ଯିଖରୀୟ 7
7
ଛଳନାପୂର୍ଣ୍ଣ ଉପବାସ
1ପୁଣି, ଦାରୀୟାବସ ରାଜାର ରାଜତ୍ୱର ଚତୁର୍ଥ ବର୍ଷରେ,କିଷ୍ଲେବ ନାମକ ନବମ ମାସର ଚତୁର୍ଥ ଦିନରେ ଯିଖରୀୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା। 2ସେହି ସମୟରେ ବେଥେଲ୍ସ୍ଥ ଲୋକମାନେ ଶରେତ୍ସର, ରେଗମ୍ମେଲକ ଓ ସେମାନଙ୍କର ଲୋକମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ବିନତି କରିବା ପାଇଁ ପ୍ରେରଣ କରିଥିଲେ, 3ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହର ଯାଜକମାନଙ୍କୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ଏହି କଥା ପଚାରିଲେ, ସେମାନେ କହିଲେ, “ମୁଁ ଏତେ ବର୍ଷଯାଏ ଯେପରି କରି ଆସିଅଛି, ସେପରି ମୁଁ କି ପଞ୍ଚମ ମାସରେ ଆପଣାକୁ ଉପବାସ କରି ବିଳାପ କରିବି ?” 4ସେତେବେଳେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, 5ଦେଶର ସମଗ୍ର ଲୋକଙ୍କୁ ଓ ଯାଜକମାନଙ୍କୁ ଏହି କଥା କୁହ, “ତୁମ୍ଭେମାନେ ଏହି ସତୁରି ବର୍ଷଯାକ, ପଞ୍ଚମ ମାସରେ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲା ବେଳେ ତୁମ୍ଭେମାନେ କି ପ୍ରକୃତରେ ଆମ୍ଭ ଉଦ୍ଦେଶ୍ୟରେ ଉପବାସ କଲ ? 6ପୁଣି, ତୁମ୍ଭେମାନେ ଭୋଜନ କଲା ବେଳେ ଓ ପାନ କଲା ବେଳେ କି ଆପଣାମାନଙ୍କ ପାଇଁ ଭୋଜନ କରୁ ନାହଁ ଓ ଆପଣାମାନଙ୍କ ପାଇଁ ପାନ କରୁ ନାହଁ ? 7ଯିରୂଶାଲମ ବସତିବିଶିଷ୍ଟ ଓ ସମୃଦ୍ଧ ଅବସ୍ଥାରେ ଥିବା ବେଳେ, ପୁଣି ତହିଁର ଚତୁର୍ଦ୍ଦିଗସ୍ଥ ନଗରସକଳ, ଆଉ ଦକ୍ଷିଣ ଦେଶ ଓ ନିମ୍ନଭୂମି ବସତିବିଶିଷ୍ଟ ଥିବା ବେଳେ ସଦାପ୍ରଭୁ ପୂର୍ବକାଳର ଭବିଷ୍ୟଦ୍ବକ୍ତାଗଣଙ୍କ ଦ୍ୱାରା ଯେଉଁ ସକଳ ବାକ୍ୟ ପ୍ରଚାର କରାଇଅଛନ୍ତି, ତାହା କି ତୁମ୍ଭମାନଙ୍କର ଶୁଣିବାର ଉଚିତ୍ ନୁହେଁ ?”
ନିର୍ବାସନର କାରଣ - ଅବାଧ୍ୟତା
8ଏଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିଖରୀୟଙ୍କ ନିକଟରେ ଉପସ୍ଥିତ ହେଲା, 9ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ଯଥାର୍ଥ ବିଚାର କର, ପ୍ରତ୍ୟେକ ଲୋକ, ଆପଣା ଭ୍ରାତା ପ୍ରତି ଦୟା ଓ କରୁଣା ପ୍ରକାଶ କର। 10ପୁଣି ବିଧବା, ପିତୃହୀନ, ବିଦେଶୀ ଓ ଦରିଦ୍ରର ପ୍ରତି ଉପଦ୍ରବ କର ନାହିଁ; ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି ମନେ ମନେ ଆପଣା ଭ୍ରାତାର ଅନିଷ୍ଟ ଚିନ୍ତା ନ କରୁ।” 11ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ ଓ ଶକ୍ତଗ୍ରୀବ ହେଲେ ଓ ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ। 12ହଁ, ସେମାନେ ଯେପରି ବ୍ୟବସ୍ଥା ଓ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଆତ୍ମା ଦ୍ୱାରା ପୂର୍ବକାଳର ଭବିଷ୍ୟଦ୍ବକ୍ତାଗଣର ହସ୍ତରେ ଯେଉଁ ଯେଉଁ ବାକ୍ୟ କହି ପଠାଇଲେ, ତାହା ଯେପରି ନ ଶୁଣିବେ, ଏଥିପାଇଁ ସେମାନେ ଆପଣା ଆପଣା ଅନ୍ତଃକରଣ ହୀରକ ପ୍ରସ୍ତର ତୁଲ୍ୟ କଠିନ କଲେ। ଏଥିସକାଶୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରୁ ମହାକୋପ ଉପସ୍ଥିତ ହେଲା। 13ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ମୁଁ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ଆମ୍ଭେ ଶୁଣିବା ନାହିଁ, 14ମାତ୍ର ଯେଉଁ ଗୋଷ୍ଠୀଗଣକୁ ସେମାନେ ଜାଣି ନାହାନ୍ତି, ସେହି ସମସ୍ତଙ୍କ ମଧ୍ୟରେ ଘୂର୍ଣ୍ଣିବାୟୁ ଦ୍ୱାରା ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଏହି ପ୍ରକାରେ ସେମାନଙ୍କ ଦେଶ ଧ୍ୱଂସର ସ୍ଥାନ ହେଲା, ତହିଁରେ କୌଣସି ମନୁଷ୍ୟ ତହିଁର ମଧ୍ୟଦେଇ ଗମନାଗମନ କଲା ନାହିଁ; କାରଣ ସେମାନେ ସୁନ୍ଦର ଦେଶକୁ ଧ୍ୱଂସର ସ୍ଥାନ କଲେ।”
Currently Selected:
ଯିଖରୀୟ 7: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0