ରୋମୀୟ ଉପକ୍ରମଣିକା

ଉପକ୍ରମଣିକା
ରୋମରେ ପ୍ରତିଷ୍ଠିତ ଖ୍ରୀଷ୍ଟୀୟ ମଣ୍ଡଳୀ ପରିଦର୍ଶନ କରିବା ପାଉଲଙ୍କର ଇଚ୍ଛା ଥିଲା। ସେଠାକୁ ଯିବା ପୂର୍ବରୁ ତାଙ୍କ ପଥ ପ୍ରସ୍ତୁତ କରିବା ନିମନ୍ତେ ପାଉଲ ରୋମୀୟମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ। ସେଠାକାର ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ କିଛି ସମୟ କାର୍ଯ୍ୟ କରିବା ପରେ ସେମାନଙ୍କର ସହାୟତାରେ ସ୍ପେନ ଯିବା ପାଇଁ ତାଙ୍କର ଯୋଜନା ଥିଲା। ଖ୍ରୀଷ୍ଟୀୟ ବିଶ୍ୱାସ ଓ ଖ୍ରୀଷ୍ଟିୟାନମାନଙ୍କ ଜୀବନରେ ତା’ର ବାସ୍ତବ ମୂଲ୍ୟକୁ ସେ କିପରି ଭାବେ ନିଜେ ବୁଝିଥିଲେ, ତାହା ଏହି ପତ୍ରରେ ପାଉଲ ସ୍ପଷ୍ଟ କରିଛନ୍ତି। ପାଉଲ ପ୍ରଚାର କରୁଥିବା ଖ୍ରୀଷ୍ଟୀୟ ବାର୍ତ୍ତାର ଏକ ସମ୍ପୂର୍ଣ୍ଣ ବ୍ୟାଖ୍ୟା ଏଥିରେ ସନ୍ନିବେଶିତ ଅଛି।
ରୋମୀୟ ମଣ୍ଡଳୀର ଖ୍ରୀଷ୍ଟବିଶ୍ୱାସୀମାନଙ୍କୁ ସାଦର ଅଭିନନ୍ଦନ ଜଣାଇବା ପରେ ଓ ସେମାନଙ୍କ ନିମନ୍ତେ ସେ କିପରି ସତତ ପ୍ରାର୍ଥନା କରିଛନ୍ତି ବର୍ଣ୍ଣନା କରି, ପାଉଲ ଏହି ପତ୍ରର ମୂଳ ବିଷୟର ଅବତାରଣା କରିଛନ୍ତି। “ଈଶ୍ୱର ମନୁଷ୍ୟକୁ ତାଙ୍କ ସହିତ ପୁନର୍ମିଳିତ କରାଇବା ପାଇଁ କି ବ୍ୟବସ୍ଥା କରିଛନ୍ତି”, ଏହା ହେଉଛି, ଖ୍ରୀଷ୍ଟୀୟ ଶୁଭ ବାର୍ତ୍ତାର ମୂଳ ବିଷୟ। ସେହି ବାର୍ତ୍ତା ଅନୁଯାୟୀ କେବଳ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସହିତ ମନୁଷ୍ୟର ସୁସମ୍ପର୍କ ପ୍ରତିଷ୍ଠିତ ହୋଇପାରେ (୧:୧୭)।
ଏହି ବାର୍ତ୍ତାର ବିଷୟବସ୍ତୁ ବିଶ୍ଳେଷଣ କରି ପାଉଲ ବୁଝାଇଛନ୍ତି ଯେ, ଇହୁଦୀ ହୁଅନ୍ତୁ, ବିଜାତୀୟ ହୁଅନ୍ତୁ, ସମଗ୍ର ମନୁଷ୍ୟ ଜାତି ପାପର ବଶବର୍ତ୍ତୀ ହୋଇ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୋଇଛନ୍ତି। ତେଣୁ ଈଶ୍ୱରଙ୍କ ସହିତ ସମସ୍ତଙ୍କର ପୁନର୍ମିଳନ ଆବଶ୍ୟକ ହୁଏ ଏବଂ ତାହା ସମ୍ଭବ ହୁଏ, ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା। ପୁଣି ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲେ, ପରମାତ୍ମାଙ୍କ ଶକ୍ତିରେ ମନୁଷ୍ୟ ପାପ ଓ ମୃତ୍ରୁର କବଳରୁ ମୁକ୍ତି ପାଇ ନୂତନ ଜୀବନ ଲାଭ କରେ।
୫-୮ ଅଧ୍ୟାୟମାନଙ୍କରେ ଇହୁଦୀ ଜାତିକୁ ମୋଶା ପ୍ରଦତ୍ତ ବ୍ୟବସ୍ଥାର ଉଦ୍ଦେଶ୍ୟ ଆଲୋଚନା କରି ପାଉଲ ବିଶ୍ୱାସୀ ଜୀବନରେ ପରମାତ୍ମାଙ୍କ ଶକ୍ତିର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଇହୁଦୀ ତଥା ଅଣଇହୁଦୀମାନଙ୍କର ପରିତ୍ରାଣ ପାଇଁ ଈଶ୍ୱରଙ୍କ ବିରାଟ ଯୋଜନା ବିଷୟରେ ବୁଝାଇ ପାଉଲ କହିଛନ୍ତି ଯେ, ଯୀଶୁଙ୍କୁ ଇହୁଦୀମାନେ ପ୍ରତ୍ୟାଖ୍ୟାନ କରିବା ଈଶ୍ୱରଙ୍କ ଯୋଜନା। ପାଉଲ ବିଶ୍ୱାସ କରୁଥିଲେ ଯେ, ଇହୁଦୀମାନେ ସର୍ବଦା ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିବେ ନାହିଁ। ସେମାନେ ମଧ୍ୟ ଦିନେ ଯୀଶୁଙ୍କଠାରେ ବିଶ୍ୱାସ କରି ପରିତ୍ରାଣ ପାଇବେ।
ପରିଶେଷରେ କିପରି ଖ୍ରୀଷ୍ଟୀୟ ଜୀବନ ଯାପନ କରିବାକୁ ହେବ, ବିଶେଷତଃ କିପରି ଆଚରଣ କରି ଅନ୍ୟମାନଙ୍କ ପ୍ରତି ଖ୍ରୀଷ୍ଟୀୟ ପ୍ରେମର ନିଦର୍ଶନ ଦେଖାଇବାକୁ ହେବ, କିପରି ଈଶ୍ୱରଙ୍କ ପ୍ରକୃତ ସେବା କରାଯାଇପାରିବ, ରାଷ୍ଟ୍ର ପ୍ରତି ଖ୍ରୀଷ୍ଟବିଶ୍ୱାସୀର କର୍ତ୍ତବ୍ୟ କଅଣ, ପୁଣି କିପରି ସେ ନିଜର ବିବେକର ଅନୁମୋଦନ ଅନୁସାରେ କାର୍ଯ୍ୟ କରିବା ଉଚିତ, ପତ୍ରର ଶେଷ ଅଧ୍ୟାୟମାନଙ୍କରେ ପାଉଲ ଏ ସବୁ ବିଷୟର ବିଶଦ ଆଲୋଚନା କରିଛନ୍ତି।
ଉପସଂହାରରେ ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ରୋମୀୟ ମଣ୍ଡଳୀର ବିଭିନ୍ନ ବନ୍ଧୁମାନଙ୍କୁ ବ୍ୟକ୍ତିଗତ ଅଭିବାଦନ ଜଣାଇଛନ୍ତି।
ବିଷୟସୂଚୀ
ପୂର୍ବାଭାସ - ୧:୧-୧୭
ମନୁଷ୍ୟ ପାଇଁ ପରିତ୍ରାଣର ଆବଶ୍ୟକତା - ୧:୧୮-୩:୨୦
ମନୁଷ୍ୟର ପରିତ୍ରାଣ ପାଇଁ ଈଶ୍ୱରଙ୍କ ବ୍ୟବସ୍ଥା - ୩:୨୧-୪:୨୫
ଖ୍ରୀଷ୍ଟଙ୍କଠାରୁ ପ୍ରାପ୍ତ ନୂତନ ଜୀବନ - ୫:୧-୮:୩୯
ଈଶ୍ୱରଙ୍କ ଯୋଜନାରେ ଇଶ୍ରାଏଲ ଜାତି - ୯:୧-୧୧:୩୬
ଖ୍ରୀଷ୍ଟୀୟ ଆଚରଣ - ୧୨:୧-୧୫:୧୩
ଉପସଂହାର: ବ୍ୟକ୍ତିଗତ ବିଭାବାଦନ, ପରାମର୍ଶ ଓ ଧନ୍ୟବାଦ - ୧୫:୧୪-୧୬:୨୭

ទើបបានជ្រើសរើសហើយ៖

ରୋମୀୟ ଉପକ୍ରମଣିକା: ODCLBSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល