YouVersion Logo
Search Icon

ଯିଖରୀୟ 8

8
ସିୟୋନର ଆଗାମୀ ଶାନ୍ତି ଓ ସମୃଦ୍ଧି
1ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, 2ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସିୟୋନର ପାଇଁ ମହା ଅନ୍ତର୍ଜ୍ୱାଳାରେ ଜ୍ୱଳୁଅଛୁ ଓ ତାହା ପାଇଁ ଆମ୍ଭେ ପ୍ରଚଣ୍ଡ କୋପରେ ଜ୍ୱଳୁଅଛୁ। 3ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ରୂପେ ବିଖ୍ୟାତ ହେବ।” 4ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ବୃଦ୍ଧ ପୁରୁଷ ଓ ସ୍ତ୍ରୀମାନେ ଯିରୂଶାଲମର ସବୁ ପଥରେ ବାସ କରିବେ ଓ ବହୁବୟସ୍କ ହେତୁ ପ୍ରତ୍ୟେକେ ଆପଣା ଆପଣା ହାତରେ ବାଡ଼ି ଧରିବେ। 5ପୁଣି, ଦାଣ୍ଡରେ ଖେଳିବା ପାଇଁ ବାଳକ ଓ ବାଳିକାରେ ନଗରର ପଥସବୁ ପରିପୂର୍ଣ୍ଣ ହେବ।” 6ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି। 7ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ‘ଦେଖ, ଯେ ଆପଣା ଲୋକମାନଙ୍କୁ ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଉଦ୍ଧାର କରନ୍ତି ! 8ପୁଣି, ଆମ୍ଭେ ସେମାନଙ୍କୁ ଆଣିବା, ତହିଁରେ ସେମାନେ ଯିରୂଶାଲମ ମଧ୍ୟରେ ବାସ କରିବେ; ଆଉ, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସତ୍ୟ ଓ ଧାର୍ମିକତାରେ ସେମାନଙ୍କର ପରମେଶ୍ୱର ହେବା।’” 9ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହ, ଅର୍ଥାତ୍‍, ମନ୍ଦିରର ନିର୍ମାଣ ନିମନ୍ତେ ଯେଉଁ ଦିନ ତହିଁର ଭିତ୍ତିମୂଳ ସ୍ଥାପିତ ହୋଇଥିଲା, ସେହି ସମୟରେ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଥିଲେ, ସେମାନଙ୍କ ମୁଖରୁ ଏହି ସକଳ କଥା ବର୍ତ୍ତମାନ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କର ହସ୍ତ ସବଳ ହେଉ।” 10କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ। 11ମାତ୍ର ଏବେ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କର ପ୍ରତି ପୂର୍ବକାଳର ପରି ହେବା ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। 12କାରଣ ଶାନ୍ତିଯୁକ୍ତ ବୀଜ ବୁଣା ଯିବ। ଦ୍ରାକ୍ଷାଲତା ଫଳବତୀ ହେବ ଓ ଭୂମି ଆପଣା ଫଳ ଉତ୍ପନ୍ନ କରିବ, ଆଉ ଆକାଶ ଆପଣା ଶିଶିର ଦାନ କରିବ ଓ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କୁ ଏହି ସମସ୍ତର ଅଧିକାରୀ କରାଇବା। 13ପୁଣି, ହେ ଯିହୁଦା-ବଂଶ ଓ ଇସ୍ରାଏଲ-ବଂଶ, ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟରେ ଯେପରି ଅଭିଶାପ ସ୍ୱରୂପ ହୋଇଥିଲ, ସେପରି ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ତୁମ୍ଭେମାନେ ଆଶୀର୍ବାଦ ସ୍ୱରୂପ ହେବ। ଭୟ କର ନାହିଁ, ମାତ୍ର ତୁମ୍ଭମାନଙ୍କର ହସ୍ତ ସବଳ ହେଉ। 14କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଙ୍କୁ କ୍ରୋଧ କରାଇବା ବେଳେ ଆମ୍ଭେ ଯେପରି ତୁମ୍ଭମାନଙ୍କର ଅମଙ୍ଗଳ କରିବାକୁ ସଂକଳ୍ପ କଲୁ ଓ ଦୁଃଖିତ ନ ହେଲୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।” 15ସେପରି ଆମ୍ଭେ ବର୍ତ୍ତମାନ ସମୟରେ ଯିରୂଶାଲମ ପ୍ରତି ଓ ଯିହୁଦା-ବଂଶ ପ୍ରତି ମଙ୍ଗଳ କରିବା ପାଇଁ ପୁନର୍ବାର ସଂକଳ୍ପ କରିଅଛୁ; ତୁମ୍ଭେମାନେ ଭୟ କର ନାହିଁ। 16ତୁମ୍ଭମାନଙ୍କୁ ଏହିସବୁ କାର୍ଯ୍ୟ କରିବାକୁ ହେବ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ନିକଟରେ ସତ୍ୟ କୁହ; ଆପଣା ଆପଣା ନଗର-ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବିଚାର ସାଧନ କର; 17ପୁଣି, ତୁମ୍ଭମାନଙ୍କର କେହି ମନେ ମନେ ଆପଣା ପ୍ରତିବାସୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା ନ କରୁ; କୌଣସି ମିଥ୍ୟା ଶପଥ ଭଲ ପାଅ ନାହିଁ; କାରଣ ଏହିସବୁ ବିଷୟକୁ ଆମ୍ଭେ ଘୃଣା କରୁ, ଏହା ସଦାପ୍ରଭୁ କହନ୍ତି। 18ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, 19ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଚତୁର୍ଥ ମାସର ଉପବାସ ଓ ପଞ୍ଚମ ମାସର ଉପବାସ ଓ ସପ୍ତମ ମାସର ଉପବାସ ଓ ଦଶମ ମାସର ଉପବାସ ଯିହୁଦା-ବଂଶ ପ୍ରତି ଆନନ୍ଦ ଓ ଆହ୍ଲାଦଜନକ ଓ ଆମୋଦଜନକ ଉତ୍ସବ ହେବ; ଏଥିପାଇଁ ତୁମ୍ଭେମାନେ ସତ୍ୟ ଓ ଶାନ୍ତି ଭଲ ପାଅ।” 20ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ନାନାଗୋଷ୍ଠୀ ଓ ଅନେକ ନଗରର ନିବାସୀମାନେ ଆସିବେ। 21ପୁଣି, ଏକ ନଗରର ନିବାସୀମାନେ ଅନ୍ୟ ନଗରକୁ ଯାଇ କହିବେ, “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଶୀଘ୍ର ଯାଉ; ମୁଁ ମଧ୍ୟ ଯିବି।” 22ହଁ, ଅନେକ ଦେଶର ଲୋକେ ଓ ବଳବାନ ଗୋଷ୍ଠୀଗଣ ଯିରୂଶାଲମରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଓ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆସିବେ। 23ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସେହି ସମୟରେ ଏପରି ଘଟିବ ଯେ, ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ପୁରୁଷ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରି ଏହି କଥା କହିବେ, ‘ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।’”

Currently Selected:

ଯିଖରୀୟ 8: ORYIRV

Highlight

Copy

Compare

Share

None

Want to have your highlights saved across all your devices? Sign up or sign in