YouVersion Logo
Search Icon

ଯିଖରୀୟ 4

4
ଦର୍ଶନ - ସୁବର୍ଣ୍ଣମୟ ଦୀପବୃକ୍ଷ
1ଅନନ୍ତର ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ପୁନର୍ବାର ଆସି ମୋତେ ନିଦ୍ରାରୁ ଜାଗ୍ରତ ମନୁଷ୍ୟର ପ୍ରାୟ ଜଗାଇଲେ।
2ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ମୁଁ ଦେଖିଅଛି, ଆଉ ଦେଖ, ସମ୍ପୂର୍ଣ୍ଣ ସୁବର୍ଣ୍ଣମୟ ଏକ ଦୀପବୃକ୍ଷ, ତହିଁର ଉପରେ ତୈଳାଧାର ଓ ତହିଁ ଉପରେ ସାତ ପ୍ରଦୀପ ଅଛି ଓ ତହିଁର ଉପରି ଭାଗରେ ପ୍ରତ୍ୟେକ ପ୍ରଦୀପର ନିମନ୍ତେ ସାତ ନଳ;
3ଆଉ, ତହିଁର ନିକଟରେ ଦୁଇ ଜୀତବୃକ୍ଷ ଅଛି, ପୁଣି ଗୋଟିଏ ତୈଳାଧାରର ଦକ୍ଷିଣ ପାର୍ଶ୍ଵରେ ଓ ଅନ୍ୟ ଗୋଟିଏ ତହିଁର ବାମ ପାର୍ଶ୍ଵରେ।
4ତହିଁରେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ମୁଁ ତାଙ୍କୁ ଉତ୍ତର କରି କହିଲି, ହେ ମୋର ପ୍ରଭୁ, ଏସବୁ କଅଣ?
5ସେତେବେଳେ ଯେଉଁ ଦୂତ ମୋʼ ସଙ୍ଗରେ କଥା କହୁଥିଲେ, ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ତାହା କି ତୁମ୍ଭେ ଜାଣି ନାହଁ? ପୁଣି, ତହିଁରେ ମୁଁ କହିଲି, ହେ ମୋର ପ୍ରଭୁ, ଜାଣୁ ନାହିଁ।
6ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ, ଯଥା, ପରାକ୍ରମ ଦ୍ଵାରା ନୁହେଁ, କିଅବା ବଳ ଦ୍ଵାରା ନୁହେଁ, ମାତ୍ର ଆମ୍ଭର ଆତ୍ମା ଦ୍ଵାରା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
7ହେ ବୃହତ ପର୍ବତ, ତୁମ୍ଭେ କିଏ? ଯିରୁବ୍ବାବିଲଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହେବ; ଆଉ, ତହିଁ ପ୍ରତି ଅନୁଗ୍ରହ, ଅନୁଗ୍ରହ, ଏହି ଜୟଧ୍ଵନି କରି ସେ ମସ୍ତକ ସ୍ଵରୂପ ପ୍ରସ୍ତର ବାହାର କରି ଆଣିବ।
8ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
9ଯିରୁବ୍ବାବିଲଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାଙ୍କ ହସ୍ତ ମଧ୍ୟ ତାହା ସମାପ୍ତ କରିବ; ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
10କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି? ଯେଣୁ ସେମାନେ, ଅର୍ଥାତ୍, ସମୁଦାୟ ପୃଥିବୀ ଏଣେତେଣେ ପର୍ଯ୍ୟଟନକାରୀ ସଦାପ୍ରଭୁଙ୍କର ଏହି ସପ୍ତ ଚକ୍ଷୁ ଯିରୁବ୍ବାବିଲଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ।
11ତେବେ ମୁଁ ଉତ୍ତର କରି ତାଙ୍କୁ କହିଲି, ଦୀପବୃକ୍ଷର ଦକ୍ଷିଣ ପାର୍ଶ୍ଵରେ ଓ ତହିଁର ବାମ ପାର୍ଶ୍ଵରେ ସ୍ଥିତ ଏହି ଦୁଇ ଜୀତବୃକ୍ଷ କଅଣ?
12ପୁଣି, ମୁଁ ଦ୍ଵିତୀୟ ଥର ତାଙ୍କୁ ଉତ୍ତର କରି କହିଲି,ସୁବର୍ଣ୍ଣମୟ ଯେଉଁ ଦୁଇ ନଳ ଆପଣା ଆପଣା ମଧ୍ୟରୁ ସୁବର୍ଣ୍ଣମୟ ତୈଳ ନିର୍ଗତ କରେ, ତହିଁର ପାର୍ଶ୍ଵରେ ଜୀତବୃକ୍ଷର ଯେଉଁ ଦୁଇ ଶାଖା ଅଛି, ତାହା କଅଣ?
13ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏସବୁ କଅଣ, ଏହା କି ତୁମ୍ଭେ ଜାଣ ନାହିଁ? ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଜାଣେ ନାହିଁ।
14ତେବେ ସେ କହିଲେ, ଏମାନେ ସମୁଦାୟ ଭୂମଣ୍ତଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in