YouVersion Logo
Search Icon

ମାର୍କାସ୍ 7

7
କଣ ଶୁଚି, କଣ ଅଶୁଚି
1ଫାରୂଶୀମାନେ ଓ ଯିରୂଶାଲମରୁ ଆସିଥିବା କେତେକ ଶାସ୍ତ୍ରଜ୍ଞମାନେ ଯୀଶୁଙ୍କ ନିକଟରେ ସମବେତ ହେଲେ 2ସେମାନେ ଦେଖିଲେ ଯେ, ତାଙ୍କର କେତେକ ଶିଷ୍ୟ ଅଶୁଚି ହାତରେ, ଅର୍ଥାତ୍, ହାତ ନ ଧୋଇ ଭୋଜନ କରୁଛନ୍ତି। 3ଫାରୂଶୀ ଓ ଯିହୁଦୀମାନେ ସମସ୍ତେ କୁଳବୃଦ୍ଧମାନଙ୍କ ପରମ୍ପରାଗତ ରୀତି ପାଳନ କରି ବିଧି ଅନୁସାରେ ହାତ ନ ଧୋଇ ଭୋଜନ କରନ୍ତି ନାହିଁ। 4ସେମାନେ ହାଟବଜାରରୁ ଆସିବା ପରେ ବିଧି ଅନୁସାରେ ଧୋଇ ନହେଲେ ଭୋଜନ କରନ୍ତି ନାହିଁ। ଏହାଛଡ଼ା, ସେମାନେ ତାଟିଆ, ଢାଳ ଓ ଥାଳି ପ୍ରଭୃତି ପାଣିରେ ବୁଡ଼ାଇ ଧୋଇବା ପରି ଆହୁରି ଅନେକ ପ୍ରଥା, ପଦ୍ଧତି ପାଳନ କରନ୍ତି।
5ତେଣୁ ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ ଯୀଶୁଙ୍କୁ ପଚାରିଲେ, “ଆପଣଙ୍କର ଶିଷ୍ୟମାନେ କାହିଁକି କୁଳବୃଦ୍ଧମାନଙ୍କର ପରମ୍ପରାଗତ ନିୟମ ଅନୁସାରେ ନ ଚଳି ‘ଅଶୁଚି’ ହାତରେ ଭୋଜନ କରନ୍ତି?”
6ସେ ଉତ୍ତର ଦେଲେ, “ହେ କପଟାଚାରୀମାନେ: ଯିଶାଇୟ ଯଥାର୍ଥରେ ତୁମ୍ଭମାନଙ୍କ ବିଷୟରେ ଭାବବାଣୀ କହିଛନ୍ତି, କାରଣ ଏହା ଲେଖାଅଛି:
“ ‘ଏହି ଲୋକମାନେ ମୋତେ ମାନ୍ୟ କରିବା କଥା ମୁହଁରେ ଧରନ୍ତି,
କିନ୍ତୁ ଏମାନଙ୍କ ହୃଦୟ ମୋ ଠାରୁ ବହୁ ଦୂରରେ।
7ଏମାନେ ବୃଥାରେ ମୋର ଆରାଧନା କରନ୍ତି।
ଏମାନଙ୍କ ଶିକ୍ଷାଗୁଡ଼ିକ କେବଳ ମନୁଷ୍ୟରଚିତ କେତେଗୁଡ଼ିଏ ନୀତିନିୟମ ମାତ୍ର।’
8ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞାସବୁ ଅଗ୍ରାହ୍ୟ କରି ମନୁଷ୍ୟମାନଙ୍କର ପରମ୍ପରାଗତ ପ୍ରଥାଗୁଡ଼ିକୁ ଧରି ବସିଛ।”
9ପୁଣି, ସେ ସେମାନଙ୍କୁ କହିଲେ, “ତୁମ ନିଜର ପରମ୍ପରା ରକ୍ଷା କରିବା ଉଦ୍ଦେଶ୍ୟରେ ଈଶ୍ୱରଙ୍କର ଆଜ୍ଞାସବୁ ରଦ୍ଦ କରିବା ଉପାୟ ତୁମକୁ ବେଶ ଜଣା! 10କାରଣ ମୋଶା କହିଛନ୍ତି, ପିତାମାତାଙ୍କୁ ମାନ୍ୟ କର ଏବଂ ଯେକେହି ଆପଣା ପିତା ବା ମାତାକୁ ଅଭୀଶାପ ଦିଏ, ସେ ପ୍ରାଣଦଣ୍ଡ ପାଇବ। 11କିନ୍ତୁ ତୁମ୍ଭେମାନେ କହିଥାଅ ଯେ, କୌଣସି ମନୁଷ୍ୟ ଯଦି ନିଜ ପିତା ବା ମାତାକୁ କହେ ‘ମୋ’ ଠାରୁ ତୁମେ ଯେଉଁ ସାହାଯ୍ୟ ପାଇଥାନ୍ତ, ତାହା କୋର୍ବାନ୍, ଅର୍ଥାତ୍ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। 12ତାହାହେଲେ ତୁମେ ସେହି ମନୁଷ୍ୟକୁ ତାହାର ପିତା ବା ମାତା ପାଇଁ କିଛି କରିବାକୁ ଆଉ ଦେଇ ନ ଥାଅ। 13ଏହିରୂପେ, ତୁମେ ଚଳି ଆସୁଥିବା ପରମ୍ପରାଗତ ପ୍ରଥା ଦ୍ଵାରା ଈଶ୍ୱରଙ୍କ ବାକ୍ୟକୁ ରଦ୍ଦ କରିଥାଅ ତୁମ୍ଭେମାନେ ଏହିପ୍ରକାର ଅନେକ କାର୍ଯ୍ୟ କରିଥାଅ।”
14ପୁନର୍ବାର ଯୀଶୁ ଲୋକମାନଙ୍କୁ ତାଙ୍କ ନିକଟକୁ ଡାକି କହିଲେ, “ତୁମେ ସମସ୍ତେ ମନ ଦେଇ ଶୁଣ ଓ ବୁଝ। 15ବାହାରର ଏପରି କୌଣସି ବିଷୟ ନାହିଁ, ଯାହା ମନୁଷ୍ୟ ମଧ୍ୟରେ ପ୍ରବେଶ କରି ତାକୁ ‘ଅଶୁଚି’ କରିପାରେ, ବରଞ୍ଚ ଯାହା ମନୁଷ୍ୟ ମଧ୍ୟରୁ ବାହାରେ, ତାହା ତାକୁ ‘ଅଶୁଚି’ କରେ। 16ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
17ସେ ଲୋକମାନଙ୍କୁ ଛାଡ଼ି ଗୃହ ମଧ୍ୟରେ ପ୍ରବେଶ କଲାପରେ ତାଙ୍କର ଶିଷ୍ୟମାନେ ତାଙ୍କୁ ଏହି ଦୃଷ୍ଟାନ୍ତ ବିଷୟ ପଚାରିଲେ 18ସେ କହିଲେ, “ତୁମ୍ଭେମାନେ କଣ ଏଡ଼େ ନିର୍ବୋଧ?” ତୁମ୍ଭେମାନେ କଣ ବୁଝିପାରୁ ନାହଁ ଯେ, ବାହାରୁ ଯାହାକିଛି ମନୁଷ୍ୟ ମଧ୍ୟରେ ପ୍ରବେଶ କରେ, ତାହା ତାକୁ ଅଶୁଚି କରିପାରେ ନାହିଁ! 19କାରଣ ତାହା ମନୁଷ୍ୟର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ଶରୀରରୁ ବାହାରିଯାଏ। (ଏହା କହିବାରେ, ଯିଶୁ ସମସ୍ତ ଖାଦ୍ୟକୁ ପବିତ୍ର ବୋଲି ଘୋଷଣା କଲେ।)
20ସେ କହିବାକୁ ଲାଗିଲେ, “ଯାହା ମନୁଷ୍ୟ ମଧ୍ୟରୁ ବାହାରେ, ତାହା ହିଁ ତାକୁ ଅଶୁଚି କରେ। 21-22କାରଣ ଭିତରୁ, ମନୁଷ୍ୟମାନଙ୍କ ହୃଦୟରୁ କୁଚିନ୍ତା, ଅବୈଧ ଯୌନସମ୍ପର୍କ, ଚୋରୀ, ନରହତ୍ୟା, ବ୍ୟଭିଚାର, ଲୋଭ, ବିଦ୍ୱେଷ, ପ୍ରବଞ୍ଚନା, ଲୋଲୁପଦୃଷ୍ଟି, ପରଶ୍ରୀକାତରତା, ପରନିନ୍ଦା, ଅହଂକାର ଓ ମୂର୍ଖତା ବାହାରେ। 23ଏହିସମସ୍ତ ମନ୍ଦ ଗୁଣ ଅନ୍ତରରୁ ବାହାରେ ଏବଂ ମନୁଷ୍ୟକୁ ଅଶୁଚି କରେ।”
ଅଣଯିହୁଦୀ ସ୍ତ୍ରୀର ଅଟଳ ବିଶ୍ୱାସ
24ଏହାପରେ ଯୀଶୁ ସେହି ସ୍ଥାନ ଛାଡ଼ି ସୋର ସୀମାନ୍ତ ଅଞ୍ଚଳକୁ ଗଲେ ସେଠାରେ ସେ ଏକ ଗୃହରେ ପ୍ରବେଶ କଲେ ଓ ତାହା କେହି ନ ଜାଣୁ ବୋଲି ଇଚ୍ଛା କଲେ କିନ୍ତୁ ସେଠାରେ ତାଙ୍କର ଉପସ୍ଥିତି ଗୁପ୍ତ ରଖିପାରିଲେ ନାହିଁ। 25ସଙ୍ଗେସଙ୍ଗେ ଜଣେ ସ୍ତ୍ରୀଲୋକ, ଯାହାର ଝିଅକୁ ଭୂତ ଲାଗିଥିଲା, ସେ ଯୀଶୁଙ୍କ ବିଷୟ ଶୁଣି ତାହାଙ୍କ ପାଦତଳେ ଆସି ପଡ଼ିଗଲା। 26ସେହି ସ୍ତ୍ରୀ ଥିଲା ଗ୍ରୀକ ଜାତିର ଓ ତାହାର ଜନ୍ମସ୍ଥାନ ଥିଲା ସିରିଆ ଦେଶର ଫିନିସିଆ। ତାହାର ଝିଅଠାରୁ ଭୂତ ଛଡ଼ାଇବାକୁ ସେ ଯୀଶୁଙ୍କୁ ଗୁହାରି କଲା।
27ଯୀଶୁ ତାକୁ କହିଲେ, “ପ୍ରଥମେ ପିଲାମାନେ ତୃପ୍ତ ହେବାଯାଏ ଭୋଜନ କରନ୍ତୁ, କାରଣ ପିଲାମାନଙ୍କ ରୋଟୀ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ ନୁହେଁ!”
28ସେ ଉତ୍ତର କଲା, “ହଁ ପ୍ରଭୁ, ମେଜ ତଳେ ଥାଇ କୁକୁରମାନେ ମଧ୍ୟ ପିଲାଙ୍କ ରୋଟୀଗୁଣ୍ଡ ଖାଇ ଥାଆନ୍ତି!”
29ସେ ତାକୁ କହିଲେ, “ଏହିପ୍ରକାର ଉତ୍ତର ସକାଶେ, କୁଶଳରେ ଯାଅ ଭୂତ ତୁମ ଝିଅକୁ ଛାଡ଼ି ଚାଲିଗଲାଣି।”
30ସେ ଘରକୁ ଯାଇ ଦେଖିଲା, ତାହାର ଝିଅ ଶେଯରେ ଶୋଇଛି ଓ ଭୂତ ତାକୁ ଛାଡ଼ି ଚାଲି ଯାଇଛି।
ମୂକ-ବଧିର ମନୁଷ୍ୟ ସୁସ୍ଥ ହେଲା
31ତତ୍ପରେ ଯୀଶୁ ସୋର ସୀମାନ୍ତରୁ ବାହାରି ସୀଦୋନ ବାଟେ ଦେକାପଲ୍ଲୀ, ଅଞ୍ଚଳ ମଧ୍ୟଦେଇ ଗାଲିଲୀ ହ୍ରଦ ନିକଟକୁ ଗଲେ। 32ସେଠାରେ ଲୋକମାନେ ଜଣେ ବଧିର ଓ ଖନା ମନୁଷ୍ୟକୁ ଯୀଶୁଙ୍କ ନିକଟକୁ ଆଣିଲେ ଏବଂ ତା ଉପରେ ହାତ ରଖିବାକୁ ତାହାଙ୍କୁ ବିନତି କଲେ।
33ଯୀଶୁ ତାକୁ ଅଲଗା କରି ଲୋକଗହଳିଠାରୁ ଦୂରକୁ ନେଇଗଲେ ଓ ତାହାର ଦୁଇ କାନରେ ଅଙ୍ଗୁଳି ଦେଲେ ତା ପରେ ସେ ଛେପ ଦେଇ ତାହାର ଜିଭ ଛୁଇଁଲେ 34ସ୍ଵର୍ଗଆଡ଼େ ଅନାଇ ସେ ଦୀର୍ଘଶ୍ୱାସ ଛାଡ଼ି ତାହାକୁ କହିଲେ, “ଇପ୍‌ଫଥା!” (ଅର୍ଥାତ୍, “ଫିଟି ଯା।”) 35ତହିଁରେ ସେହି ଲୋକର କାନ ଫିଟିଗଲା, ତାହାର ଜିଭ ବନ୍ଧନମୁକ୍ତ ହେଲା ଓ ସେ ସ୍ପଷ୍ଟଭାବେ କଥା କହିବାକୁ ଲାଗିଲା।
36ଏହି କଥା କାହାରିକି ନ କହିବା ପାଇଁ ଯୀଶୁ ସେମାନଙ୍କୁ ଯେତେ ମନା କଲେ, ସେମାନେ ସେତେ ଅଧିକ ତାହା ପ୍ରଚାର କଲେ 37ଲୋକମାନେ ବିସ୍ମୟରେ ଅଭିଭୂତ ହୋଇ କହୁଥିଲେ, “ସେ ସବୁକିଛି ଉତ୍ତମଭାବେ କରିଛନ୍ତି, ଏପରିକି ସେ ବଧିରକୁ ଶୁଣିବା ଶକ୍ତି ଓ ମୂକକୁ କହିବା ଶକ୍ତି ମଧ୍ୟ ଦିଅନ୍ତି!”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in