ଆଦି ପୁସ୍ତକ 16
16
ହାଗାର ଓ ଇଶ୍ମାଏଲ
1ଅବ୍ରାମଙ୍କର ଭାର୍ଯ୍ୟା ସାରୀ ନିଃସନ୍ତାନା ଥିଲେ, ପୁଣି ହାଗାର ନାମ୍ନୀ ତାଙ୍କର ଏକ ମିସରୀୟା ଦାସୀ ଥିଲା।
2ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି। ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ।
3ଅବ୍ରାମ କିଣାନ ଦେଶରେ ଦଶ ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରୀ ଆପଣା ମିସରୀୟା ଦାସୀ ହାଗାରକୁ ନେଇ ଆପଣା ସ୍ଵାମୀ ଅବ୍ରାମ ସହିତ ବିବାହ ଦେଲେ।
4ଅନନ୍ତର ଅବ୍ରାମ ହାଗାରର ସହବାସ କରନ୍ତେ, ସେ ଗର୍ଭବତୀ ହେଲା; ପୁଣି ଆପଣାର ଗର୍ଭ ହୋଇଅଛି, ଏହା ଜାଣି ସେ ନିଜ ସାଆନ୍ତାଣୀଙ୍କୁ ତୁଚ୍ଛ ଜ୍ଞାନ କରିବାକୁ ଲାଗିଲା।
5ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, ମୋʼ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକି ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।
6ତହିଁରେ ଅବ୍ରାମ ସାରୀଙ୍କୁ କହିଲେ, ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି; ତୁମ୍ଭକୁ ଯାହା ଭଲ ଦିଶେ, ତାହା ତାʼ ପ୍ରତି କର। ତହିଁରେ ସାରୀ ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ, ସେ ତାଙ୍କ ପାଖରୁ ପଳାଇଗଲା।
7ଅନନ୍ତର ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ,
8ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି କେଉଁଠାକୁ ଯିବ? ତହିଁରେ ସେ କହିଲା, ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।
9ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରି ଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ।
10ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ହେତୁରୁ ତାହା ଅଗଣ୍ୟ ହେବ।
11ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାଏଲ (ଅର୍ଥାତ୍, ପରମେଶ୍ଵର ଶୁଣନ୍ତି) ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।
12ପୁଣି ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଦଭ ସ୍ଵରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ।
13ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, ମଦ୍ଦର୍ଶକ ପରମେଶ୍ଵର, (ହେ ପରମେଶ୍ଵର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି !
14ଏଣୁ ସେହି କୂପର ନାମ ବେର-ଲହୟ-ରୋୟୀ (ଅର୍ଥାତ୍, ଦର୍ଶନାନ୍ତେ ଜୀବନକୂପ) ରଖାଗଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
15ଅନନ୍ତର ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇଶ୍ମାଏଲ ଦେଲେ।
16ଅବ୍ରାମଙ୍କର ଛୟାଅଶୀ ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାଏଲକୁ ପ୍ରସବ କଲା।
اکنون انتخاب شده:
ଆଦି ପୁସ୍ତକ 16: ODIAOV-BSI
هایلایت
کپی
مقایسه
به اشتراک گذاشتن
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.