Bible App logo
Search Icon

ଏଫିସୀୟ 2

2
ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ପରିତ୍ରାଣ
1ଏହି ସଂସାରର ଭାବ ଅନୁସାରେ, ପୁଣି ଆକାଶ-ମଣ୍ତଳ ରାଜ୍ୟର ଅଧିପତି,
2ଅର୍ଥାତ୍, ଯେଉଁ ଆତ୍ମା ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ;
3ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ଵଭାବତଃ କ୍ରୋଧର ପାତ୍ର ଥିଲୁ;
4ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ଵର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ,
5ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି- ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ-
6ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ଵର୍ଗରେ ଉପବେଶନ କରାଇ ଅଛନ୍ତି,
7ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।
8କାରଣ ଅନୁଗ୍ରହରେ ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ଵରଙ୍କ ଦାନ,
9କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।
10କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ଵର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।
ଖ୍ରୀଷ୍ଟଙ୍କଠାରେ ଏକ
11ଅତଏବ, ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ଵନ୍ଧରେ ବିଜାତି ଥିଲ ଓ ଶାରୀରିକଭାବେ ହସ୍ତକୃତ ସୁନ୍ନତି ଲୋକମାନଙ୍କ ଦ୍ଵାରା ଅସୁନ୍ନତି ବୋଲି ଖ୍ୟାତ ହେଉଥିଲ,
12ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲର ପ୍ରଜାସତ୍ତ୍ଵ ରହିତ, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ପୁଣି ଜଗତରେ ଭରସାହୀନ ଓ ଈଶ୍ଵରବିହୀନ ହୋଇଥିଲ, ଏହା ସ୍ମରଣ କର।
13କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ନିକଟସ୍ଥ ହୋଇଅଛ।
14କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତା ସ୍ଵରୂପ ମଧ୍ୟବର୍ତ୍ତୀ ବିଚ୍ଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,
15ପୁଣି ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ଵରୂପେ ସୃଷ୍ଟି କରନ୍ତି,
16ଆଉ କ୍ରୁଶ ଦ୍ଵାରା ଶତ୍ରୁତା ବିନାଶ କରି ତଦ୍ଦ୍ଵାରା ଉଭୟକୁ ଏକ ଶରୀର ସ୍ଵରୂପ ଗଠନ କରି ଈଶ୍ଵରଙ୍କ ସହିତ ମିଳିତ କରାନ୍ତି।
17ଆଉ ଦୂରରେ ଥିଲ ଯେ ତୁମ୍ଭେମାନେ, ପୁଣି ନିକଟରେ ଥିଲେ ଯେ ସେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;
18କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ଵାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ।
19ଅତଏବ, ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ଵରଙ୍କ ପରିବାରଭୁକ୍ତ ଅଟ;
20ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ଵୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;
21ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ଵରୂପେ ବୃଦ୍ଧି ପାଉଅଛି;
22ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in