YouVersion Logo
Search Icon

ମାଥିଉଲିଖିତ 15

15
କଅଣ ଶୁଚି, କଅଣ ଅଶୁଚି
1ଏହାପରେ ଯିରୂଶାଲମରୁ କେତେକ ଫାରୂଶୀ ଓ ଶାସ୍ତ୍ରଜ୍ଞ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, 2“ଆପଣଙ୍କ ଶିଷ୍ୟମାନେ କାହିଁକି ଆମ କୁଳବୃଦ୍ଧମାନଙ୍କ ପାରମ୍ପରିକ ରୀତିନୀତି ଲଘଂନ କରୁଅଛନ୍ତି? କାରଣ ସେମାନେ ଭୋଜନ କରିବା ପୂର୍ବରୁ ହାତ ଧୁଅନ୍ତି ନାହିଁ।”
3ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ପାରମ୍ପରିକ ରୀତିନୀତି ସକାଶେ ତୁମ୍ଭେମାନେ କାହିଁକି ଈଶ୍ୱରଙ୍କ ଆଜ୍ଞାଲଘଂନ କରୁଅଛ? 4ଈଶ୍ୱର ଆଜ୍ଞା ଦେଇଅଛନ୍ତି, ‘ପିତାମାତାଙ୍କୁ ମାନ୍ୟ କର, ଯେକେହି ନିଜ ପିତା ବା ମାତାର ନିନ୍ଦା କରେ, ସେ ଅବଶ୍ୟ ପ୍ରାଣଦଣ୍ଡ ପାଇବ।’ 5କିନ୍ତୁ ତୁମ୍ଭେମାନେ କହିଥାଅ, କେହି ଯଦି ତାହାର ପିତାମାତାକୁ କହେ, ତୁମ୍ଭେମାନେ ମୋ ଠାରୁ ଯେଉଁ ସାହାଯ୍ୟ ପାଇଥାଅନ୍ତ, ମୁଁ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରିଛି, ତେବେ ସେ ତାର ପିତାମାତାଙ୍କୁ ମାନ୍ୟ କରିବାକୁ ବାଧ୍ୟ ନୁହେଁ। 6ସେମାନେ ସେଥିପାଇଁ ‘ତାଙ୍କର ପିତା କିମ୍ବା ମାତାଙ୍କୁ ସମ୍ମାନ କରନ୍ତି ନାହିଁ।’ ଏହିରୂପେ, ତୁମ୍ଭମାନଙ୍କର ପରମ୍ପରା ପାଇଁ ଈଶ୍ୱରଙ୍କ ଆଦେଶ ବାକ୍ୟକୁ ତୁମ୍ଭେମାନେ ରଦ୍ଦ କରି ଦେଉଅଛ। 7ହେ କପଟାଚାରୀମାନେ, ଯିଶାଇୟ ତୁମ୍ଭମାନଙ୍କ ସମ୍ବନ୍ଧରେ ଯଥାର୍ଥରେ ଏହି ଭବିଷ୍ୟଦ୍‌ବାଣୀ କହିଥିଲେ:
8“ ‘ଏହି ଲୋକମାନେ ମୋତେ ମାନ୍ୟ କରନ୍ତି ବୋଲି କେବଳ କଥାରେ କହନ୍ତି,
କିନ୍ତୁ ସେମାନଙ୍କ ହୃଦୟ ମୋ ଠାରୁ ବହୁ ଦୂରରେ।
9ସେମାନେ ବୃଥାରେ ମୋର ଆରାଧନା କରନ୍ତି,
କାରଣ ସେମାନଙ୍କ ନିତିନିୟମ ସବୁ ମନୁଷ୍ୟରଚିତ।’ ”
10ଯୀଶୁ ଲୋକମାନଙ୍କୁ ପାଖକୁ ଡାକି କହିଲେ, “ମନ ଦେଇ ଶୁଣ ଓ ବୁଝ: 11ମନୁଷ୍ୟର ମୁଖ ଦେଇ ଯାହା ପ୍ରବେଶ କରେ, ତାହା ଯେ ତାକୁ ଅଶୁଚି କରେ, ତା ନୁହେଁ, କିନ୍ତୁ ତା ମୁଖରୁ ଯାହା ବାହାରେ, ତାହା ହିଁ ତାକୁ ଅଶୁଚି କରେ।”
12ତା ପରେ ଶିଷ୍ୟମାନେ ତାଙ୍କ ନିକଟକୁ ଆସି ପଚାରିଲେ, “ଏହି କଥା ଶୁଣି ଫାରୂଶୀମାନେ ଯେ ବିରକ୍ତ ହୋଇଛନ୍ତି, ଏହା ଆପଣ ଜାଣନ୍ତି କି?”
13ଯୀଶୁ ଉତ୍ତର ଦେଲେ, “ମୋର ସ୍ଵର୍ଗସ୍ଥ ପିତା ଯେଉଁସବୁ ବୃକ୍ଷରୋପଣ କରିନାହାନ୍ତି, ସେହିସବୁ ମୂଳରୁ ଉପୁଡ଼ା ଯିବ। 14ସେମାନଙ୍କୁ ଛାଡ଼ି ଦିଅ ସେମାନେ ଅନ୍ଧ ପଥପ୍ରଦର୍ଶକ। ଅନ୍ଧ ଯଦି ଅନ୍ଧକୁ ବାଟ କଢ଼ାଏ, ତେବେ ଉଭୟେ ଗାତରେ ପଡ଼ିବେ।”
15ପିତର ତାହାଙ୍କୁ କହିଲେ, “ଦୃଷ୍ଟାନ୍ତଟି ଆମକୁ ବୁଝାଇ ଦିଅନ୍ତୁ।”
16ଯୀଶୁ ସେମାନଙ୍କୁ ପଚାରିଲେ, “ତୁମେମାନେ ମଧ୍ୟ କଣ ଏ ଯାଏ ଏତେ ନିର୍ବୋଧ?” 17“ଯାହାକିଛି ମୁଖ ଦେଇ ପ୍ରବେଶ କରେ, ତାହା ଉଦରକୁ ଯାଇ ଯେ ଦେହରୁ ବାହାରିଯାଏ, ଏ କଥା କଣ ଜାଣ ନାହିଁ? 18ମାତ୍ର ଯାହା ମୁଖରୁ ବାହାରେ, ତାହା ହୃଦୟରୁ ବାହାରେ ଓ ଏହିସବୁ ମନୁଷ୍ୟକୁ ଅଶୁଚି କରେ। 19କାରଣ ହୃଦୟରୁ ବାହାରେ-କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ଅବୈଧ ଯୌନସମ୍ପର୍କ, ଚୋରି, ମିଥ୍ୟାସାକ୍ଷ୍ୟ ଓ ପରନିନ୍ଦା। 20ଏହିସବୁ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ହାତ ନ ଧୋଇ ଖାଇଲେ ମନୁଷ୍ୟ ଅଶୁଚି ହୁଏ ନାହିଁ।”
କିଣାନୀୟ ସ୍ତ୍ରୀର ବିଶ୍ୱାସ
21ଯୀଶୁ ସେହି ଅଞ୍ଚଳ ପରିତ୍ୟାଗ କରି ସୋର ଓ ସୀଦୋନ ଅଞ୍ଚଳକୁ ଗଲେ। 22ନିକଟବର୍ତ୍ତୀ ଅଞ୍ଚଳରୁ ଜଣେ କିଣାନୀୟ ସ୍ତ୍ରୀ ତାଙ୍କ ନିକଟକୁ ଆସି ଉଚ୍ଚସ୍ଵରରେ ଅନୁନୟ କରି କହିଲା, “ହେ ପ୍ରଭୁ, ଦାଉଦସନ୍ତାନ, ମୋ ପ୍ରତି ଦୟା କରନ୍ତୁ। ମୋର ଝିଅକୁ ଭୂତ ଧରିଥିବାରୁ ସେ ବଡ଼ ଯନ୍ତ୍ରଣା ଭୋଗ କରୁଛି।”
23କିନ୍ତୁ ଯୀଶୁ ତାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ତେଣୁ ତାଙ୍କର ଶିଷ୍ୟମାନେ ତାଙ୍କୁ ଅନୁରୋଧ କରି କହିଲେ, “ଏହାକୁ ବିଦାୟ କରନ୍ତୁ, କାରଣ ସେ ଆମ ପଛେ ପଛେ ଆସି ଚିତ୍କାର କରୁଛି।”
24ଯୀଶୁ ଉତ୍ତର ଦେଲେ, “ମୁଁ କେବଳ ଇସ୍ରାଏଲ ଜାତିର ହଜିଯାଇଥିବା ମେଷମାନଙ୍କ ନିକଟକୁ ପ୍ରେରିତ ହୋଇଛି।”
25କିନ୍ତୁ ସେହି ସ୍ତ୍ରୀଲୋକ ଆସି ତାଙ୍କ ପାଦତଳେ ପଡ଼ି କହିଲା, “ପ୍ରଭୁ, ମୋତେ ସାହାଯ୍ୟ କରନ୍ତୁ!”
26ସେ ଉତ୍ତର ଦେଲେ, “ପିଲାମାନଙ୍କ ରୋଟୀ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ୍ ନୁହେଁ।”
27ସେ କହିଲା, “ହଁ ପ୍ରଭୁ, କିନ୍ତୁ କୁକୁରମାନେ ତ ମୁନିବର ମେଜ ତଳେ ପଡ଼ିଥିବା ରୋଟୀଗୁଣ୍ଡ ଖାଇ ଥାଆନ୍ତି!”
28ଯୀଶୁ ତାକୁ ଉତ୍ତର ଦେଲେ, “ଆଗୋ ନାରୀ, ତୁମର ବିଶ୍ୱାସ ମହତ୍, ତୁମର ମନୋକାମନା ପୂର୍ଣ୍ଣ ହେଲା।” ତାହାର ଝିଅଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା।
29ଯୀଶୁ ସେହି ସ୍ଥାନରୁ ବାହାରି ଗାଲିଲୀ ହ୍ରଦ କୂଳେ କୂଳେ ଗଲେ, ତତ୍ପରେ ସେ ପାହାଡ଼ ଉପରକୁ ଯାଇ ବସିଲେ 30ବହୁସଂଖ୍ୟକ ଲୋକ ପଙ୍ଗୁ, ଅନ୍ଧ, ବିକଳାଙ୍ଗ, ମୂକ ଓ ଅନ୍ୟାନ୍ୟ ରୋଗୀଲୋକଙ୍କୁ ସଙ୍ଗରେ ନେଇ ଯୀଶୁଙ୍କ ପାଖକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ପାଖେ ରିଖିଲେ ସେ ସେମାନଙ୍କୁ ଆରୋଗ୍ୟ କଲେ। 31ଯେତେବେଳେ ଲୋକମାନେ ଦେଖିଲେ ମୂକମାନେ କଥା କହୁଛନ୍ତି, ବିକଳାଙ୍ଗ ଲୋକେ ସୁସ୍ଥ ହେଉଛନ୍ତି, ପଙ୍ଗୁମାନେ ଚାଲୁଛନ୍ତି ଓ ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ସେତେବେଳେ ସେମାନେ ଆଚମ୍ବିତ ହେଲେ ଓ ଇସ୍ରାଏଲର ଈଶ୍ୱରଙ୍କର ସ୍ତୁତିବାଦ କଲେ।
ଯୀଶୁ ଚାରିହଜାର ଲୋକଙ୍କୁ ଭୋଜନ କରାଇଲେ
32ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ଏହି ଲୋକମାନଙ୍କ ପ୍ରତି ମୋର ଦୟା ଜାତ ହେଉଛି। ଏମାନେ ତିନିଦିନ ହେଲାଣି ମୋ ସହିତ ରହିଛନ୍ତି ଓ ଏମାନଙ୍କ ପାଖେ କିଛି ଖାଦ୍ୟ ନାହିଁ। ଏମାନଙ୍କୁ ଭୋକ ଉପାସରେ ବିଦାୟ କରିଦେବାକୁ ମୋର ଇଚ୍ଛା ହେଉ ନାହିଁ, କାରଣ ସେମାନେ ହୁଏତ ବାଟରେ ମୂର୍ଚ୍ଛା ଯିବେ।”
33ତାହାଙ୍କ ଶିଷ୍ୟମାନେ ଉତ୍ତର ଦେଲେ, “ଆମେ ଏ ନିର୍ଜନ ସ୍ଥାନରେ ଏତେ ଲୋକଙ୍କ ପାଇଁ କେଉଁଠାରୁ ଯଥେଷ୍ଟ ଖାଦ୍ୟ ପାଇବା?”
34ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି?”
ସେମାନେ ଉତ୍ତର ଦେଲେ, “ସାତୋଟି ରୋଟୀ ଓ କେତୋଟି ସାନ ସାନ ମାଛ।”
35ଯୀଶୁ ଲୋକମାନଙ୍କୁ ଭୂମିରେ ବସିବାକୁ କହିଲେ 36ତତ୍ପରେ ସେ ସାତୋଟି ରୋଟୀ ଓ ମାଛଗୁଡ଼ୁକୁ ନେଲେ ଏବଂ ଧନ୍ୟବାଦ ଦେଲା ପରେ ସେଗୁଡ଼ିକୁ ଖଣ୍ଡେ ଖଣ୍ଡେ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ସେମାନେ ତାହା ନେଇ ଲୋକମାନଙ୍କୁ ଦେଲେ। 37ସେମାନେ ସମସ୍ତେ ଖାଇ ତୃପ୍ତ ହେଲେ ପରେ ଶିଷ୍ୟମାନେ ବଳିଥିବା ରୋଟୀ ଗୁଡାକ ଗୋଟାଇବାରୁ ସାତୋଟି ଟୋକେଇ ପୂର୍ଣ୍ଣ ହୋଇଗଲା! 38ଭୋଜନ କରିଥିବା ଲୋକଙ୍କ ମଧ୍ୟରୁ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ିଦେଲେ ପୁରୁଷଙ୍କ ସଂଖ୍ୟା ଥିଲା, ଚାରିହଜାର। 39ଯୀଶୁ ଲୋକମାନଙ୍କୁ ବିଦାୟ କଲାପରେ ନୌକାରେ ବସି ମାଗଦାନ୍ ଅଞ୍ଚଳକୁ ଗଲେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in