ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 23
23
ନ୍ୟାୟ ବିଚାର
1ତୁମ୍ଭେ ମିଥ୍ୟାପବାଦ ଉତ୍ଥାପନ କରିବ ନାହିଁ; ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ। 2ତୁମ୍ଭେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାଦ୍ବର୍ତ୍ତୀ ହେବ ନାହିଁ, ପୁଣି, ନ୍ୟାୟ ବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ; 3କିଅବା ବିଚାରରେ ଦରିଦ୍ରର ପକ୍ଷପାତ କରିବ ନାହିଁ। 4ତୁମ୍ଭେ ଆପଣା ଶତ୍ରୁର ଗୋରୁ କି ଗଧକୁ ପଥ ହୁଡ଼ି ଯିବାର ଦେଖିଲେ, ଅବଶ୍ୟ ତାହା ନିକଟକୁ ତାକୁ ଘେନିଯିବ। 5ଯଦି ତୁମ୍ଭେ ଆପଣା ଶତ୍ରୁର ଗର୍ଦ୍ଦଭକୁ ଭାର ତଳେ ପଡ଼ିଥିବାର ଦେଖ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ, ତୁମ୍ଭେ ଅବଶ୍ୟ ତାହା ସଙ୍ଗରେ ତାକୁ ମୁକ୍ତ କରିବ। 6ଦରିଦ୍ରର ବିଚାରରେ ତୁମ୍ଭେ ତାହା ପ୍ରତି ଅନ୍ୟାୟ କରିବ ନାହିଁ। 7ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ; ପୁଣି, ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ; ଯେହେତୁ ଆମ୍ଭେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ। 8ତୁମ୍ଭେ ଲାଞ୍ଚ ନେବ ନାହିଁ, କାରଣ ଲାଞ୍ଚ ଦୃଷ୍ଟି ଥିବା ଲୋକମାନଙ୍କୁ#23:8 କିଅବା ବିଚାରକର୍ତ୍ତାମାନଙ୍କୁ ଅନ୍ଧ କରି ଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। 9ତୁମ୍ଭେ ବିଦେଶୀ ପ୍ରତି ଅତ୍ୟାଚାର କରିବ ନାହିଁ, କାରଣ ତୁମ୍ଭେ ବିଦେଶୀର ମନ ଜାଣୁଅଛ, ଯେହେତୁ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ।
ସପ୍ତମ ବର୍ଷ ଓ ସପ୍ତମ ଦିନ
10ଆଉ ତୁମ୍ଭେ ଆପଣା ଭୂମିରେ ଛଅ ବର୍ଷ ପର୍ଯ୍ୟନ୍ତ ବୀଜ ବପନ କରିବ ଓ ତହିଁରୁ ଉତ୍ପନ୍ନ ଶସ୍ୟାଦି ସଂଗ୍ରହ କରିବ। 11ମାତ୍ର ସପ୍ତମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ; ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ; ସେମାନେ ଯାହା ଅବଶିଷ୍ଟ ରଖିବେ, ତାହା ବନ ପଶୁମାନେ ଖାଇବେ। ପୁଣି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଓ ଜୀତ ବୃକ୍ଷ ପ୍ରତି ମଧ୍ୟ ସେହିରୂପ କରିବ। 12ତୁମ୍ଭେ ଛଅ ଦିନ ଆପଣା କର୍ମ କରି ସପ୍ତମ ଦିନରେ ବିଶ୍ରାମ କରିବ, ତହିଁରେ ତୁମ୍ଭର ଗୋରୁ ଓ ଗର୍ଦ୍ଦଭ ବିଶ୍ରାମ ପାଇବେ, ପୁଣି, ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ୱାସ ପାଇବେ। 13ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା କହିଅଛୁ, ସେସମସ୍ତ ବିଷୟରେ ସାବଧାନ ହୁଅ; ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ।
ତିନୋଟି ବିଶେଷ ଉତ୍ସବ
14ତୁମ୍ଭେ ବର୍ଷ ମଧ୍ୟରେ ତିନି ଥର ଆମ୍ଭ ଉଦ୍ଦେଶ୍ୟରେ ଉତ୍ସବ କରିବ। 15ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି, କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ। 16ଆଉ, ତୁମ୍ଭେ ଶସ୍ୟଚ୍ଛେଦନ ଉତ୍ସବ, ଅର୍ଥାତ୍, କ୍ଷେତରେ ଯାହା ବୁଣ, ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର; ପୁଣି, ବର୍ଷ ଶେଷରେ କ୍ଷେତରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର। 17ବର୍ଷ ମଧ୍ୟରେ ତିନି ଥର ତୁମ୍ଭର ସମସ୍ତ ପୁଂଜାତି, ପ୍ରଭୁ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବେ। 18ତୁମ୍ଭେ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଆମ୍ଭ ବଳିର ରକ୍ତ ଉତ୍ସର୍ଗ କରିବ ନାହିଁ; ପୁଣି, ଆମ୍ଭ ଉତ୍ସବ-ସମ୍ପର୍କୀୟ ମେଦ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ରଖିବ ନାହିଁ। 19ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗ ବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।
ପ୍ରତିଜ୍ଞା ଓ ନିର୍ଦ୍ଦେଶ
20ଦେଖ, ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ। 21ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର; ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ; କାରଣ ସେ ତୁମ୍ଭମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ; ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି। 22ମାତ୍ର ତୁମ୍ଭେ ଯଦି ନିତାନ୍ତ ତାହାଙ୍କ ରବରେ ମନୋଯୋଗ କରିବ, ପୁଣି, ଆମ୍ଭେ ଯାହା ସବୁ କହୁ, ତାହା କରିବ; ତେବେ ଆମ୍ଭେ ତୁମ୍ଭ ଶତ୍ରୁମାନଙ୍କର ଶତ୍ରୁ ଓ ତୁମ୍ଭ ଶତ୍ରୁମାନଙ୍କର ଶତ୍ରୁ ହେବା। 23କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରୀୟ, ହିତ୍ତୀୟ, ପରିଷୀୟ, କିଣାନୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶକୁ ଆଣିବେ, ପୁଣି, ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। 24ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି, ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ; ମାତ୍ର ସେମାନଙ୍କୁ#23:24 ଅର୍ଥାତ୍ ପ୍ରତିମାଗଣ କିଅବା ମୂର୍ତ୍ତିଗଣ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭସବୁ ଭାଙ୍ଗି ପକାଇବ। 25ତୁମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବ; ତହିଁରେ ସେ ତୁମ୍ଭମାନଙ୍କ ଅନ୍ନ ଓ ଜଳରେ ଆଶୀର୍ବାଦ କରିବେ, ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା। 26ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି, କେହି ବନ୍ଧ୍ୟା ହେବ ନାହିଁ; ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା। 27ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା; ପୁଣି, ତୁମ୍ଭେ ଯେଉଁସବୁ ଲୋକଙ୍କ ନିକଟରେ ଉପସ୍ଥିତ ହେବ, ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ବିମୁଖ କରିବା। 28ଆମ୍ଭେ ତୁମ୍ଭ ଆଗେ ଆଗେ ବିରୁଡ଼ିମାନଙ୍କୁ ପଠାଇବା; ସେମାନେ ହିବ୍ବୀୟ, କିଣାନୀୟ ଓ ହିତ୍ତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବେ। 29ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ, ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। 30ତୁମ୍ଭେ ଯେପର୍ଯ୍ୟନ୍ତ ବର୍ଦ୍ଧିତ ହୋଇ ନାହଁ ଓ ଦେଶ ଅଧିକାର କରି ନାହଁ, ସେପର୍ଯ୍ୟନ୍ତ ଆମ୍ଭେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘଉଡ଼ାଇ ଦେବା। 31ପୁଣି, ଆମ୍ଭେ ସୂଫ ସାଗରଠାରୁ ପଲେଷ୍ଟୀୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିରୂପଣ କରିବା; କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ତହିଁରେ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ। 32ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ। 33ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ; ଯେହେତୁ ତୁମ୍ଭେ ଯଦି ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
Currently Selected:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 23: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0