YouVersion Logo
Search Icon

ଏଫିସୀୟ 1

1
ଅଭିବାଦନ
1ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି। 2ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଖ୍ରୀଷ୍ଟଙ୍କଠାରେ ନିହିତ ଆତ୍ମିକ ଆଶୀର୍ବାଦ
3ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, 4ଅର୍ଥାତ୍‍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; 5ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ; 6ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। 7ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍‍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। 8ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। 9ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି, 10ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। 11ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ, 12ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ। 13ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍‍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; 14ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।
ପାଉଲଙ୍କ ପ୍ରାର୍ଥନା
15ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, 16ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। 17ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ବର, ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି; 18ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ତାହାଙ୍କ ଆହ୍ୱାନର ଭରସା କଅଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ କଅଣ, 19ପୁଣି, ବିଶ୍ୱାସୀ ଯେ ଆମ୍ଭେମାନେ, ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କଅଣ, ଏହିସବୁ ଜାଣି ପାର; 20ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, 21ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ, 22ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକରୂପେ ମଣ୍ଡଳୀକୁ ଦାନ କଲେ; 23ସେହି ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର ସ୍ୱରୂପ, ଅର୍ଥାତ୍‍ ଯେ ସମସ୍ତ ବିଷୟକୁ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ତାହାଙ୍କ ପୂର୍ଣ୍ଣତା।

Currently Selected:

ଏଫିସୀୟ 1: IRVOry

Highlight

Copy

Compare

Share

None

Want to have your highlights saved across all your devices? Sign up or sign in