Bible App logo
Search Icon

ବିଚାରକର୍ତ୍ତା 1

1
କିଣାନ ଅଧିକୃତ ଅବ୍ୟାହତ
1ଯିହୋଶୂୟଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିଣାନୀୟ- ମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ?
2ତହୁଁ ସଦାପ୍ରଭୁ କହିଲେ, ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।
3ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା। ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା।
4ଏଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ; କିଣାନୀୟ ଓ ପିରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ।
5ପୁଣି ସେମାନେ ବେଷକରେ ଅଦୋନୀବେଷକକୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ।
6ମାତ୍ର ଅଦୋନୀବେଷକ୍ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଓ ତାହାର ହସ୍ତପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ।
7ଏଥିରେ ଅଦୋନୀବେଷକ କହିଲା, ହସ୍ତପାଦର ଛିନ୍ନବୃଦ୍ଧାଙ୍ଗୁଳି ତିନି କୋଡ଼ି ଦଶ ରାଜା ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ଵର ସେପରି ମୋତେ ପ୍ରତିଫଳ ଦେଲେ। ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।
8ଅନନ୍ତର ଯିହୁଦା-ସନ୍ତାନମାନେ ଯିରୂଶାଲମ ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼୍‍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ।
9ଏଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ।
10ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥର୍ବ ଥିଲା।
11ଆଉ ସେ ସେଠାରୁ ଦବୀର-ନିବାସୀମାନଙ୍କ ପ୍ରତିକୂଳରେ ଗଲା। ପୂର୍ବେ ଏହି ଦବୀରର ନାମ କିରୀୟଥ୍-ସେଫର ଥିଲା।
12ପୁଣି କାଲେବ୍ କହିଲେ, ଯେ କିରୀୟଥ୍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋʼ କନ୍ୟା ଅକ୍ଷାର ବିବାହ ଦେବି।
13ଏଥିରେ କାଲେବ୍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅନିୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟାର ବିବାହ ଦେଲେ।
14ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ।
15ତହୁଁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇ ଅଛନ୍ତି, ମଧ୍ୟ ଜଳନିର୍ଝର ମୋତେ ଦେଉନ୍ତୁ; ତହିଁରେ କାଲେବ୍ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।ଆଦି.୩୩:୧୧
16ଅନନ୍ତର ମୋଶାଙ୍କର ପନିୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠି ଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ।
17ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍ବାସୀ କିଣାନୀୟମାନଙ୍କୁ ଆଘାତ କରି; ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା।
18ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା।
19ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ-ରଥ ଥିଲା।
20ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବ୍ଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେ ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।
21ବିନ୍ୟାମୀନ-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜିଯାଏ ବିନ୍ୟାମୀନ-ସନ୍ତାନଗଣ ସହିତ ବାସ କରୁଅଛନ୍ତି।
22ଅନନ୍ତର ଯୋଷେଫ-ବଂଶ ମଧ୍ୟ ବୈଥେଲ୍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ।
23ସେତେବେଳେ ଯୋଷେଫ-ବଂଶ ବୈଥେଲ୍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍ଥିଲା।
24ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶିବାର ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ସଦୟ ବ୍ୟବହାର କରିବା।
25ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ, ସେମାନେ ଖଡ଼୍‍ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।
26ଏଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା; ତହିଁର ସେହି ନାମ ଆଜିଯାଏ ଅଛି।
ସମ୍ପୂର୍ଣ୍ଣ ବିଜୟର ବିଫଳତା
27ଆଉ ମନଃଶି, ବୈଥ୍ସାନ୍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ ।
28ଏଉତ୍ତାରେ ଇସ୍ରାଏଲ ପରାକ୍ରା; ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ି ଦେଲେ ନାହିଁ।
29ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ।
30ସବୂଲୂନ୍ କିଟ୍ରୋଣ ଓ ନହଲୋଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠି କର୍ମ କଲେ।
31ଆଶେର୍ ଅକ୍କୋ-ନିବାସୀମାନଙ୍କୁ କିଅବା ସୀଦୋନ୍ କି ଅହଲବ୍ ଓ ଅକ୍ଷୀବ୍ କି ହିଲବା କି ଅଫିକ୍ କି ରହୋବ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ।
32ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ।
33ନପ୍ତାଲି ବୈଥ୍-ଶେମଶ କି ବୈଥ୍ନାତ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବୈଥ୍-ଶେମଶ ଓ ବୈଥ୍ନାତ-ନିବାସୀମାନେ ସେମାନଙ୍କର ବେଠି କର୍ମ କଲେ।
34ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ।
35ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠି କର୍ମ କଲେ।
36ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ବିଚାରକର୍ତ୍ତା 1