Bible App logo
Search Icon

ବିଚାରକର୍ତ୍ତା 2

2
ବୋଖୀମଠାରେ ସଦାପ୍ରଭୁଙ୍କ ଦୂତ
1ଅନନ୍ତର ସଦାପ୍ରଭୁଙ୍କ ଦୂତ ଗିଲ୍ଗଲ୍ରୁ ବୋଖୀମକୁ ଆସିଲେ, ଆଉ ସେ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ମିସରରୁ ଆଣିଲୁ ଓ ଯେଉଁ ଦେଶ ଦେବା ପାଇଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲୁ, ସେଠାକୁ ତୁମ୍ଭମାନଙ୍କୁ ଆଣିଅଛୁ; ପୁଣି ଆମ୍ଭେ କହିଲୁ, ଆମ୍ଭେ ତୁମ୍ଭମାନଙ୍କ ସହିତ ଆପଣା ନିୟମ ଅନନ୍ତକାଳ ପର୍ଯ୍ୟନ୍ତ ଲଙ୍ଘନ କରିବା ନାହିଁ।
2ଆଉ ତୁମ୍ଭେମାନେ ଏହି ଦେଶ-ନିବାସୀମାନଙ୍କ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭାଙ୍ଗି ପକାଇବ; ମାତ୍ର ତୁମ୍ଭେମାନେ ଆମ୍ଭ ରବ ଶୁଣି ନାହଁ, କିହେତୁ ତୁମ୍ଭେମାନେ ଏହି କର୍ମ କରିଅଛ?
3ଏଥିପାଇଁ ଆମ୍ଭେ ମଧ୍ୟ କହିଲୁ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ; ମାତ୍ର ସେମାନେ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ଵରୂପ ଓ ସେମାନଙ୍କ ଦେବତାମାନେ ତୁମ୍ଭମାନଙ୍କ ପ୍ରତି ଫାନ୍ଦ ସ୍ଵରୂପ ହେବେ।
4ଯେତେବେଳେ ସଦାପ୍ରଭୁଙ୍କ ଦୂତ ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ, ସେତେବେଳେ ଲୋକମାନେ ରବ ଉଠାଇ ରୋଦନ କଲେ।
5ଏ ନିମନ୍ତେ ସେମାନେ ସେହି ସ୍ଥାନର ନାମ ବୋଖୀମ୍ (ରୋଦନକାରୀ) ରଖିଲେ; ପୁଣି ସେମାନେ ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
ଯିହୋଶୂୟଙ୍କ ମୃତ୍ୟୁ
6ଯିହୋଶୂୟ ଆପଣା ନିକଟରୁ ଲୋକମାନଙ୍କୁ ବିଦାୟ କଲା ଉତ୍ତାରେ ଇସ୍ରାଏଲ-ସନ୍ତାନମାନଙ୍କର ପ୍ରତ୍ୟେକେ ଅଧିକାର କରିବା ନିମନ୍ତେ ଆପଣା ଆପଣା ଦେଶକୁ ଗଲେ।
7ଯିହୋଶୂୟଙ୍କର ଜୀବନଯାଏ ଓ ଯେଉଁ ପ୍ରାଚୀନମାନେ ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କ କୃତ ସମସ୍ତ ମହତ କର୍ମ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଯିହୋଶୂୟଙ୍କ ଉତ୍ତାରେ ଜୀବିତ ଥିଲେ, ସେମାନଙ୍କ ଜୀବନଯାଏ ଲୋକମାନେ ସଦାପ୍ରଭୁଙ୍କ ସେବା କଲେ।
8ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
9ତହୁଁ ଲୋକମାନେ ଗାଶ୍-ପର୍ବତର ଉତ୍ତର ପାର୍ଶ୍ଵରେ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନତ୍-ହେରସରେ ତାଙ୍କର ଅଧିକାର-ସୀମା ମଧ୍ୟରେ ତାଙ୍କୁ କବର ଦେଲେ।
10ପୁଣି ସେହି କାଳର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଜ୍ଞାତ ନୋହିଲେ, କି ଇସ୍ରାଏଲ ପକ୍ଷରେ ତାହାଙ୍କର କୃତକର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।
ଇସ୍ରାଏଲର ଅବିଶ୍ଵସ୍ତତତା
11ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍ ଦେବତାଗଣର ସେବା କଲେ।
12ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ଵରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।
13ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍ ଦେବ ଓ ଅଷ୍ଟାରୋତ୍ ଦେବୀଗଣର ସେବା କଲେ।
14ତହିଁରେ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ।
15ସଦାପ୍ରଭୁ ଯେରୂପ କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେରୂପ ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ, ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ପ୍ରତିକୂଳ ହେଲାନ୍ତଏହିରୂପେ ସେମାନେ ଭାରୀ କ୍ଳେଶରେ ପଡ଼ିଲେ।
ବିଚାରକର୍ତ୍ତୃଗଣ
16ତହୁଁ ସଦାପ୍ରଭୁ ବିଚାରକର୍ତ୍ତୃଗଣଙ୍କୁ ଉତ୍ପନ୍ନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
17ତଥାପି ସେମାନେ ଆପଣାମାନଙ୍କ ବିଚାରକର୍ତ୍ତା-ମାନଙ୍କ କଥା ଶୁଣିଲେ ନାହିଁ, ମାତ୍ର ଅନ୍ୟ ଦେବତାଗଣର ଅନୁଗମନ କରି ବ୍ୟଭିଚାର କଲେ ଓ ସେମାନଙ୍କୁ ପ୍ରଣାମ କଲେ; ସେମାନଙ୍କର ପିତୃଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ଯେଉଁ ପଥରେ ଗମନ କଲେ, ସେମାନେ ତଦନୁସାରେ ନ କରି ସେହି ପଥରୁ ଶୀଘ୍ର ବିମୁଖ ହେଲେ।
18ଆଉ ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ କୌଣସି ବିଚାରକର୍ତ୍ତାକୁ ଉତ୍ପନ୍ନ କଲେ, ସେତେବେଳେ ସେହି ବିଚାରକର୍ତ୍ତାର ଜୀବନଯାଏ ସଦାପ୍ରଭୁ ତାହାର ସଙ୍ଗେ ସଙ୍ଗେ ଥାଇ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରୁ ଉଦ୍ଧାର କଲେ; କାରଣ ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ।
19ମାତ୍ର ସେ ବିଚାରକର୍ତ୍ତାର ମୃତ୍ୟୁ ହୁଅନ୍ତେ, ସେମାନେ ପୁନର୍ବାର ଫେରି ସେମାନଙ୍କ ପିତୃଲୋକଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଚରଣ କଲେ ଓ ଅନ୍ୟ ଦେବତାଗଣର ସେବା କରି ଓ ସେମାନଙ୍କୁ ପ୍ରଣାମ କରି ସେମାନଙ୍କର ଅନୁଗାମୀ ହେଲେ; ସେମାନେ ଆପଣା ଆପଣା କ୍ରିୟାରୁ ଓ ଅବାଧ୍ୟତା-ମାର୍ଗରୁ କ୍ଷା; ହେଲେ ନାହିଁ।
20ଏହେତୁ ଇସ୍ରାଏଲ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା; ପୁଣି ସେ କହିଲେ, ଆମ୍ଭେ ଏହି ଲୋକମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ଏମାନେ ଲଘଂନ କରିଅଛନ୍ତି ଓ ଆମ୍ଭର ରବ ଶୁଣୁ ନାହାନ୍ତି।
21ଏହେତୁ ଯିହୋଶୂୟ ମରଣ କାଳରେ ଯେଉଁ ଗୋଷ୍ଠୀୟମାନଙ୍କୁ ଅବଶିଷ୍ଟ ରଖିଲା, ଆମ୍ଭେ ମଧ୍ୟ ସେମାନଙ୍କୁ ଏମାନଙ୍କ ସମ୍ମୁଖରୁ ଅଦ୍ୟାବଧି ଆଉ ତଡ଼ିଦେବା ନାହିଁ;
22ଯେପରି ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ମାର୍ଗ ରକ୍ଷା କରିଥିଲେ, ସେପରି ଏମାନେ ତହିଁରେ ଗମନ କରି ତାହା ରକ୍ଷା କରିବେ କି ନାହିଁ , ଏ ବିଷୟରେ ସେହି ଗୋଷ୍ଠୀୟମାନଙ୍କ ଦ୍ଵାରା ଆମ୍ଭେ ଇସ୍ରାଏଲକୁ ପରୀକ୍ଷା କରିବା।
23ଏଥିପାଇଁ ସଦାପ୍ରଭୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଶୀଘ୍ର ତଡ଼ି ନ ଦେଇ ଅବା ଯିହୋଶୂୟଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ ନ କରି ଅବଶିଷ୍ଟ ରଖିଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ବିଚାରକର୍ତ୍ତା 2