ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 24
24
ନିୟମ-ପୁସ୍ତକ ମୁଦ୍ରାଙ୍କନ
1ଏଥିଉତ୍ତାରେ ସେ ମୋଶାଙ୍କୁ କହିଲେ, “ତୁମ୍ଭେ, ହାରୋଣ, ନାଦବ, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର। 2କେବଳ ମୋଶା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କିଅବା ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ।” 3ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକ ସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁ ସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।” 4ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। 5ଆଉ, ସେ ଇସ୍ରାଏଲ ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ। 6ତହୁଁ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ସେଚନ କଲେ। 7ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ-ଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।” 8ତହୁଁ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି, ସେହି ନିୟମର ରକ୍ତ ଏହି।” 9ତେବେ ମୋଶା, ହାରୋଣ, ନାଦବ, ଅବୀହୂ ଓ ଇସ୍ରାଏଲର ପ୍ରାଚୀନବର୍ଗର ସତୁରି ଜଣ ଆରୋହଣ କଲେ; ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦର୍ଶନ କଲେ। 10ପୁଣି, ତାହାଙ୍କ ଚରଣତଳ ସ୍ଥାନ ଉଜ୍ଜ୍ୱଳ ନୀଳକାନ୍ତ ମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା। 11ଆଉ ସେ ଇସ୍ରାଏଲ ସନ୍ତାନଗଣର ଅଧ୍ୟକ୍ଷମାନଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ; ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି, ଭୋଜନ ଓ ପାନ କଲେ।
ସୀନୟ ପର୍ବତରେ ମୋଶା
12ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର-ଫଳକ ତୁମ୍ଭକୁ ଦେବା।” 13ତହିଁରେ ମୋଶା ଓ ତାଙ୍କର ପରିଚାରକ ଯିହୋଶୂୟ ଉଠିଲେ; ପୁଣି, ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ। 14ଆଉ ସେ ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭ ନିକଟକୁ ବାହୁଡ଼ି ନ ଆସୁ, ସେପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭମାନଙ୍କ ଅପେକ୍ଷାରେ ଏହିଠାରେ ଥାଅ; ଦେଖ, ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି, କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ, ସେ ସେମାନଙ୍କ ନିକଟକୁ ଯାଉ।” 15ଏଉତ୍ତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି, ମେଘ ପର୍ବତକୁ ଆଚ୍ଛାଦନ କଲା। 16ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। 17ତହିଁରେ ଇସ୍ରାଏଲ ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନି ତୁଲ୍ୟ ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶିତ ହେଲା। 18ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।
Currently Selected:
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ 24: ORYIRV
Highlight
Copy
Compare
Share
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0