ଯିଶାଇୟ 49
49
ସଦାପ୍ରଭୁଙ୍କ ଦାସ
1ହେ ଦ୍ଵୀପସମୂହ, ମୋʼ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ଵାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତିନ୍ତ
2ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ଼୍ଗ ସ୍ଵରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ଵରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି;
3ପୁଣି, ସେ ମୋତେ କହିଲେ, ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ଵାରା ଆମ୍ଭେ ମହିମାନ୍ଵିତ ହେବା।
4ମାତ୍ର ମୁଁ କହିଲି, ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ଵରଙ୍କଠାରେ ଅଛି।
5ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ଵର ମୋହର ବଳ ସ୍ଵରୂପ ହୋଇଅଛନ୍ତିନ୍ତ)
6ଏଣୁ ସେ କହନ୍ତି, ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ଵରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ଵରୂପ ମଧ୍ୟ କରିବା।
7ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ଵରୂପ ସଦାପ୍ରଭୁ ଏହି କଥା କହନ୍ତି, ବିଶ୍ଵାସନୀୟ ଓ ଇସ୍ରାଏଲର ଧର୍ମସ୍ଵରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।
ଇସ୍ରାଏଲର ପୁନଃସ୍ଥାପନ
8ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ଵଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ଵରୂପ ନିଯୁକ୍ତ କରିବା;
9ତୁମ୍ଭେ ବନ୍ଦୀଗଣକୁ ବାହାରି ଯାଅ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
10ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ନୋହିବେ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ-ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ ।
11ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥ ସକଳ ଉଚ୍ଚ କରାଯିବ।
12ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍ ଦେଶରୁ ଆସିବେ।
13ହେ ଆକାଶମଣ୍ତଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ଵରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ଵନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
14ମାତ୍ର ସିୟୋନ କହିଲା, ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରିଅଛନ୍ତି।
15ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
16ଦେଖ, ଆମ୍ଭେ ଆପଣା ହସ୍ତଦ୍ଵୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
17ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁଅଛନ୍ତି, ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉତ୍ସନ୍ନ କଲେ, ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।
18ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।
19କାରଣ ନିଶ୍ଚୟ ଏବେ ତୁମ୍ଭେ, ତୁମ୍ଭ ଉତ୍ସନ୍ନ ଓ ଶୂନ୍ୟ ସ୍ଥାନସକଳ ଓ ତୁମ୍ଭର ନଷ୍ଟ ଦେଶ, ନିବାସୀଗଣ ନିମନ୍ତେ ସଂକୀର୍ଣ୍ଣ ହେବ ଓ ତୁମ୍ଭର ଗ୍ରାସକାରୀମାନେ ଦୂରରେ ରହିବେ।
20ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ମୋʼ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।
21ସେତେବେଳେ ତୁମ୍ଭେ ମନେ ମନେ କହିବ, ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ?
22ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଅନ୍ୟ ଦେଶୀୟ ମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆପଣା ଧ୍ଵଜା ଟେକିବା; ତହିଁରେ ସେମାନେ ତୁମ୍ଭ ପୁତ୍ରଗଣକୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଯିବେ।
23ପୁଣି, ରାଜଗଣ ତୁମ୍ଭର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳନକାରିଣୀ ମାତା ହେବେ; ସେମାନେ ଭୂମିକି ମୁଖ କରି ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ପାଦର ଧୂଳି ଚାଟିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଓ ଆମ୍ଭର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ନୋହିବେ , ଏହା ତୁମ୍ଭେ ଜାଣିବ।
24ବୀରଠାରୁ କି ଲୁଟିତ ଦ୍ରବ୍ୟ ହରଣ କରାଯିବ, ଅବା ନ୍ୟାୟରେ ବନ୍ଦୀକୃତ ଲୋକମାନେ କି ମୁକ୍ତ କରାଯିବେ?
25ମାତ୍ର ସଦାପ୍ରଭୁ ଏହି କଥା କହନ୍ତି, ବୀରର ବନ୍ଦୀକୃତ ଲୋକମାନେ ହିଁ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଟିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭ ବିରୋଧକାରୀର ସଙ୍ଗେ ଆମ୍ଭେ ବିରୋଧ କରିବା ଓ ତୁମ୍ଭ ସନ୍ତାନଗଣକୁ ଆମ୍ଭେ ରକ୍ଷା କରିବା।
26ପୁଣି, ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା ଓ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହେବା ତୁଲ୍ୟ ସେମାନେ ନିଜ ରକ୍ତରେ ମତ୍ତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସର୍ବ ପ୍ରାଣୀ ଜାଣିବେ ।
Currently Selected:
ଯିଶାଇୟ 49: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.