ଯିହୋଶୂୟ 18
18
ଅବଶିଷ୍ଟାଂଶ ଅଞ୍ଚଳର ବଣ୍ଟନ
1ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ବୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା। 2ସେ ସମୟରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଅଧିକାର-ଅପ୍ରାପ୍ତ ସାତ ବଂଶ ଅବଶିଷ୍ଟ ଥିଲେ। 3ତହିଁରେ ଯିହୋଶୂୟ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମ୍ଭେମାନେ କେତେ କାଳ ଆଳସ୍ୟ କରିବ? 4ତୁମ୍ଭେମାନେ ପ୍ରତ୍ୟେକ ବଂଶ ପାଇଁ ତିନି ତିନି ଜଣ ଦିଅ; ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା, ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କ ଅଧିକାରାନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ। 5ପୁଣି ସେମାନେ ତାହା ସାତ ଭାଗରେ ବିଭାଗ କରିବେ; ଦକ୍ଷିଣ ଦିଗରେ ଆପଣା ସୀମାରେ ଯିହୁଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଯୋଷେଫ ବଂଶ ରହିବେ। 6ଏହିରୂପେ ତୁମ୍ଭେମାନେ ଦେଶକୁ ସାତ ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ; ତହିଁରେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। 7କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର; ଆଉ ଗାଦ୍ ଓ ରୁବେନ୍ ଓ ମନଃଶିର ଅର୍ଦ୍ଧ ବଂଶ ଯର୍ଦ୍ଦନ-ପୂର୍ବପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି। 8ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ; ପୁଣି ଯିହୋଶୂୟ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ; ତହିଁରେ ଆମ୍ଭେ ଏହି ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। 9ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ ସାତ ଭାଗ କରି ନଳାକାର ପୁସ୍ତକରେ ଲେଖିଲେ; ତହୁଁ ଶୀଲୋସ୍ଥିତ ଛାଉଣିକୁ ଯିହୋଶୂୟଙ୍କର ନିକଟକୁ ଫେରି ଆସିଲେ। 10ଏଥିରେ ଯିହୋଶୂୟ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ; ପୁଣି ଯିହୋଶୂୟ ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିଭାଗାନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ।
ବିନ୍ୟାମୀନ୍ର ଅଧିକାର
11ତହୁଁ ବିନ୍ୟାମୀନ୍-ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଯିହୁଦା-ସନ୍ତାନଗଣର ଓ ଯୋଷେଫ-ସନ୍ତାନଗଣର ମଧ୍ୟରେ ହେଲା। 12ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର-ପାର୍ଶ୍ୱ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବେଥ୍-ଆବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା। 13ସେଠାରୁ ସେ ସୀମା ଲୂସ୍କୁ ବା ଦକ୍ଷିଣ ଆଡ଼େ ଲୂସ୍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା, (ଏହାକୁ ବେଥେଲ୍ କହନ୍ତି); ପୁଣି ନୀଚସ୍ଥ ବେଥ୍-ହୋରଣର ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରୋତ୍-ଅଦ୍ଦର ଆଡ଼କୁ ଗଡ଼ିଗଲା। 14ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବେଥ୍-ହୋରଣ ଦକ୍ଷିଣସ୍ଥିତ ପର୍ବତଠାରୁ ଦକ୍ଷିଣଆଡ଼େ ଯାଇ ଯିହୁଦା ସନ୍ତାନଗଣର କିରୀୟଥ୍-ବାଲବା କିରୀୟଥ୍-ଯିୟାରୀମ୍ ନାମକ ନଗର ପର୍ଯ୍ୟନ୍ତ ଗଲା; ଏ ପଶ୍ଚିମ ସୀମା। 15ପୁଣି ଦକ୍ଷିଣ ସୀମା କିରୀୟଥ୍-ଯିୟାରୀମ୍ର ପ୍ରାନ୍ତରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଗଲା। 16ଆଉ ସେହି ସୀମା ରଫାୟୀମ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା ଓ ହିନ୍ନୋମ ଉପତ୍ୟକା ଦେଇ ଯିବୂଷର ଦକ୍ଷିଣ ପାଶ୍ୱକୁ ଗଡ଼ିଆସି ଐନ୍-ରୋଗେଲକୁ ଗଲା। 17ପୁଣି ଉତ୍ତର ଦିଗରେ ଫେରି ଐନ୍-ଶେମଶ୍ ନିକଟରେ ଗଲା ଓ ଅଦୁମ୍ମୀମ୍ ଘାଟୀ ସମ୍ମୁଖସ୍ଥ ଗଲୀଲୋତ ଆଡ଼କୁ ଯାଇ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା। 18ପୁଣି ଉତ୍ତର ଦିଗରେ ପଦାଭୂମିର ସମ୍ମୁଖ ପାର୍ଶ୍ୱ ଦେଇ ପଦାଭୂମିକି ଗଡ଼ିଗଲା 19ଓ ସେହି ସୀମା ବେଥ୍-ହୋଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତ ଥିଲା, ଏ ଦକ୍ଷିଣ ସୀମା। 20ପୂର୍ବ ଦିଗରେ ଯର୍ଦ୍ଦନ ତହିଁର ସୀମା ଥିଲା; ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ଏହି ଅଧିକାର ଥିଲା। 21ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ବଂଶର ନଗର ଯିରୀହୋ ଓ ବେଥ୍-ହୋଗ୍ଲା ଓ ଏମକ୍-କତ୍ଶିସ୍ 22ଓ ବେଥ୍-ଅରାବା ଓ ସୀମାରୟମ୍ ଓ ବେଥେଲ୍ 23ଓ ଅବ୍ବୀମ୍ ଓ ପାରା ଓ ଅଫ୍ରା, 24କଫରମ୍ମୋନି ଓ ଅଫନି ଓ ଗେବା; ଗ୍ରାମ ସମେତ ବାର ନଗର। 25ଗିବୀୟୋନ୍ ଓ ରାମା ଓ ବେରୋତ 26ଓ ମିସ୍ପେ ଓ କଫୀରା ଓ ମୋତ୍ସା 27ଓ ରେକମ୍ ଓ ଯିର୍ପେଲ ଓ ତରଲା 28ଓ ସେଲା ଓ ଏଲଫ ଓ ଯିବୂଷ (ଏହାକୁ ଯିରୂଶାଲମ କହନ୍ତି), ଗିବୀୟା ଓ କିରୀୟଥ୍; ଗ୍ରାମ ସମେତ ଏହି ଚଉଦ ନଗର। ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍-ସନ୍ତାନଗଣର ଏହି ଅଧିକାର।
Currently Selected:
ଯିହୋଶୂୟ 18: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0