Bible App logo
Search Icon

ଯିଶାଇୟ 50

50
ଇସ୍ରାଏଲର ପାପ ଏବଂ ସଦାପ୍ରଭୁଙ୍କ ଆଜ୍ଞାବହ ଦାସ
1ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ପତ୍ର ଦ୍ଵାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ? ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।
2ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲା? ଆମ୍ଭେ ଡାକିଲା ବେଳେ କାହିଁକି କେହି ଉତ୍ତର ଦେବାକୁ ନ ଥିଲା? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦନଦୀକି ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ।
3ଆମ୍ଭେ ଆକାଶମଣ୍ତଳକୁ କାଳିମା ପିନ୍ଧାଉ ଓ ଚଟବସ୍ତ୍ରକୁ ସେସବୁର ଆଚ୍ଛାଦନ କରୁ।
4ମୁଁ ଯେପରି କ୍ଳା; ଲୋକକୁ ବାକ୍ୟ ଦ୍ଵାରା ସୁସ୍ଥିର କରିପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ଵା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି।
5ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ।
6ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଥୁଥୁରୁ ମୋହର ମୁଖ ଲୁଚାଇ ନାହିଁ ।
7କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ଘାବରା ହୋଇ ନାହିଁ; ଏଥିପାଇଁ ମୁଁ ଚକ୍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।
8ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀନ୍ତ କିଏ ମୋʼ ସଙ୍ଗରେ ବିରୋଧ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ? ସେ ମୋହର ନିକଟକୁ ଆସୁ।
9ଦେଖ, ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ମୋତେ ଦୋଷୀ କରିବ କିଏ? ଦେଖ, ସେସମସ୍ତେ ବସ୍ତ୍ର ପରି ଜୀର୍ଣ୍ଣ ହେବେ; କୀଟ ସେମାନଙ୍କୁ ଗ୍ରାସ କରିବ ।
10ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି? ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ଵାସ କରୁ ଓ ଆପଣା ପରମେଶ୍ଵରଙ୍କ ଉପରେ ନିର୍ଭର ଦେଉ।
11ଅଗ୍ନି ଜ୍ଵଳାଉଅଛ, ଅଗ୍ନିଖୁଣ୍ଟାରେ ଆପଣାମାନଙ୍କୁ ବେଷ୍ଟନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ଦେଖ : ତୁମ୍ଭେମାନେ ଆପଣାମାନଙ୍କ ଅଗ୍ନିଶିଖା ଓ ଆପଣାମାନଙ୍କ ପ୍ରଜ୍ଵଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋʼ ହସ୍ତରୁ ଏହା ତୁମ୍ଭେମାନେ ପାଇବ; ତୁମ୍ଭେମାନେ ଶୋକରେ ଶୟନ କରିବ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in