YouVersion Logo
Search Icon

ମାଥିଉଲିଖିତ 17

17
ଯୀଶୁଙ୍କର ରୂପାନ୍ତର
1ଛଅଦିନ ଉତ୍ତାରେ ଯୀଶୁ କେବଳ ପିତର, ଯାକୁବ ଓ ତାଙ୍କ ଭାଇ ଯୋହନଙ୍କୁ ସଙ୍ଗରେ ନେଇ ଏକ ଉଚ୍ଚ ପର୍ବତ ଉପରକୁ ଗଲେ 2ସେହିଠାରେ ସେମାନଙ୍କ ସାକ୍ଷାତରେ ସେ ରୂପାନ୍ତରିତ ହେଲେ ତାହାଙ୍କ ମୁଖମଣ୍ଡଳ ସୂର୍ଯ୍ୟ ପରି ତେଜୋମୟ ଓ ତାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା। 3ସେତିକିବେଳେ ସେମାନଙ୍କ ପାଖରେ ମୋଶା ଓ ଏଲିୟ ଆବିର୍ଭୂତ ହୋଇ ଯୀଶୁଙ୍କ ସଙ୍ଗେ କଥାବାର୍ତ୍ତା କଲେ।
4ପିତର ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମେ ଯେ ଏଠାରେ ଅଛୁ, ଏହା ଆମ ପାଇଁ ଭଲ ହେଲା। ଆପଣ ଯଦି ଇଚ୍ଛା କରନ୍ତି, ତେବେ ମୁଁ ଏଇଠି ତିନୋଟି କୁଡ଼ିଆ ତିଆରି କରିଦେବି, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଗୋଟିଏ ଏଲିୟଙ୍କ ପାଇଁ।”
5ସେ ଏହା କହୁ କହୁ ଖଣ୍ଡେ ଉଜ୍ଜ୍ୱଳ ମେଘ ଆସି ସେମାନଙ୍କୁ ଆଚ୍ଛନ୍ନ କଲା ଏବଂ ମେଘ ମଧ୍ୟରୁ ଏକ ବାଣୀ ହେଲା, “ଏ ମୋର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ। ଏହାଙ୍କର କଥା ଶୁଣ!”
6ଶିଷ୍ୟମାନେ ତାହା ଶୁଣି ଅତ୍ୟନ୍ତ ଭିତ ହୋଇ ମୁହଁମାଡ଼ି ଭୂମିରେ ପଡ଼ିଗଲେ 7କିନ୍ତୁ ଯୀଶୁ ଯାଇ ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କର ନାହିଁ।” 8ସେମାନେ ଉଠି ଚାହିଁଲାବେଳକୁ ଯୀଶୁଙ୍କ ଛଡ଼ା ଆଉ କାହାକୁ ଦେଖିଲେ ନାହିଁ।
9ସେମାନେ ପର୍ବତରୁ ଓହ୍ଲାଇବା ବେଳେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, “ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ଥିତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଯାହା ଦେଖିଲ, ସେହିବିଷୟ କାହାକୁ କୁହ ନାହିଁ।”
10ଶିଷ୍ୟମାନେ ତାହାଙ୍କୁ ପଚାରିଲେ, “ଏଲିୟ ପ୍ରଥମେ ଆସିବେ ବୋଲି ଶାସ୍ତ୍ରଜ୍ଞମାନେ କାହିଁକି କହନ୍ତି?”
11ଯୀଶୁ ଉତ୍ତର ଦେଲେ, “ଏ କଥା ସତ ଯେ, ଏଲିୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବେ। 12କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଏଲିୟ ଆସିଗଲେଣି ଓ ସେମାନେ ତାଙ୍କୁ ଚିହ୍ନିଲେ ନାହିଁ ଓ ତାଙ୍କ ପ୍ରତି ଯାହା ଇଚ୍ଛା, ତାହା କଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହସ୍ତରେ କ୍ଲେଶଭୋଗ କରିବେ।” 13ଶିଷ୍ୟମାନେ ସେତେବେଳେ ବୁଝୀପାରିଲେ ଯେ ସେ ଡୁବକ ଯୋହନଙ୍କ ସମ୍ବନ୍ଧରେ ଏହା କହୁଥିଲେ।
ମୂର୍ଚ୍ଛାରୋଗଗ୍ରସ୍ତ ବାଳକ ସୁସ୍ଥ ହେଲା
14ସେମାନେ ଲୋକମାନଙ୍କ ନିକଟକୁ ଆସିଲା ପରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଖରେ ଆଣ୍ଠୋଇ ପଡ଼ି କହିଲା 15“ପ୍ରଭୁ, ମୋର ପୁଅଟିକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛା ରୋଗରେ ଅତ୍ୟନ୍ତ କଷ୍ଟ ପାଉଛି। ସେ କେତେବେଳେ ନିଆଁରେ ଅବା କେତେବେଳେ ପାଣିରେ ପଡ଼ି ଯାଉଛି। 16ମୁଁ ତାକୁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ଆରୋଗ୍ୟ କରିପାରିଲେ ନାହିଁ।”
17ଯୀଶୁ ଉତ୍ତର ଦେଲେ, “ହେ ଅବିଶ୍ୱାସୀ ଓ ଭ୍ରଷ୍ଟାଚାରୀ ବଂଶ, ଆଉ କେତେ କାଳ ମୁଁ ତୁମମାନଙ୍କ ସହିତ ରହିଥିବି? ଆଉ କେତେ କାଳ ତୁମ୍ଭମାନଙ୍କୁ ସମ୍ଭାଳିବି? ପିଲାଟିକୁ ମୋ ପାଖକୁ ନେଇଆସ।” 18ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଲେ ଓ ସେ ବାଳକ ମଧ୍ୟରୁ ବାହାରିଗଲା ଏବଂ ସେହି ମୁହୂର୍ତ୍ତରୁ ବାଳକ ସୁସ୍ଥ ହେଲା।
19ପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, “ଆମେ କାହିଁକି ଛଡ଼ାଇ ପାରିଲୁ ନାହିଁ?”
20ଯୀଶୁ ଉତ୍ତର ଦେଲେ, “କାରଣ ତୁମମାନଙ୍କ ବିଶ୍ୱାସ ଅତି ଅଳ୍ପ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ସୋରିଷମଞ୍ଜି ଭଳି ତୁମମାନଙ୍କର ବିଶ୍ୱାସ ଟିକକ ଥାଏ, ତେବେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା,’ କହିଲେ, ତାହା ଘୁଞ୍ଚିଯିବ। ତୁମମାନଙ୍କ ପକ୍ଷେ କୌଣସି ବିଷୟ ଅସମ୍ଭବ ନୁହେଁ। 21ମାତ୍ର ଏପ୍ରକାର ଭୂତାତ୍ମା ପ୍ରାର୍ଥନା ଓ ଉପବାସ ବିନା ବାହାରିଯାଏ ନାହିଁ।”
22ସେମାନେ ଗାଲିଲରେ ଏକାଠି ହେବା ପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ଲୋକମାନଙ୍କ ହାତରେ ବିଶ୍ୱାସଘାତକତାପୂର୍ବକ ଧରାଇ ଦିଆଯିବ। 23ସେମାନେ ତାଙ୍କୁ ବଧ କରିବେ ଓ ତୃତୀୟ ଦିନରେ ସେ ପୁନରୁଜ୍ଜୀବିତ ହେବେ।” ଏଥିରେ ଶିଷ୍ୟମାନେ ଅତ୍ୟନ୍ତ ଦୁଃଖିତ ହେଲେ।
ଯୀଶୁ ମନ୍ଦିରର କର ଦେଲେ
24ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୁମରେ ପହଞ୍ଚିଲା ପରେ ମନ୍ଦିରର କରଆଦାୟକାରୀମାନେ ପିତରଙ୍କ ନିକଟକୁ ଆସି ପଚାରିଲେ, “ତୁମର ଗୁରୁ କଅଣ ମନ୍ଦିରର କର ଦିଅନ୍ତି ନାହିଁ?”
25ପିତର ଉତ୍ତର ଦେଲେ, “ହଁ ଦିଅନ୍ତି।”
ସେ ଘର ଭିତରକୁ ଯିବା ପରେ ଯୀଶୁ ତାଙ୍କୁ ଆଗେ ପଚାରିଲେ, “ଶିମୋନ, ଏ ବିଷୟରେ ତୁମେ କଅଣ ମନେକର? ପୃଥିବୀର ରାଜାମାନେ କାହାଠାରୁ କର ଓ ଶୁଳ୍‌କ ଆଦାୟ କରନ୍ତି, ନିଜ ପୁତ୍ରମାନଙ୍କଠାରୁ ନା ଅନ୍ୟମାନଙ୍କଠାରୁ?”
26ପିତର ଉତ୍ତର ଦେଲେ, “ଅନ୍ୟମାନଙ୍କଠାରୁ।”
ଯୀଶୁ ତାଙ୍କୁ କହିଲେ, “ତାହାହେଲେ, ପୁତ୍ରମାନେ ତ କରମୁକ୍ତ। 27ତଥାପି ଆମେ ଯେପରି ସେମାନଙ୍କୁ ଅସନ୍ତୁଷ୍ଟ ନ କରୁ, ଏଥିପାଇଁ ହ୍ରଦକୂଳକୁ ଯାଇ ବନ୍‌ଶି ପକାଅ। ଯେଉଁ ମାଛ ପ୍ରଥମେ ପଡ଼ିବ, ତାହାର ମୁଖକୁ ଖୋଲ। ତୁମେ ତାହାର ମୁଖ ମଧ୍ୟରେ ଚାରି ଡ୍ରାକ୍‌ମା ବିଶିଷ୍ଟ ଏକ ମୁଦ୍ରା ପାଇବ। ଆମ ଦୁଇଜଣଙ୍କର କର ପାଇଁ ତାହା ନେଇ ସେମାନଙ୍କୁ ଦିଅ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in