ଲୂକ 3

3
ବାପ୍ତିଜକ ଯୋହନଙ୍କ ପ୍ରଚାର
1ତିବିରିଅ କାଇସରଙ୍କ ରାଜତ୍ଵର ପଞ୍ଚଦଶ ବର୍ଷରେ, ଯେତେବେଳେ ପନ୍ତୀୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାଙ୍କ ଭ୍ରାତା ଫିଲିପ୍ପ ଇତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ।
2ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ଵରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା।
3ସେଥିରେ ସେ ଯର୍ଦ୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପକ୍ଷମା ନିମନ୍ତେ ମନପରିବର୍ତ୍ତନର ବାପ୍ତିସ୍ମ।। ଘୋଷଣା କରିବାକୁ ଲାଗିଲେ,
4ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦଣ୍ତ ସଳଖ କର;
5ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସଳଖ ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବନ୍ତ
6ପୁଣି, ସମସ୍ତ ମର୍ତ୍ତ୍ୟ ଈଶ୍ଵରଙ୍କ ପରିତ୍ରାଣ ଦେଖିବେ।
7ଅତଏବ, ସେ ତାଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
8ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି।
9ଆଉ, ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି; ଅତଏବ, ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
10ଏଥିରେ ଲୋକସମୂହ ତାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା?
11ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।
12କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା?
13ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯାହା ନିରୂପିତ, ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ।
14ସୈନିକମାନେ ମଧ୍ୟ ତାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ, ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ, ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।
15ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାଙ୍କ ସମ୍ଵନ୍ଧରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ,
16ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
17ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ।
18ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ଵାଦ ପ୍ରଚାର କରୁଥିଲେ;
19କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ଆପଣା କୃତ ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ଵାରା ଅନୁଯୋଗ ପ୍ରାପ୍ତ ହେବାରୁ,
20ସେ ତାଙ୍କୁ କାରାରୁଦ୍ଧ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ।
21ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଉନ୍ମୁକ୍ତ ହେଲା,
22ପୁଣି ପବିତ୍ର ଆତ୍ମା ଦୈହିକଭାବେ କପୋତ ପରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ, ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।
ଯୀଶୁ ଖ୍ରୀଷ୍ଟଙ୍କର ବଂଶାବଳୀ
23ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
24ଏଲୀ ମତ୍ଥାତଙ୍କ ପୁତ୍ର; ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
25ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଳୀଙ୍କ ପୁତ୍ର, ହେସ୍ଳୀ ନଗୟଙ୍କ ପୁତ୍ର,
26ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
27ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍ବାବେଲଙ୍କ ପୁତ୍ର, ଜିରୁବ୍ବାବେଲ ଶଅଲ୍ଥୀୟେଲଙ୍କ ପୁତ୍ର, ଶଅଲ୍ଥୀୟେଲ ନେରୀଙ୍କ ପୁତ୍ର,
28ନେରୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର,
29ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
30ଲେବୀ ଶିମୀୟୋନଙ୍କ ପୁତ୍ର, ଶିମୀୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲୀୟାକୀମଙ୍କ ପୁତ୍ର,
31ଏଲୀୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
32ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
33ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୁଦାଙ୍କ ପୁତ୍ର,
34ଯିହୁଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‍ହାକଙ୍କ ପୁତ୍ର, ଇସ୍‍ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ଥେରହଙ୍କ ପୁତ୍ର, ଥେରହ ନାହୋରଙ୍କ ପୁତ୍ର,
35ନାହୋର ସରୂଗଙ୍କ ପୁତ୍ର, ସରୂଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,
36ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
37ଲେମଖ ମିଥୂଶେଲହଙ୍କ ପୁତ୍ର, ମିଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର।
38କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ଵରଙ୍କ ପୁତ୍ର।

ទើបបានជ្រើសរើសហើយ៖

ଲୂକ 3: ODIAOV-BSI

គំនូស​ចំណាំ

ចែក​រំលែក

ចម្លង

None

ចង់ឱ្យគំនូសពណ៌ដែលបានរក្សាទុករបស់អ្នក មាននៅលើគ្រប់ឧបករណ៍ទាំងអស់មែនទេ? ចុះឈ្មោះប្រើ ឬចុះឈ្មោះចូល