ବିଚାରକର୍ତ୍ତା 3
3
1ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନ-ଦେଶୀୟ ଯୁଦ୍ଧସକଳ ଜାଣି ନ ଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ
2ଓ ଇସ୍ରାଏଲ-ସନ୍ତାନଗଣର ପୁରୁଷ-ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍, ଯେଉଁମାନେ ଆଗେ ଯୁଦ୍ଧ ଜାଣି ନ ଥିଲେ, ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା,
3ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ୍ହର୍ମୋନ୍ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ୍ ପର୍ବତ-ନିବାସୀ ସମସ୍ତ କିଣାନୀୟ ଓ ସୀଦୋନୀୟ ଓ ହିବ୍ବୀୟ ଲୋକ।
4ଏମାନଙ୍କ ଦ୍ଵାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍, ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଶାଙ୍କ ଦ୍ଵାରା ଯେ ଯେ ଆଜ୍ଞା ଆଦେଶ କରିଥିଲେ, ତାହାସବୁ ସେମାନେ ଶୁଣିବେ କି ନାହିଁ, ଏହା ଜାଣିବା ନିମନ୍ତେ, ଅବଶିଷ୍ଟ ରଖାଗଲେ।
5ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
6ପୁଣି ସେମାନେ ସେମାନଙ୍କ କନ୍ୟାଗଣକୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣକୁ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ।
ଅନିୀୟେଲ
7ଅନନ୍ତର ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କୁ ପାସୋରି ବାଲ୍- ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ।
8ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ଵଳିତ ହୁଅନ୍ତେ, ସେ ଅରାମ-ନହରୟିମର ରାଜା କୂଶନ-ରିଶୀୟାଥୟିମ୍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୂଶନ୍-ରିଶୀୟାଥୟିମ୍ର ସେବା କଲେ।
9ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ପାଇଁ କାଲେବ୍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅନିୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ପନ୍ନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ।
10ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍-ରିଶୀୟାଥୟିମ୍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍-ରିଶୀୟାଥୟିମ୍ ଉପରେ ତାହାର ହସ୍ତ ପ୍ରବଳ ହେଲା।
11ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏ ଉତ୍ତାରେ କନସର ପୁତ୍ର ଅନିୀୟେଲ ମଲା।
ଏହୂଦ
12ଅନନ୍ତର ଇସ୍ରାଏଲ-ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ପ୍ରତିକୂଳରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ।
13ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା।
14ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ।
15ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ। ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ଵାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟୀ ପଠାଇଲେ।
16ତହିଁରେ ଏହୂଦ୍ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ଵିଧାର ଖଡ଼୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ।
17ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଭେଟୀ ନେଲେ; ସେହି ଇଗ୍ଲୋନ୍ ଏକ ମୋଟା ଲୋକ ଥିଲା।
18ଆଉ ସେ ଭେଟୀ ଦେଇ ସାରିଲା ଉତ୍ତାରେ ଭେଟୀ ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ।
19ମାତ୍ର ସେ ଆପେ ଗିଲ୍ଗଲସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍, ଆପଣଙ୍କ ନିକଟରେ ମୋହର ଏକ ଗୁପ୍ତ କଥା ଅଛି। ତେବେ ରାଜା କହିଲା, ତୁନି ହୋଇ ଥାଅ। ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରି ଗଲେ।
20ଏଥିରେ ଏହୂଦ୍ ତାହା ନିକଟକୁ ଗଲେ; ସେତେ-ବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୂଦ କହିଲେ, ଆପଣଙ୍କ ପାଇଁ ପରମେଶ୍ଵରଙ୍କଠାରୁ ଆମ୍ଭର ଏକ କଥା ଅଛି; ତହୁଁ ସେ ଆପଣା ଆସନରୁ ଉଠିଲା।
21ତେବେ ଏହୂଦ୍ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ଼୍ଗ ନେଇ ତାହାର ପେଟ ଭୁସିଲେ;
22ତହିଁରେ ଖଡ଼୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ଼୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ଼୍ଗ ପଛଭାଗରେ ବାହାରିଲା।
23ଏ ଉତ୍ତାରେ ଏହୂଦ୍ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ।
24ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି।
25ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି।
26ମାତ୍ର ସେମାନେ ବିଳମ୍ଵ କରି ରହିବା ବେଳେ ଏହୂଦ୍ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ।
27ପୁଣି ସେ ସ୍ଥାନରେ ପହୁଞ୍ଚି ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ।
28ପୁଣି ସେ ସେମାନଙ୍କୁ କହିଲେ, ମୋʼ ପଛେ ପଛେ ଆସ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ-ମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ତହୁଁ ସେମାନେ ତାଙ୍କ ପଛେ ପଛେ ଚାଲି ମୋୟାବୀୟମାନଙ୍କ ପ୍ରତିକୂଳରେ ଯର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ।
29ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ।
30ଏହିରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା। ତହୁଁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା।
ଶମ୍ଗର
31ଆଉ ତାହାର ଉତ୍ତାରେ ଅନାତର ପୁତ୍ର ଶମ୍ଗର (ବିଚାରକର୍ତ୍ତା) ହେଲେ, ସେ ପଲେଷ୍ଟୀୟ ଛଅ ଶହ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ଵାରା ବଧ କଲେ; ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ ।
Currently Selected:
ବିଚାରକର୍ତ୍ତା 3: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.