ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 6
6
1ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଯିବାକୁ ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ।”
ମୋଶାଙ୍କୁ ପରମେଶ୍ୱରଙ୍କ ଆହ୍ୱାନ
2ପରମେଶ୍ୱର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, “ଆମ୍ଭେ ଯିହୋବାଃ (ସଦାପ୍ରଭୁ); 3ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର#6:3 ଏଲ୍ସଦାଇ ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ। 4ପୁଣି, କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ। 5ଏବେ ମିସ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ। 6ଏନିମନ୍ତେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ୱରୁ ମୁକ୍ତ କରିବା, ପୁଣି, ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ଡ ଦ୍ୱାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା। 7ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା; ତହିଁରେ ମିସ୍ରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ।” 8ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମନ୍ତେ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି, ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ ଅଟୁ। 9ଏଥିଉତ୍ତାରେ ମୋଶା ଇସ୍ରାଏଲ ସନ୍ତାନଗଣକୁ ତଦନୁସାରେ କହିଲେ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ୱ ସକାଶୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ। 10ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 11“ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ଯିବାକୁ ଦିଅ।” 12ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, “ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ମୋ’ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଉତ୍ତମ ବକ୍ତା ଯେ ମୁଁ ନୁହେଁ, ମୋ’ କଥା ଫାରୋ କି ପ୍ରକାରେ ଶୁଣିବେ ?” 13ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି, ଇସ୍ରାଏଲ ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ।
ମୋଶା ଓ ହାରୋଣଙ୍କ ବଂଶାବଳୀ
14ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ, ପଲ୍ଲୂ, ହିଷ୍ରୋଣ ଓ କର୍ମି; ଏମାନେ ରୁବେନ୍ର ବଂଶ। 15ପୁଣି, ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍, ଓହଦ୍, ଯାଖୀନ୍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ ଅଟନ୍ତି। 16ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା। 17ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍ନି ଓ ଶିମୀୟି। 18ପୁଣି, କହାତର ସନ୍ତାନ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା। 19ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ ଅଟନ୍ତି। 20ପୁଣି, ଅମ୍ରାମ୍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା; ସେହି ଅମ୍ରାମ୍ର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା। 21ଯିଷ୍ହରର ସନ୍ତାନ କୋରହ, ନେଫଗ୍ ଓ ସିଖ୍ରି। 22ପୁଣି, ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଥ୍ରି। 23ପୁଣି, ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ, ଅବୀହୂ, ଇଲୀୟାସର ଓ ଈଥାମରକୁ ପ୍ରସବ କଲା। 24ପୁଣି, କୋରହର ସନ୍ତାନ ଅସୀର ଓ ଇଲ୍କାନା ଓ ଅବୀୟାସଫ; ଏମାନେ କୋରହର ବଂଶ ଅଟନ୍ତି। 25ପୁଣି, ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସ୍କୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ। 26ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ।” 27ଏମାନେ ମିସରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏମାନେ ସେହି ମୋଶା ଓ ହାରୋଣ।
ମୋଶା ଓ ହାରୋଣଙ୍କୁ ପରମେଶ୍ୱରଙ୍କ ଆଦେଶ
28ଯେଉଁଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ, 29ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, “ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହା ସବୁ ମିସ୍ରୀୟ ରାଜା ଫାରୋକୁ କୁହ।” 30ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, “ମନ୍ଦ ବକ୍ତା ଯେ ମୁଁ, ମୋ’ କଥା ଫାରୋ କି ପ୍ରକାରେ ଶୁଣିବେ?”
Currently Selected:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 6: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0