ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11
11
ଶୁଚି ଅଶୁଚି ଜୀବ
1ତା’ପରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2“ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରେ ଏହି ସମସ୍ତ ଜୀବ ଭୋଜନ କରିବ। 3ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା ଓ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ। 4ତଥାପି ଯେଉଁମାନେ ପାକୁଳି କରନ୍ତି, ଅଥବା ବିଭକ୍ତ ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହି ଏହି ପଶୁ ଭୋଜନ କରିବ ନାହିଁ, ଯଥା, ଓଟ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି। 5ପୁଣି ଶାଫନ୍ (ଓଧ) ପଶୁ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି। 6ଆଉ, ଠେକୁଆ, ଯେହେତୁ ସେ ପାକୁଳି କରେ, ମାତ୍ର ବିଭକ୍ତ ଖୁରାବିଶିଷ୍ଟ ନୁହେଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି। 7ପୁଣି, ଶୂକର, ଯେହେତୁ ସେ ବିଭକ୍ତ ଖୁରା ଓ ଚିରାପାଦବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି। 8ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
9ଜଳଜନ୍ତୁ ମଧ୍ୟରୁ ଏହି ସବୁ ତୁମ୍ଭେମାନେ ଭୋଜନ କରିବ; ଜଳରେ, ସମୁଦ୍ରରେ ଓ ନଦୀରେ ସ୍ଥିତ ଜନ୍ତୁ ମଧ୍ୟରେ ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ। 10ମାତ୍ର ସମୁଦ୍ରରେ ଓ ନଦୀରେ ସ୍ଥିତ ସମସ୍ତ ଜଳଚର, ଅବା ଜଳସ୍ଥିତ ପ୍ରାଣୀମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ଅଟନ୍ତି, 11ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ହେବେ; ତୁମ୍ଭେମାନେ ସେମାନଙ୍କର ମାଂସ ଭୋଜନ କରିବ ନାହିଁ, ପୁଣି ସେମାନଙ୍କ ଶବକୁ ଘୃଣା କରିବ। 12ଜଳଜନ୍ତୁ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।
13ଆଉ, ପକ୍ଷୀମାନଙ୍କ ମଧ୍ୟରୁ ଏହି ସବୁ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ; ସେମାନେ ଖାଦ୍ୟ ନୁହନ୍ତି; ଉତ୍କ୍ରୋଶ ଓ ହାଡ଼ଭଙ୍ଗା ଓ ବହୀରି, 14ପୁଣି, ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ, 15ପୁଣି, ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ, 16ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ, ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ, 17ପୁଣି, କୋଷପକ୍ଷୀ, ପାଣିକୁଆ, ବଗ, 18ଦୀର୍ଘଗଳ ହଂସ, ପାଣିଭେଳା, ଶାଗୁଣା; 19ପୁଣି ବଗ, ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ଚାମଚିକା।
20ପୁଣି, ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ। 21ତଥାପି ଚାରି ପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୂମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ, ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବେ। 22ଅର୍ଥାତ୍, ଆପଣା ଆପଣା ଜାତି ଅନୁସାରେ ପଙ୍ଗପାଳ, ଆପଣା ଆପଣା ଜାତି ଅନୁସାରେ ବାଘୁଆଫଡ଼ିଙ୍ଗ, ଆପଣା ଆପଣା ଜାତି ଅନୁସାରେ ଝିଙ୍କାରୀ ଓ ଆପଣା ଆପଣା ଜାତି ଅନୁସାରେ ଝିଣ୍ଟିକା, ଏହି ସକଳ ତୁମ୍ଭମାନଙ୍କର ଖାଦ୍ୟ ହେବେ। 23ମାତ୍ର ଏହା ଛଡ଼ା ଚାରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ।
24ଆଉ, ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 25ପୁଣି, ଯେକେହି ସେମାନଙ୍କ ଶବର କୌଣସି ଅଂଶ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 26ଯେଉଁସବୁ ପଶୁର ଖୁରା ବିଭକ୍ତ, ମାତ୍ର ପାଦ ଚିରା ନୁହେଁ, କିଅବା ଯେଉଁମାନେ ପାକୁଳି କରନ୍ତି ନାହିଁ, ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି; ଯେକେହି ସେମାନଙ୍କୁ ଛୁଇଁବ, ସେ ଅଶୁଚି ହେବ। 27ପୁଣି ଚାରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି; ଯେକେହି ସେମାନଙ୍କର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28ପୁଣି, ଯେକେହି ସେମାନଙ୍କର ଶବ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।
29ଆଉ, ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସବୁ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ଖୋଲେଦ (ଗୋଧି) ଓ ମୂଷା; ପୁଣି, ଆପଣା ଆପଣା ଜାତି ଅନୁସାରେ ବଡ଼ ଏଣ୍ଡୁଅ; 30ଆଉ, ଏଣ୍ଡୁଅ ଓ ସ୍ଥଳ କୁମ୍ଭୀର, ଝିଟିପିଟି, ବାଲିଏଣ୍ଡୁଅ ଓ ବହୁରୂପୀ (ପୋହଳା ଏଣ୍ଡୁଅ)। 31ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ; ସେମାନେ ମଲେ ଯେକେହି ସେମାନଙ୍କୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 32ସେମାନଙ୍କ ମଧ୍ୟରୁ କୌଣସି ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ, ତାହା ଅଶୁଚି ହେବ; କାଠ ପାତ୍ର, ବସ୍ତ୍ର, ଚର୍ମ କି ଅଖା, ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡ଼ିଲେ, ତାହା ଜଳରେ ଡୁବାଯିବ, ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ତାହା ଶୁଚି ହେବ। 33ପୁଣି, କୌଣସି ମାଟି ପାତ୍ର ମଧ୍ୟରେ ସେମାନଙ୍କର ଶବ ପଡ଼ିଲେ, ତହିଁ ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟ ଅଶୁଚି ହେବ ଓ ତୁମ୍ଭେମାନେ ତାହା ଭାଙ୍ଗି ପକାଇବ। 34ପୁଣି, ଯେଉଁ ସବୁ ଖାଦ୍ୟଦ୍ରବ୍ୟ ଉପରେ ଜଳ ଥାଏ, ତାହା ଅଶୁଚି ହେବ; ପୁଣି, ସର୍ବପ୍ରକାର ପାତ୍ରରେ ସର୍ବପ୍ରକାର ପେୟଦ୍ରବ୍ୟ ଅଶୁଚି ହେବ; 35ପୁଣି, ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କ ଶବର କିଛି ପଡ଼େ, ତାହା ଅଶୁଚି ହେବ; ତନ୍ଦୁର ହେଉ କି ଚୁଲି ହେଉ, ତାହା ଭଙ୍ଗାଯିବ; ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
36ତଥାପି ନିର୍ଝର କିଅବା ଯେଉଁ କୂପରେ ଅନେକ ଜଳ ଥାଏ, ତାହା ଶୁଚି ହେବ; ମାତ୍ର ଯେ ସେମାନଙ୍କର ଶବ ଛୁଇଁବ, ସେ ଅଶୁଚି ହେବ। 37ପୁଣି, ଯେଉଁ ବିହନ ବୁଣା ଯିବାକୁ ଅଛି, ତହିଁ ଉପରେ ଯେବେ ସେମାନଙ୍କ ଶବର କିଛି ପଡ଼େ, ତେବେ ତାହା ଶୁଚି ରହିବ। 38ମାତ୍ର ବିହନ ଉପରେ ଜଳ ଥିଲେ, ଯେବେ ସେମାନଙ୍କ ଶବର କିଛି ତହିଁ ଉପରେ ପଡ଼େ, ତେବେ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
39ଆଉ, ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ତାହାର ଶବ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 40ପୁଣି, ଯେକେହି ତାହାର ଶବ ଖାଏ, ସେ ଆପଣା ବସ୍ତ୍ର ଧୋଇବ, ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ଯେକେହି ତାହା ବହେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
41ଆଉ, ଭୂଚର ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଘୃଣାଯୋଗ୍ୟ ଅଟେ; ତାହା ଖାଦ୍ୟ ହେବ ନାହିଁ। 42ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରି ପାଦରେ ଗମନ କରନ୍ତି, ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ; କାରଣ ସେମାନେ ଘୃଣାଯୋଗ୍ୟ। 43ତୁମ୍ଭେମାନେ ଏହି ସବୁ ଭୂଚର ଉରୋଗାମୀ ଜନ୍ତୁ ଦ୍ୱାରା ଆପଣାମାନଙ୍କୁ ଘୃଣାଯୋଗ୍ୟ କରିବ ନାହିଁ, କିଅବା ତୁମ୍ଭେମାନେ ଅଶୁଚି ହେବା ନିମନ୍ତେ ସେମାନଙ୍କ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ। 44କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ; ଏହେତୁ ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ; ଯେହେତୁ ମୁଁ ପବିତ୍ର; ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ଆପଣାମାନଙ୍କୁ ଅଶୁଚି କରିବ ନାହିଁ। 45କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମୁଁ ସଦାପ୍ରଭୁ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛି; ଏନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ମୁଁ ପବିତ୍ର ଅଟେ। 46ଶୁଚି ଓ ଅଶୁଚି ଏବଂ ଖାଦ୍ୟ ଓ ଅଖାଦ୍ୟ ପଶୁମାନଙ୍କ ପ୍ରଭେଦ ଜଣାଇବା ପାଇଁ, 47ପଶୁ, ପକ୍ଷୀ, ଜଳଚର ପ୍ରାଣୀ ଓ ଉରୋଗାମୀ ଭୂଚର ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା।”
Currently Selected:
ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 11: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0