ମାର୍କ 11
11
ଯୀଶୁଙ୍କ ବିଜୟ ଯାତ୍ରା
(ମାଥିଉ 21:1-11; ଲୂକ 19:28-40; ଯୋହନ 12:12-19)
1ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବେଥ୍ଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 2ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବାକ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାକୁ ଫିଟାଇ ଘେନିଆସ । 3ଆଉ, ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ । 4ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ । 5ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କ'ଣ କରୁଅଛ ? 6ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ । 7ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ । 8ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ । 9ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ ! 10ଆମ୍ଭମାନଙ୍କ ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା ! 11ପରେ ସେ ଯିରୂଶାଲମକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନିଆକୁ ବାହାରିଗଲେ,।
ଡିମ୍ବିରି ଗଛକୁ ଯୀଶୁଙ୍କ ଅଭିଶାପ
(ମାଥିଉ 21:18,19)
12ତହିଁ ଆରଦିନ ବେଥନିଆରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ; 13ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ । କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା । 14ସେଥିରେ ଯୀଶୁ ତାହାକୁ କହିଲେ, ଆଉ କଦାପି କେହି ତୋଠାରୁ ଫଳ ନ ଖାଉ । ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ ।
ଯୀଶୁଙ୍କ ମନ୍ଦିର ପରିଷ୍କାର
(ମାଥିଉ 21:12-17; ଲୂକ 19:45-48; ଯୋହନ 2:13-22)
15ତାହା ପରେ ସେମାନେ ଯିରୂଶାଲମକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ, 16ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ, 17ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କ'ଣ ଲେଖା ନାହିଁ, ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ ? କିନ୍ତୁ ତୁମ୍ଭେମାନେ ତାହାକୁ 'ଡକାୟତମାନଙ୍କ ଗହ୍ୱର' କରିଅଛ । 18ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରି ପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ । 19ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ ।
ଶୁଷ୍କ ଡିମ୍ବିରି ବୃକ୍ଷରୁ ଶିକ୍ଷା
(ମାଥିଉ 21:20-22)
20ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିଗଛଟି ମୂଳରୁ ଶୁଖିଯାଇଥିବା ଦେଖିଲେ । 21ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରି ଗଛକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି । 22ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କଠାରେ ବିଶ୍ୱାସ ରଖ । 23ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତା' ନିମନ୍ତେ ତାହା ଘଟିବ । 24ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ । 25ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ । 26[କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।]
ଯୀଶୁଙ୍କ ଅଧିକାରକୁ ଆହ୍ୱାନ
(ମାଥିଉ 21:23-27; ଲୂକ 20:1-8)
27ପରେ ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, 28ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା ? 29କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି । 30ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା ? ମୋତେ ଉତ୍ତର ଦିଅ । 31ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ? 32ଅବା ମନୁଷ୍ୟଠାରୁ ବୋଲି କଅଣ କହିବା ? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ । 33ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।
Currently Selected:
ମାର୍କ 11: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0