YouVersion Logo
Search Icon

ଗାଲାତୀୟ 6

6
ପରସ୍ପରର ଭାର ବହନ କରିବା
1ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ, ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। 2ପରସ୍ପରର ଭାର ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। 3ଯଦି କୌଣସି ଲୋକ ଅସାର ହେଲେ ହେଁ ଆପଣାକୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ। 4କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ, ତେବେ ସେ ଅନ୍ୟ ସହିତ ଆପଣାକୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ପାଇବ; 5କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ। 6କିନ୍ତୁ ଯେ ଈଶ୍ବରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ। 7ଭ୍ରାନ୍ତ ନ ହୁଅ; ଈଶ୍ବର ବିଦୃପର ପାତ୍ର ନୁହଁନ୍ତି; କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ। 8ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ପବିତ୍ର ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୂପ ଶସ୍ୟ କାଟିବ। 9ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। 10ଅତଏବ, ଆମ୍ଭେମାନେ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ, ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ।
ଶେଷ ସତର୍କବାଣୀ ଓ ଅଭିବାଦନ
11ଦେଖ, କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଅଛି। 12ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି; ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥିନିମନ୍ତେ ତାହା କରନ୍ତି। 13କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମ୍ଭମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି। 14କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋʼଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋʼ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। 15କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। 16ଆଉ, ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି, ସେମାନଙ୍କ ଉପରେ ଓ ଈଶ୍ବରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। 17ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି। 18ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ। ଆମେନ୍‍।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in