YouVersion Logo
Search Icon

ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 5

5
ମିସର ରାଜାଙ୍କ ସମ୍ମୁଖରେ ମୋଶା ଓ ହାରୋଣ
1ଏଥିଉତ୍ତାରେ ମୋଶା ଓ ହାରୋଣ ପ୍ରବେଶ କରି ଫାରୋଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର କହନ୍ତି, ପ୍ରାନ୍ତରରେ ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବାକୁ ଆମ୍ଭ ଲୋକମାନଙ୍କୁ ଯିବାକୁ ଦିଅ।” 2ତହିଁରେ ଫାରୋ କହିଲେ, “ସଦାପ୍ରଭୁ କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଯିବାକୁ ଦେବୁ ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଯିବାକୁ ଦେବୁ ନାହିଁ।” 3ସେମାନେ କହିଲେ, “ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ।” 4ତହୁଁ ମିସରର ରାଜା ସେମାନଙ୍କୁ କହିଲେ, “ହେ ମୋଶା ଓ ହାରୋଣ, ତୁମ୍ଭେମାନେ ଲୋକମାନଙ୍କୁ କାହିଁକି କାର୍ଯ୍ୟରୁ ନିବୃତ୍ତ କରୁଅଛ ? ତୁମ୍ଭେମାନେ ଆପଣା ଆପଣା ଭାରବହନ କର୍ମରେ ଯାଅ।” 5ଫାରୋ ଆହୁରି କହିଲେ, “ଦେଖ, ଏବେ ଏ ଦେଶରେ ଏହି ଲୋକ ଅନେକ, ପୁଣି, ତୁମ୍ଭେମାନେ ସେମାନଙ୍କୁ ଭାର ବହିବାରୁ ନିବୃତ୍ତ କରୁଅଛ।” 6ଆଉ ଫାରୋ ସେହି ଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ, 7“ତୁମ୍ଭେମାନେ ଇଟା ନିର୍ମାଣ ନିମିତ୍ତ ପୂର୍ବ ପରି ଏହି ଲୋକମାନଙ୍କୁ ଆଉ ପାଳ ଦିଅ ନାର୍ହିଁ; ସେମାନେ ଯାଇ ଆପଣା ନିମନ୍ତେ ପାଳ ସଂଗ୍ରହ କରନ୍ତୁ। 8ପୁଣି, ପୂର୍ବରେ ସେମାନଙ୍କ ଉପରେ ଯେତେ ଇଟା ନିର୍ମାଣର ଭାର ଥିଲା, ଏବେ ସେହି ଭାର ଦିଅ; ତହିଁରୁ କିଛିମାତ୍ର ଊଣା କର ନାହିଁ; ଯେହେତୁ ସେମାନେ ଅଳସୁଆ ଅଟନ୍ତି; ଏଣୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଯିବାକୁ ଦିଅ ବୋଲି ଡାକ ପକାଉ ଅଛନ୍ତି; 9ଏହେତୁ ଏମାନେ କାର୍ଯ୍ୟ ଭାରରେ ଭାରାକ୍ରାନ୍ତ ହୋଇ ତହିଁରେ ବ୍ୟସ୍ତ ଥା’ନ୍ତୁ; ମିଥ୍ୟା କଥାରେ ଅବଧାନ ନ କରନ୍ତୁ।” 10ତହିଁ ଉତ୍ତାରୁ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷଗଣ ବାହାରେ ଯାଇ ସେମାନଙ୍କୁ କହିଲେ, “ଫାରୋ ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆଉ ପାଳ ଦେବୁ ନାହିଁ। 11ଯାଅ, ଯେଉଁଠାରେ ପାଳ ପାଇ ପାରିବ ସେହିଠାରୁ ଆପଣା ଆପଣା ନିମନ୍ତେ ତାହା ସଂଗ୍ରହ କର; ମାତ୍ର ତୁମ୍ଭମାନଙ୍କର କାର୍ଯ୍ୟ କିଛି ଊଣା ହେବ ନାହିଁ।” 12ତହିଁରେ ଲୋକମାନେ ପାଳ ବଦଳେ କୁଟା ସଂଗ୍ରହ କରିବାକୁ ସମସ୍ତ ମିସର ଦେଶରେ ଛିନ୍ନଭିନ୍ନ ହୋଇଗଲେ। 13ତଥାପି କାର୍ଯ୍ୟଶାସକମାନେ ଚଞ୍ଚଳ କରାଇ କହିଲେ, “ପାଳ ପାଇବା ବେଳେ ଯେପରି ତୁମ୍ଭେମାନେ କର୍ମ କରୁଥିଲ, ସେପରି ଏବେ ମଧ୍ୟ ନିରୂପିତ ଦୈନିକ କର୍ମ ପ୍ରତିଦିନ ସମ୍ପୂର୍ଣ୍ଣ କର।” 14ଫାରୋଙ୍କର କାର୍ଯ୍ୟଶାସକମାନେ ଇସ୍ରାଏଲବଂଶୀୟ ଯେଉଁ କାର୍ଯ୍ୟାଧ୍ୟକ୍ଷମାନଙ୍କୁ ରଖିଥିଲେ; ସେମାନଙ୍କୁ ପ୍ରହାର କରି କହିଲେ, “ତୁମ୍ଭେମାନେ ପୂର୍ବ ପରି ଇଟା ବନାଇବାର ନିରୂପିତ କର୍ମ କାହିଁକି ଆଜିକାଲି ସମ୍ପୂର୍ଣ୍ଣ କରୁ ନାହଁ ?” 15ତହିଁରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଆସି ଫାରୋଙ୍କ ନିକଟରେ କ୍ରନ୍ଦନ କରି କହିଲେ, “ଆପଣ କାହିଁକି ଆପଣା ଦାସମାନଙ୍କ ସହିତ ଏପରି ବ୍ୟବହାର କରୁଅଛନ୍ତି ?” 16ଆପଣଙ୍କ ଦାସମାନଙ୍କୁ ପାଳ ଦିଆଯାଏ ନାହିଁ, ତଥାପି ସେମାନେ କହନ୍ତି, ଇଟା ବନାଅ; ଆଉ ଦେଖନ୍ତୁ, ଆପଣଙ୍କ ଦାସମାନେ ପ୍ରହାରିତ ହୁଅନ୍ତି, ମାତ୍ର ଦୋଷ ଆପଣଙ୍କ ନିଜ ଲୋକଙ୍କର।” 17ତହୁଁ ସେ କହିଲେ, “ତୁମ୍ଭେମାନେ ବହୁତ ଅଳସୁଆ, ଏଥିପାଇଁ କହୁଛ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆମ୍ଭମାନଙ୍କୁ ଯିବାକୁ ଦିଅ। 18ଏବେ ଯାଅ, କର୍ମ କର, ତୁମ୍ଭମାନଙ୍କୁ ପାଳ ଦିଆଯିବ ନାହିଁ, ତଥାପି ତୁମ୍ଭମାନଙ୍କୁ ଇଟାର ସମ୍ପୂର୍ଣ୍ଣ ସଂଖ୍ୟା ଦେବାକୁ ହେବ। 19ତହିଁରେ ତୁମ୍ଭମାନଙ୍କ ଦୈନିକ ନିରୂପିତ ଇଟାରୁ କିଛି ଊଣା ହେବ ନାହିଁ; ଏହି କଥାରେ ଇସ୍ରାଏଲବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଦେଖିଲେ ଯେ, ସେମାନଙ୍କ ଦଶା ଅମଙ୍ଗଳସୂଚକ।” 20ଏଥିଉତ୍ତାରେ ସେମାନେ ଫାରୋଙ୍କ ନିକଟରୁ ଫେରିବା ସମୟରେ ସେମାନେ ମୋଶା ଓ ହାରୋଣଙ୍କୁ ସାକ୍ଷାତ କଲେ, ଯେପରି ସେମାନେ ସେମାନଙ୍କର ଅପେକ୍ଷାରେ ଥିଲେ; 21ଏଣୁ ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି କରି ବିଚାର କରନ୍ତୁ; ଯେହେତୁ ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କୁ ଘୃଣାଯୋଗ୍ୟ କରି ଆମ୍ଭମାନଙ୍କ ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ୍ଗ ଦେଲ।” 22ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, “ହେ ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କର ଅମଙ୍ଗଳ କରିଅଛ ? ତୁମ୍ଭେ କାହିଁକି ମୋତେ ପଠାଇଲ ? 23କାରଣ ଯେଉଁ ଦିନାବଧି ମୁଁ ତୁମ୍ଭ ନାମରେ କଥା କହିବା ପାଇଁ ଫାରୋଙ୍କ ନିକଟକୁ ଆସିଲି, ସେହି ଦିନାବଧି ସେ ଏହି ଲୋକମାନଙ୍କର ଅମଙ୍ଗଳ କରିଅଛନ୍ତି, ପୁଣି, ତୁମ୍ଭେ ଆପଣା ଲୋକମାନଙ୍କର କିଛିମାତ୍ର ଉଦ୍ଧାର କରି ନାହଁ।”

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 5