YouVersion Logo
Search Icon

ମାର୍କାସ୍ 5

5
ଭୂତଗ୍ରସ୍ତ ଲୋକ ଆରୋଗ୍ୟ ହେଲା
1ସେମାନେ ହ୍ରଦଟିକୁ ପାରି ହୋଇ ଗେରାସିନ୍ ଅଞ୍ଚଳକୁ ଗଲେ। 2ଯେତେବେଳେ ଯୀଶୁ ଡଙ୍ଗାରୁ ଉତରିଲେ, ଏକ ଅଶୁଚି ଆତ୍ମା ଲୋକ ଶ୍ମଶାନରୁ ତାଙ୍କୁ ଭେଟିବାକୁ ଆସିଲା। 3ଏହି ଲୋକ କବର ସ୍ଥାନରେ ବାସ କରୁଥିଲା। କେହି ତାକୁ ଶିକୁଳିର ସୁଦ୍ଧା ଆଉ ବାନ୍ଧି ରଖିପାରୁ ନ ଥିଲେ 4ଅନେକଥର ତାର ହାତ ଓ ପାଦ ଶିକୁଳିରେ ବନ୍ଧାଗଲେ ମଧ୍ୟ ସେ ଶିକୁଳିକୁ ଛିଣ୍ଡାଇ ଦେଉଥିଲା ଓ ଲୁହା ବେଡ଼ିକୁ ଭାଙ୍ଗି ଦେଉଥିଲା। ତାକୁ ଆୟତ୍ତରେ ରଖିବା ପାଇଁ କାହାରି ବଳ ନ ଥିଲା। 5ସେ ଦିନରାତି କବରଗୁଡ଼ିକ ମଧ୍ୟରେ ଓ ପାହାଡ଼ମାନଙ୍କରେ ରହି ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତବିଷତ କରୁଥିଲା।
6ସେ ଯୀଶୁଙ୍କୁ ଦୂରରୁ ଦେଖି ଦୈଡ଼ି ଗଲା ଓ ତାଙ୍କ ଆଗରେ ଆଣ୍ଠୋଇ ପଡ଼ିଲା। 7ସେ ଉଚ୍ଚସ୍ଵରରେ ଚିତ୍କାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ, ମୋ ସହିତ ତୁମ୍ଭର କଅଣ ଅଛି? ତୁମ୍ଭେ ମୋତେ ଯନ୍ତ୍ରଣା ଦେବ ନାହିଁ ବୋଲି ଈଶ୍ୱରଙ୍କ ନାମରେ ଶପଥ କର!” 8କାରଣ ଯୀଶୁ ଠିକ ସେତିକିବେଳେ ତାକୁ କହୁଥିଲେ, “ଆରେ ଭୂତାତ୍ମା ଏହି ଲୋକଠାରୁ ବାହାରି ଯା।”
9ତହୁଁ ଯୀଶୁ ତାକୁ ପଚାରିଲେ, “ତୋର ନା କଅଣ?”
ସେ ଉତ୍ତର ଦେଲା, “ମୋ ନା ବାହିନୀ, କାରଣ ଆମେ ଅନେକ!” 10ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ତଡ଼ି ନ ଦିଅନ୍ତି, ଏଥିପାଇଁ ସେ ତାଙ୍କୁ ଥରକୁ ଥର ବିନତି କଲା।
11ସେତିକିବେଳେ ନିକଟବର୍ତ୍ତୀ ପାହାଡ଼ କଡ଼ରେ ଏକ ବଡ଼ ଘୁଷୁରିପଲ ଚରୁଥିଲା। 12ଭୂତମାନେ ଯୀଶୁଙ୍କୁ ବିନତି କରି କହିଲେ, “ଆମକୁ ସେହି ଘୁଷୁରିମାନଙ୍କ ମଧ୍ୟକୁ ପଠାଇ ଦିଅନ୍ତ ସେମାନଙ୍କ ମଧ୍ୟରେ ପଶିବାକୁ ଆମକୁ ଅନୁମତି ଦିଅ।” 13ସେ ସେମାନଙ୍କୁ ଅନୁମତି ଦେଲେ ଏବଂ ଭୂତାତ୍ମାମାନେ ବାହାରିଯାଇ ଘୁଷୁରିମାନଙ୍କ ମଧ୍ୟରେ ପ୍ରବେଶ କଲେ ଏବଂ ପଲଟାଯାକ ତିଖ ରୁ ଅତି ବେଗରେ ଦୈଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ିମଲେ ସେହି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ।
14ଘୁଷୁରି ଜଗିବା ଲୋକମାନେ ଦୈଡ଼ିଯାଇ ସହର ଓ ଗ୍ରାମମାନଙ୍କରେ ଏହି ଖବର ପ୍ରଚାର କଲେ ଏବଂ କଅଣ ଘଟିଛି, ତାହା ଦେଖିବା ପାଇଁ ଲୋକେ ବାହାରି ଆସିଲେ 15ସେମାନେ ଯେତେବେଳେ ଯୀଶୁଙ୍କ ନିକଟକୁ ଆସିଲେ ଓ ଯାହାକୁ ବାହିନୀ ଭୂତ ଲାଗିଥିଲେ, ତାକୁ ଲୁଗାପଟା ପିନ୍ଧି ସଂପୂର୍ଣ୍ଣ ପ୍ରକୃତିସ୍ଥ ଅବସ୍ଥାରେ ବସିଥିବା ଦେଖିଲେ, ସେମାନେ ଭୀତ ହେଲେ 16ସେମାନେ ସେହି ଭୂତଗ୍ରସ୍ତ ଲୋକ ପ୍ରତି କଅଣ ଘଟିଥିଲା, ଯେଉଁମାନେ ତାହା ଦେଖିଥିଲେ, ତାହା ଲୋକମାନଙ୍କୁ କହିଲେ ଓ ଘୁଷୁରିମାନଙ୍କ କଥା ମଧ୍ୟ କହିଲେ 17ସେତେବେଳେ ଯୀଶୁ ଯେପରି ସେମାନଙ୍କ ଅଞ୍ଚଳ ଛାଡ଼ି ଚାଲିଯାଆନ୍ତି, ଲୋକମାନେ ତାଙ୍କୁ ଅନୁନୟ କରିବାକୁ ଲାଗିଲେ।
18ଯୀଶୁ ନୌକାରେ ଚଢ଼ିବାକୁ ଯାଉଥିଲା ବେଳେ ଯେଉଁ ଲୋକକୁ ଭୂତ ଧରିଥିଲା, ସେ ଯୀଶୁଙ୍କ ସଙ୍ଗେ ଯିବା ପାଇଁ ଗୁହାରି କଲା। 19ଯୀଶୁ ତାକୁ ଅନୁମତି ଦେଲେ ନାହିଁ, କିନ୍ତୁ କହିଲେ, “ନିଜ ଘରକୁ, ନିଜ ଆତ୍ମୀୟମାନଙ୍କ ନିକଟକୁ ଯାଅ। ପ୍ରଭୁ ତୁମ ପାଇଁ ଯାହା କରିଛନ୍ତି ଓ ଯେଉଁ ଦୟା ଦେଖାଇଛନ୍ତି, ତାହା ସେମାନଙ୍କୁ ଜଣାଅ।” 20ଅତଏବ ଲୋକଟି ଚାଲିଯାଇ ଯୀଶୁ ତା ନିମନ୍ତେ ଯାହା କରିଥିଲେ, ତାହା ଦେକାପଲ୍ଲୀ, ରେ କହି ବୁଲିଲା ଏବଂ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ।
ଯାଇରସଙ୍କ କନ୍ୟା ଓ ପ୍ରଦର ରୋଗଗ୍ରସ୍ତା ସ୍ତ୍ରୀ
21-22ଯୀଶୁ ଯେତେବେଳେ ନୌକାରେ ଆଉ ଥରେ ପାରି ହୋଇ ହ୍ରଦର ଅପର ତୀରକୁ ଗଲେ, ସେତେବେଳେ ତାହାଙ୍କ ଚାରିଆଡ଼େ ବହୁସଂଖ୍ୟକ ଲୋକ ରୁଣ୍ଡ ହେଲେ ସେ ହ୍ରଦକୂଳରେ ଥିଲାବେଳେ ଉପାସନାଗୃହର ଅଧ୍ୟକ୍ଷମାନଙ୍କ ମଧ୍ୟରୁ ଯାଇରସ୍ ନାମକଜଣେ ଅଧ୍ୟକ୍ଷ ସେଠାକୁ ଗଲେ ସେ ଯୀଶୁଙ୍କୁ ଦେଖି ତାଙ୍କ ପାଦତଳେ ପଡ଼ିଲେ 23ଏବଂ ବିନୀତ ଅନୁରୋଧ କରି କହିଲେ, “ମୋର ଝିଅଟି ମୃତପ୍ରାୟ, ଆପଣ ଦୟାକରି ଆସନ୍ତୁ ଓ ତା ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହୋଇ ବଞ୍ଚିବ।” 24ତେଣୁ ଯୀଶୁ ତାଙ୍କ ସହିତ ଗଲେ।
ବହୁସଂଖ୍ୟକ ଲୋକ ତାଙ୍କ ପଛେ ପଛେ ଚାଲିଲେ ଓ ତାହାଙ୍କ ଉପରେ ଚାରିଆଡ଼େ ମାଡ଼ି ପଡ଼ୁଥିଲେ 25ସେଠାରେ ବାର ବର୍ଷ ପର୍ଯ୍ୟନ୍ତ ରକ୍ତପ୍ରଦର ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଥିଲା। 26ସେ ଅନେକ ବୈଦ୍ୟଙ୍କର ଚିକିତ୍ସ। ଧୀନରେ ଥାଇ ବହୁତ କଷ୍ଟ ଭୋଗିଥିଲା ଓ ସମସ୍ତ ଅର୍ଥ ବ୍ୟୟ କରି ସୁଦ୍ଧା ଭଲ ହେବା ପରିବର୍ତ୍ତେ ତାହାର ଅବସ୍ଥା ଖରାପ ହେଉଥିଲା। 27ଯେତେବେଳେ ସେ ଯୀଶୁଙ୍କ କଥା ଶୁଣିଲା, ସେ ଲୋକଗହଳି ମଧ୍ୟରେ ଯାଇ ଯୀଶୁଙ୍କ ପଛଆଡ଼ୁ ତାଙ୍କ ପୋଷାକକୁ ସ୍ପର୍ଶ କଲା। 28କାରଣ ସେ ଭାବିଲା, “ମୁଁ ଯଦି ଅନ୍ତତଃ ତାଙ୍କର ଲୁଗାକୁ ଛୁଇଁପାରେ, ତେବେ ଭଲ ହୋଇଯିବି।” 29ସେ ସ୍ପର୍ଶ କଲାକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ସେ ରୋଗମୁକ୍ତ ବୋଲି ନିଜ ଶରୀରରେ ଅନୁଭବ କଲା।
30ସଙ୍ଗେସଙ୍ଗେ ଯୀଶୁ ଜାଣିପାରିଲେ ଯେ, ତାଙ୍କଠାରୁ ଶକ୍ତି ନିର୍ଗତ ହେଲା। ସେ ଲୋକମାନଙ୍କ ଆଡ଼କୁ ବୁଲି ପଚାରିଲେ, “କିଏ ମୋର ଲୁଗା ଛୁଇଁଲା?”
31ତାଙ୍କର ଶିଷ୍ୟମାନେ ଉତ୍ତର ଦେଲେ, “ଲୋକମାନେ ଆପଣଙ୍କ ଚାରିଆଡ଼େ ମାଡ଼ି ପଡ଼ୁଅଛନ୍ତି ବୋଲି ଆପଣ ଦେଖୁଅଛନ୍ତି, ତଥାପି ପଚାରୁଛନ୍ତି, ‘କିଏ ମୋତେ ଛୁଇଁଲା?’ ”
32କିନ୍ତୁ କିଏ ତାହା କରିଥିଲା, ଏହା ଜାଣିବା ପାଇଁ ଯୀଶୁ ଚାରିଆଡ଼କୁ ଚାହିଁବାକୁ ଲାଗିଲେ 33ସେତେବେଳେ ସେହି ସ୍ତ୍ରୀଲୋକ ତା ପ୍ରତି କଅଣ ଘଟିଥିଲା ତାହା ଜାଣି ଭୟରେ ଥରି ଥରି ଆସିଲା ଓ ଯୀଶୁଙ୍କ ପାଦତଳେ ପଡ଼ି ସବୁ ସତ କଥା କହିଗଲା। 34ଯୀଶୁ ତାକୁ କହିଲେ, “ଝିଅ, ତୋର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଯାଅ ଓ ରୋଗମୁକ୍ତ ରୁହ।”
35ଯୀଶୁ ଏହା କହୁଥିବା ସମୟରେ ଉପାସନାଗୃହର ଅଧ୍ୟକ୍ଷ ଯାଇରସଙ୍କ ଗୃହରୁ କେତେକ ଲୋକ ଆସି ପହଞ୍ଚିଲେ ସେମାନେ କହିଲେ, “ଆପଣଙ୍କ ଝିଅଟି ମରିଗଲା। ଗୁରୁଙ୍କୁ ଆଉ କାହିଁକି ହଇରାଣ କରୁଅଛନ୍ତି?”
36ଯୀଶୁ ସେମାନଙ୍କ କଥାକୁ ଭ୍ରକ୍ଷେପ ନ କରି ଉପାସନାଗୃହର ଅଧ୍ୟକ୍ଷଙ୍କୁ କହିଲେ, “ଭୟ କର ନାହିଁ କେବଳ ବିଶ୍ୱାସ କର।”
37ଯୀଶୁ ପିତର, ଯାକୁବ ଓ ତାଙ୍କ ଭାଇ ଯୋହନଙ୍କ ବ୍ୟତୀତ ଆଉ କାହାକୁ ତାଙ୍କ ସହିତ ଯିବାକୁ ଦେଲେ ନାହିଁ। 38ସେମାନେ ଯେତେବେଳେ ଉପାସନାଗୃହର ଅଧ୍ୟକ୍ଷଙ୍କ ଗୃହରେ ପହଞ୍ଚିଲେ, ଲୋକେ ଉଚ୍ଚସ୍ଵରରେ କ୍ରନ୍ଦନ ଓ ବିଳାପ କରି କୋଳାହଳ କରୁଥିବାର ଯୀଶୁ ଦେଖିଲେ 39ସେ ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି ଏ କୋଳାହଳ ଓ କନ୍ଦାକଟା? ପିଲାଟି ମରି ନାହିଁ, ଶୋଇପଡ଼ିଛି!” 40ମାତ୍ର ସେମାନେ ତାଙ୍କୁ ପରିହାସ କଲେ।
ସେସମସ୍ତଙ୍କୁ ସେଠାରୁ ବାହାର କରିଦେଲେ ଓ ତା ପରେ ପିଲାଟିର ପିତା, ମାତା ଓ ତାଙ୍କ ସଙ୍ଗରେ ଥିବା ଶିଷ୍ୟମାନଙ୍କୁ ନେଇ ପିଲାଟି ଥିବା ସ୍ଥାନରେ ପ୍ରବେଶ କଲେ 41ଯୀଶୁ ବାଳିକାର ହାତ ଧରି ତାକୁ କହିଲେ, “ଟାଲିଥା କୁମ୍!” (ଯାହାର ଅର୍ଥ, “ଛୋଟ ପିଲା, ମୁଁ ତୁମକୁ କହୁଛି, ଉଠ!”)। 42ସେହିକ୍ଷଣି ବାଳିକାଟି ଉଠି ଠିଆ ହେଲା ଓ ଚଲାବୁଲା କଲା! ସେହି ବାଳିକାର ବୟସ ବାର ବର୍ଷ ଥିଲା। ଏଥିରେ ସମସ୍ତେ ଅତିଶୟ ଆଚମ୍ବିତ ହୋଇଗଲେ! 43ଏହି ଘଟନା କାହାରିକୁ ନ ଜଣାଇବା ପାଇଁ ଯୀଶୁ ସେମାନଙ୍କୁ ଦୃଢ଼ଭାବେ ଆଦେଶ ଦେଇ ଝିଅକୁ କିଛି ଖାଇବାକୁ ଦେବା ପାଇଁ କହିଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in