ମାର୍କ 12
12
ଦ୍ରାକ୍ଷାକ୍ଷେତ୍ରରେ ଦୁଷ୍ଟ ଭାଗଚାଷୀଙ୍କ ଦୃଷ୍ଟାନ୍ତ
(ମାଥିଉ 21:33-46; ଲୂକ 20:9-19)
1ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ । 2ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ । 3କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ । 4ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ । 5ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ । 6ତାଙ୍କ ନିକଟରେ ଜଣେ ମାତ୍ର ରହିଲେ, ସେ ତାଙ୍କ ପ୍ରିୟ ପୁତ୍ର । ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ଅବଶେଷରେ ତାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ । 7ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ । 8ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ । 9ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କ'ଣ କରିବେ ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ । 10ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; 11ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ ? 12ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ ।
କର ଦେବା ପ୍ରସଙ୍ଗ
(ମାଥିଉ 22:15-22; ଲୂକ 20:20-26)
13ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ । 14ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି । କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ ? 15ଆମ୍ଭେମାନେ ଦେବା କି ନାହିଁ ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ ? ଗୋଟିଏ ମୁଦ୍ରା ମୋ' ପାଖକୁ ଆଣ, ମୁଁ ତାହା ଦେଖେ । 16ତହିଁରେ ସେମାନେ ତାହା ଆଣିଲେ । ଯୀଶୁ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର ? ସେମାନେ ତାହାଙ୍କୁ କହିଲେ, କାଇସରଙ୍କର । 17ସେଥିରେ ଯୀଶୁ ସେମାନଙ୍କୁ କହିଲେ, କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ । ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ ।
ସାଦ୍ଦୂକୀଙ୍କ ପୁନରୁତ୍ଥାନର ପ୍ରଶ୍ନ
(ମାଥିଉ 22:23-33; ଲୂକ 20:27-40)
18ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ, 19ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ । 20ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା; 21ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା, 22ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା । 23ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ । 24ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି, ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ ? 25ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି । 26ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ? 27ସେ ମୃତମାନଙ୍କର ଈଶ୍ୱର ନୁହଁନ୍ତି, ମାତ୍ର ଜୀବିତମାନଙ୍କର । ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ ।
ଶ୍ରେଷ୍ଠ ଆଜ୍ଞା
(ମାଥିଉ 22:34-40; ଲୂକ 10:25-28)
28ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ ? 29ଯୀଶୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି; 30ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର । 31ଦ୍ୱିତୀୟଟି ଏହି, ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ । 32ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି; 33ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଗୁରୁତର । 34ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ । ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।
ଖ୍ରୀଷ୍ଟ କାହାର ସନ୍ତାନ
(ମାଥିଉ 22:41-46; ଲୂକ 20:41-44)
35କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି ? 36ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ । 37ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ ?
ଶାସ୍ତ୍ରୀମାନଙ୍କଠାରୁ ସତର୍କତା
(ମାଥିଉ 23:1-36; ଲୂକ 20:45-47)
38ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ । ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, ଶାସ୍ତ୍ରୀମାନଙ୍କଠାରୁ ସାବଧାନ ! ସେମାନେ ଲମ୍ବା ପୋଷାକ ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର, 39ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି; 40ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ ।
ବିଧବାର ଦାନ
(ମାଥିଉ 21:1-4)
41ପରେ ସେ ଭଣ୍ଡାର ସମ୍ମୁୁଖରେ ବସି ଲୋକସମୂହ କିପରି ସେଥିରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ । ସେତେବେଳେ ଅନେକ ଧନୀ ଲୋକ ସେଥିରେ ବେଶି ପକାଇଲେ; 42ଆଉ ଜଣେ ଦରିଦ୍ର ବିଧବା ଆସି ଏକ ଅଳ୍ପ ମୂଲ୍ୟର ଦୁଇ ତମ୍ବା ପଇସା ସେଥିରେ ପକାଇଲା । 43ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି; 44କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହି ସବୁ ପକାଇଲା ।
Currently Selected:
ମାର୍କ 12: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0