Skip to content

ପ୍ରେରିତ 11

11
ଯିରୂଶାଲମ ମଣ୍ଡଳୀରେ ପିତର
1ଅଣଯିହୁଦୀମାନେ ମଧ୍ୟ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ଏହା ପ୍ରେରିତ ଶିଷ୍ୟମାନେ ଓ ଯିହୁଦା ପ୍ରଦେଶରେ ସର୍ବତ୍ର ବିଶ୍ୱାସୀ ଭାଇମାନେ ଶୁଣିଲେ। 2ତେଣୁ ପିତର ଯେତେବେଳେ ଯିରୂଶାଲମକୁ ଗଲେ, ସୁନ୍ନତ ବିଶ୍ୱାସୀମାନେ ତାଙ୍କର ସମାଲୋଚନା କଲେ 3ସେମାନେ କହିଲେ, “ତୁମେ ଅସୁନ୍ନତ ଲୋକଙ୍କ ଘରକୁ ଗଲ ଓ ସେମାନଙ୍କ ସଙ୍ଗେ ଭୋଜନ କଲ।”
4ତହୁଁ ଠିକ ଯେପରି ଘଟିଥିଲା, ସେହିପରି ସବୁ କଥା ସେମାନଙ୍କୁ ବୁଝାଇବାକୁ ଆରମ୍ଭ କରି ପିତର କହିଲେ: 5“ମୁଁ ଯୋପ୍‌ପା ନଗରରେ ପ୍ରାର୍ଥନା କରୁଥିଲି, ଓ ଭାବାବିଷ୍ଟ ହୋଇ ଏକ ଦିବ୍ୟଦର୍ଶନ ପାଇଲି। ମୁଁ ଦେଖିଲି ଗୋଟାଏ ବଡ଼ ଚାଦର ଭଳି ଆଧାର ଚାରି କୋଣରେ ଧରା ହୋଇ ଆକାଶରୁ ଓହ୍ଲାଇ ଦିଆଯାଉଛି, ଓ ତାହା ମୋ ନିକଟକୁ ଆସିଲା। 6ମୁଁ ଚାହିଁ ତା ମଧ୍ୟରେ ପୃଥିବୀର ଚତୁଷ୍ପଦ ପଶୁ, ବନ୍ୟଜନ୍ତୁ, ସରୀସୃପ ଓ ଆକାଶର ପକ୍ଷୀମାନଙ୍କୁ ଦେଖିଲି। 7ତା ପରେ ମୋ ପ୍ରତି ଏହି ବାଣୀ ହେଲା, ‘ପିତର, ଉଠ, ମାର ଓ ଖାଅ।’
8“ମୁଁ ଉତ୍ତର ଦେଲି, ‘କଦାପି ନୁହେଁ, ପ୍ରଭୁ! କୌଣସି ଅପବିତ୍ର କି ଅଶୁଚି ପଦାର୍ଥ ମୋ ମୁଖରେ କେବେହେଲେ ପ୍ରବେଶ କରି ନାହିଁ।’
9“ଦ୍ୱିତୀୟ ଥର ଆକାଶରୁ ଏହିପରି ବାଣୀ ହେଲା, ‘ଈଶ୍ୱର ଯାହା ଶୁଚି କରିଛନ୍ତି ତାହାକୁ ଅପବିତ୍ର ବୋଲି କୁହ ନାହିଁ।’ 10ତିନିଥର ଏହିପ୍ରକାର ଘଟିବା ପରେ, ସେହି ସମସ୍ତ ଆକାଶକୁ ଉଠାଇ ନିଆଗଲା।
11“ଠିକ ସେତିକିବେଳେ କାଇସରିଆରୁ ମୋ ନିକଟକୁ ପ୍ରେରିତ ତିନ ଜଣ ଲୋକ ଆସି ମୁଁ ରହୁଥିବା ଗୃହ ସମ୍ମୁଖରେ ପହଞ୍ଚିଲେ। 12ବିନା ଦ୍ୱିଧାରେ ସେମାନଙ୍କ ସଙ୍ଗେ ଯିବା ପାଇଁ ଆତ୍ମା ମୋତେ କହିଲେ। ଏହି ଛଅ ଜଣ ଭାଇ ମଧ୍ୟ ମୋ ସଙ୍ଗେ ଗଲେ, ଏବଂ ଆମେ ସେହି ବ୍ୟକ୍ତିଙ୍କର ଘରେ ପ୍ରବେଶ କଲୁ। 13ସେ ଆମକୁ କହିଲେ କିପରି ତାଙ୍କ ଗୃହରେ ସେ ଜଣେ ସ୍ଵର୍ଗଦୂତଙ୍କୁ ଆବିର୍ଭୂତ ହେବାର ଦେଖିଲେ ଏବଂ ସେ ତାଙ୍କୁ ଏହି କଥା କହିଲେ, ‘ଯୋପ୍‌ପାକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଡକାଇ ଆଣ। 14ସେ ତୁମ ପାଇଁ ବାର୍ତ୍ତା ଆଣିବେ ଯଦ୍ଦ୍ୱାରା ତୁମେ ଓ ତୁମ ପରିବାରର ସମସ୍ତେ ପରିତ୍ରାଣ ପାଇବ।’
15“ମୁଁ କଥା କହିବାକୁ ଆରମ୍ଭ କରନ୍ତେ, ପବିତ୍ରଆତ୍ମା ଆମ ଉପରେ ଯେପରି ପ୍ରଥମେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ଉପରେ ଠିକ ସେହିପରି ଅବତୀର୍ଣ୍ଣ ହେଲେ। 16ସେତେବେଳେ ପ୍ରଭୁ କହିଥିବା ଏହି କଥା ମୋର ମନେ ପଡ଼ିଲା: ‘ଯୋହନ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ଡୁବିତ ହେବ।’ 17ଅତଏବ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ଵାରା ଈଶ୍ୱର ଆମକୁ ଯେଉଁ ଦାନ ଦେଲେ, ସେମାନଙ୍କୁ ମଧ୍ୟ ସେ ଯଦି ସେହି ସମାନ ଦାନ ଦେଲେ ତେବେ ମୁଁ ଅବା କିଏ ଯେ ଈଶ୍ୱରଙ୍କ ପ୍ରତିରୋଧ କରିପାରି ଥାଆନ୍ତି।”
18ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନଙ୍କର ଆଉ କୌଣସି ଆପତ୍ତି ରହିଲା ନାହିଁ ବରଂ ସେମାନେ ଈଶ୍ୱରଙ୍କ ସ୍ତୁତିବାଦ କରି କହିଲେ, “ତା ହେଲେ, ଈଶ୍ୱର ଅଣଯିହୁଦୀମାନଙ୍କୁ ମଧ୍ୟ ଜୀବନଲାଭ କରିବାକୁ ଅନୁତାପର ଦାନ ଦେଇଛନ୍ତି।”
ଆଣ୍ଟିୟୋଖରେ ମଣ୍ଡଳୀ
19ସ୍ତିଫାନଙ୍କ ସକାଶେ ଯେଉଁ ନିର୍ଯ୍ୟାତନା ଆସିଲା ସେଥିଯୋଗୁଁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ ସେମାନେ ଫିନିସିଆ, ସାଇପ୍ରସ୍ ଓ ଆଣ୍ଟିୟୋଖ ଯାତ୍ରା କରି, ବାକ୍ୟ ପ୍ରଚାର କଲେ କିନ୍ତୁ କେବଳ ଯିହୁଦୀମାନଙ୍କ ନିକଟରେ ପ୍ରଚାର କଲେ। 20ତଥାପି ସେମାନଙ୍କ ମଧ୍ୟରୁ, ସାଇପ୍ରସ୍ ଓ ସାଇରିନିର କେତେକ ଲୋକ, ଆଣ୍ଟିୟୋଖକୁ ଯାଇ ଗ୍ରୀକ ମାନଙ୍କ ନିକଟରେ ମଧ୍ୟ, ପ୍ରଭୁ ଯୀଶୁଙ୍କର ଶୁଭବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ। 21ପ୍ରଭୁଙ୍କର ହସ୍ତ ସେମାନଙ୍କ ସହାୟ ଥିଲା, ଏବଂ ବହୁସଂଖ୍ୟକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ନିକଟକୁ ଆସିଲେ।
22ଏହି ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ଏବଂ ସେମାନେ ବର୍ଣ୍ଣବାଙ୍କୁ ଆଣ୍ଟିୟୋଖକୁ ପଠାଇଲେ। 23ସେଠାରେ ପହଞ୍ଚି ସେ ଈଶ୍ୱରଙ୍କ ଅନୁଗ୍ରହ ଦେଖି, ଆନନ୍ଦିତ ହେଲେ ଏବଂ ସର୍ବାନ୍ତକରଣରେ ପ୍ରଭୁଙ୍କ ପ୍ରତି ଅନୁରକ୍ତ ରହିବାକୁ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କଲେ। 24ବର୍ଣ୍ଣବା ଜଣେ ଉତ୍ତମ ବ୍ୟକ୍ତି ଓ ପବିତ୍ରଆତ୍ମରେ ଏବଂ ବିଶ୍ୱାସରେ ପୂର୍ଣ୍ଣ ଥିଲେ, ପୁଣି ବହୁସଂଖ୍ୟକ ଲୋକ ତାଙ୍କ ଦ୍ଵାରା ପ୍ରଭୁଙ୍କ ନିକଟକୁ ଆସିଲେ।
25ଏହାପରେ ବର୍ଣ୍ଣବା ଶାଉଲଙ୍କ ସନ୍ଧାନରେ ତାର୍ଷସ୍‌କୁ ଗଲେ, 26ସେ ତାଙ୍କର ଦେଖା ପାଇ, ତାଙ୍କୁ ଆଣ୍ଟିୟୋଖକୁ ନେଇ ଆସିଲେ। ତେଣୁ ପୂରା ବର୍ଷେ କାଳ ବର୍ଣ୍ଣବା ଓ ଶାଉଲ ମଣ୍ଡଳୀ ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ। ଏହି ଆଣ୍ଟିୟୋଖରେ ହିଁ ଶିଷ୍ୟମାନେ ପ୍ରଥମେ ଖ୍ରୀଷ୍ଟିୟାନ ବୋଲି ପରିଚିତ ହେଲେ।
27ଏହି ସମୟରେ ଯିରୂଶାଲମରୁ କେତେଜଣ ଭାବବାଦୀ ଆଣ୍ଟିୟୋଖକୁ ଆସିଲେ। 28ସେମାନଙ୍କ ମଧ୍ୟରୁ, ଆଗାବସ୍ ନାମକଜଣେ, ଠିଆ ହୋଇ ଆତ୍ମାଙ୍କ ଦ୍ଵାରା ଭବିଷ୍ୟଦ୍‌ବାଣୀ କହିଲେ ଯେ ସମଗ୍ର ରୋମୀୟ ସାମ୍ରାଜ୍ୟରେ ଘୋର ଦୁର୍ଭିକ୍ଷ ପଡ଼ିବ। (ଏହା କ୍ଲଉଦିଅସ୍ ଙ୍କ ରାଜତ୍ଵକାଳରେ ଘଟିଥିଲା।) 29ତେଣୁ ଶିଷ୍ୟମାନେ, ପ୍ରତ୍ୟେକେ ନିଜର ଶକ୍ତି ଅନୁସାରେ, ଯିହୁଦା ଦେଶରେ ବାସ କରୁଥିବା ଭାଇମାନଙ୍କୁ ସାହାଯ୍ୟ ଯୋଗାଇବାକୁ ମନସ୍ଥ କଲେ। 30ସେମାନେ ତାହା କଲେ, ଏବଂ ସେମାନଙ୍କର ଦାନସମୂହ ବର୍ଣ୍ଣବା ଓ ଶାଉଲଙ୍କ ହାତରେ ମଣ୍ଡଳୀର ମୁଖ୍ୟମାନଙ୍କ ନିକଟକୁ ପଠାଇଲେ।