ଏ ବିଷୟରେ ପିତରଙ୍କ ଧାରଣା ନ ଥିଲା; ସେ ଏକ ଦିବ୍ୟଦର୍ଶନ ଦେଖୁଛନ୍ତି ବୋଲି ଭାବୁଥିଲେ। 10ସେମାନେ ପ୍ରଥମ ଓ ଦ୍ୱିତୀୟ ପହରା ସ୍ଥାନ ଅତିକ୍ରମ କରି ନଗରକୁ ଯିବା ପାଇଁ ଯେଉଁ ଲୁହା ଫାଟକ ଥିଲା ତା ନିକଟରେ ପହଞ୍ଚିଲେ। ତାହା ସେମାନଙ୍କ ପାଇଁ ଆପେ ଆପେ ଖୋଲିଗଲା, ଏବଂ ସେମାନେ ସେହିବାଟେ ଚାଲିଗଲେ। ସେମାନେ ଯେତେବେଳେ ଚାଲି ଚାଲି ଗୋଟିଏ ରାସ୍ତାର ଶେଷ ମୁଣ୍ଡରେ ପହଞ୍ଚିଲେ, ଦୂତ ପିତରଙ୍କୁ ଛାଡ଼ି ହଠାତ୍ ଅଦୃଶ୍ୟ ହେଲେ।
11ସେତେବେଳେ ପିତରଙ୍କ ଚେତନା ପଶିଲା ଓ ସେ କହିଲେ, “ଏବେ ମୁଁ ନିଃସନ୍ଦେହରେ ଜାଣୁଛି ଯେ ପ୍ରଭୁ ଆପଣା ଦୂତଙ୍କୁ ପଠାଇ ମୋତେ ହେରୋଦଙ୍କ କରକବଳରୁ ଏବଂ ଯିହୁଦୀମାନଙ୍କର ସମସ୍ତ ଅଭିସନ୍ଧିରୁ ଉଦ୍ଧାର କରିଛନ୍ତି।”
12ଏହା ଯେତେବେଳେ ତାଙ୍କ ଚେତନାରେ ପଶିଲା, ସେତେବେଳେ ସେ ମାର୍କ ନାମରେ ପରିଚିତ, ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ, ସେଠାରେ ଅନେକ ଲୋକ ସମବେତ ହୋଇ ପ୍ରାର୍ଥନା କରୁଥିଲେ। 13ପିତର ବାହାର କବାଟରେ ଠକ୍ ଠକ୍ ଆଘାତ କଲେ, ଏବଂ ରୋଦା ନାମ୍ନୀ ଜଣେ ଦାସୀ କିଏ ବୋଲି ପଚାରିବାକୁ ଆସିଲା। 14ସେ ପିତରଙ୍କ ସ୍ଵର ବାରି, ଏତେ ଆନନ୍ଦିତ ହେଲା ଯେ କବାଟ ନ ଖୋଲି ଭିତରକୁ ଦୌଡ଼ିଗଲା ଓ କହିଲା, “କବାଟ ପାଖେ ପିତର ଠିଆ ହୋଇଛନ୍ତି!”
15ସେମାନେ ତାକୁ କହିଲେ, “ତୋର ମୁଣ୍ଡ ଖରାପ ହେଲାଣି।” ସେ ଦୃଢ଼ତା ସହ ବାରମ୍ୱାର କହିବାରୁ, ସେମାନେ କହିଲେ, “ଏ ନିଶ୍ଚୟ ତାଙ୍କର ଦୂତ!”
16କିନ୍ତୁ ପିତର ଦ୍ଵାରରେ ମାରିବାକୁ ଲାଗିଲେ, ଏବଂ ସେମାନେ ଯେତେବେଳେ କବାଟ ଖୋଲି ତାଙ୍କୁ ଦେଖିଲେ, ଆଚମ୍ବିତ ହେଲେ। 17ହାତଠାରି ସେ ସେମାନଙ୍କୁ ନୀରବ ରହିବାକୁ କହିଲେ ଏବଂ ପ୍ରଭୁ କିପରି ତାଙ୍କୁ ବନ୍ଦୀଶାଳାରୁ ମୁକୁଳାଇ ଆଣିଲେ, ତାହା ବର୍ଣ୍ଣନା କଲେ। “ଯାକୁବ ଓ ଭାଇମାନଙ୍କୁ ଏହିସବୁ କଥା ଜଣାଅ,” ଏହା କହି ପିତର ଅନ୍ୟତ୍ର ଚାଲିଗଲେ।
18ସକାଳ ହେବା ପରେ, ସୈନିକମାନଙ୍କ ମଧ୍ୟରେ ମହା ଚହଳ ପଡ଼ିଲା ସେମାନେ ପଚାରିଲେ ପିତର ଗଲେ କୁଆଡ଼େ। 19ହେରୋଦ ତନ୍ନ ତନ୍ନ କରି ପିତରଙ୍କୁ ଖୋଜାଖୋଜି କରାଇବା ପରେ ନ ପାଇବାରୁ, ପ୍ରହରୀମାନଙ୍କୁ ଜେରା କଲେ ଏବଂ ସେମାନଙ୍କୁ ପ୍ରାଣଦଣ୍ଡ ଦେବାକୁ ଆଦେଶ ଦେଲେ।
ହେରୋଦଙ୍କ ମୃତ୍ୟୁ
ଏହାପରେ ହେରୋଦ ଯିହୁଦାରୁ କାଇସରିଆକୁ ଯାଇ ସେଠାରେ କିଛିକାଳ ରହିଲେ। 20ସୋର ଓ ସୀଦୋନର ଲୋକମାନଙ୍କ ସଙ୍ଗେ ତାଙ୍କର ବିବାଦ ଥିଲା; ତେଣୁ ସେମାନେ ଏକାଠି ହୋଇ ତାଙ୍କ ସଙ୍ଗେ ସାକ୍ଷାତ୍ କରିବାକୁ ଇଚ୍ଛା କଲେ। ସେମାନେ ରାଜାଙ୍କର ବିଶ୍ୱସ୍ତ ଗୃହାଧ୍ୟକ୍ଷ, ବ୍ଲାଷ୍ଟସ୍‌ଙ୍କର ସାହାଯ୍ୟ ଲାଭକରି, ଶାନ୍ତି ସ୍ଥାପନ ପାଇଁ ବିନତି କଲେ, କାରଣ ଖାଦ୍ୟସାମଗ୍ରୀ ପାଇଁ ସେମାନେ ରାଜାଙ୍କ ଦେଶ ଉପରେ ନିର୍ଭର କରୁଥିଲେ।
21ନିରୂପିତ ଦିବସରେ ହେରୋଦ, ରାଜବସନ ପରିଧାନ କରି, ନିଜ ସିଂହାସନରେ ବସି ଲୋକମାନଙ୍କୁ ଏକ ଭାଷଣ ଦେଲେ। 22ସେମାନେ ଚିତ୍କାର କରି କହିଲେ, “ଏ ତ ଦେବତାଙ୍କ ସ୍ଵର, ମନୁଷ୍ୟର ସ୍ଵର ନୁହେଁ।” 23ତତ୍‌କ୍ଷଣାତ, ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ସେ କୃମିକୀଟ ଦ୍ଵାରା ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଲେ।
24କିନ୍ତୁ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ପ୍ରସାର ଲାଭ କଲା।
25ବର୍ଣ୍ଣବା ଓ ଶାଉଲ ସେମାନଙ୍କର ସେବାକାର୍ଯ୍ୟ ଶେଷ କଲାପରେ, ଯିରୂଶାଲମରୁ ଫେରିଗଲେ, ଏବଂ ମାର୍କ ନାମରେ ପରିଚିତ ଯୋହନଙ୍କୁ ସଙ୍ଗରେ ନେଇଗଲେ।