YouVersion Logo
Search Icon

ଯିଖରୀୟ 5

5
ଦର୍ଶନ - ଉଡ଼ନ୍ତା ନଳାକାର ପୁସ୍ତକ
1ଅନନ୍ତର ମୁଁ ପୁନର୍ବାର ଆପଣା ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ।
2ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ ଉତ୍ତର କଲି, ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି; ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ।
3ତେବେ ସେ ମୋତେ କହିଲେ, ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ।
4ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ।
ଦର୍ଶନ - ଐଫା ପାତ୍ର ମଧ୍ୟରେ ସ୍ତ୍ରୀ
5ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି, ତାହା କଅଣ।
6ତହିଁରେ ମୁଁ କହିଲି, ଏ କଅଣ? ତହୁଁ ସେ କହିଲେ, ଏହା ଐଫା-ପାତ୍ର, ଯାହା ବାହାରକୁ ଯାଉଅଛି; ସେ ଆହୁରି କହିଲେ, ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ।
7ଆଉ ଦେଖ, ଏକ ମହଣ ପରିମିତ ସୀସା ଉପରକୁ ଉଠାଗଲା; ଆଉ, ସେହି ଐଫା ମଧ୍ୟରେ ଏକ ସ୍ତ୍ରୀ ବସୁଅଛି।
8ପୁଣି, ସେ ମୋତେ କହିଲେ, ଏହା ଦୁଷ୍ଟତା ସ୍ଵରୂପା; ଆଉ, ସେ ସେହି ସ୍ତ୍ରୀକି ଐଫା ମଧ୍ୟରେ ପକାଇ ଦେଲେ ଓ ତହିଁର ର୍ମୁଁହରେ ସେହି ସୀସାର ଓଜନ ଦେଲେ।
9ସେତେବେଳେ ମୁଁ ଆପଣା ଚକ୍ଷୁ ଟେକି ଦେଖିଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ଐଫାକୁ ଉଠାଇଲେ।
10ତହିଁରେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ କହିଲି, ଏମାନେ କେଉଁ ସ୍ଥାନକୁ ଐଫା ବହି ନେଉଅଛନ୍ତି?
11ଏଥିରେ ସେ ମୋତେ କହିଲେ, ଶିନୀୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in