YouVersion Logo
Search Icon

ଗୀତସଂହିତା 94

94
ସଦାପ୍ରଭୁ ସମଗ୍ର ମାନବ ଜାତିର ବିଚାରକର୍ତ୍ତା
1ହେ ସଦାପ୍ରଭୋ, ପ୍ରତିଫଳଦାତା ପରମେଶ୍ଵର, ହେ ପ୍ରତିଫଳଦାତା ପରମେଶ୍ଵର, ତୁମ୍ଭେ ପ୍ରକାଶମାନ ହୁଅ।
2ହେ ପୃଥିବୀର ବିଚାରକର୍ତ୍ତା, ଉଠ; ଅହଙ୍କାରୀ-ମାନଙ୍କୁ ସେମାନଙ୍କ କର୍ମାନୁସାରେ ପ୍ରତିଫଳ ଦିଅ।
3ହେ ସଦାପ୍ରଭୋ, ଦୁଷ୍ଟମାନେ କେତେ କାଳ, ଦୁଷ୍ଟମାନେ କେତେ କାଳ ଜୟଧ୍ଵନି କରିବେ?
4ସେମାନେ କେତେ କାଳ ଅହଙ୍କାରରେ କଥା ଉଚ୍ଚାରଣ କରି କହିବେ? ଅଧର୍ମାଚାରୀ ସମସ୍ତେ ଦର୍ପ କରନ୍ତି।
5ହେ ସଦାପ୍ରଭୋ, ସେମାନେ ତୁମ୍ଭ ଲୋକମାନଙ୍କୁ ଚୂର୍ଣ୍ଣ କରନ୍ତି ଓ ତୁମ୍ଭ ଅଧିକାରକୁ କ୍ଳେଶ ଦିଅନ୍ତି।
6ସେମାନେ ବିଧବା ଓ ବିଦେଶୀକି ବଧ କରନ୍ତି ଓ ପିତୃହୀନମାନଙ୍କୁ ହତ୍ୟା କରନ୍ତି।
7ପୁଣି, ସଦାପ୍ରଭୁ ଦେଖିବେ ନାହିଁ, କିଅବା ଯାକୁବର ପରମେଶ୍ଵର ବିବେଚନା କରିବେ ନାହିଁ, ଏହା ସେମାନେ କହନ୍ତି।
8ହେ ଲୋକଙ୍କ ମଧ୍ୟରେ ପଶୁବତ୍ ଲୋକେ, ତୁମ୍ଭେମାନେ ବିବେଚନା କର; ହେ ମୂଢ଼ଗଣ, ତୁମ୍ଭେମାନେ କେବେ ଜ୍ଞାନବାନ ହେବ?
9ଯେ କର୍ଣ୍ଣ ରୋପଣ କଲେ, ସେ କି ଶୁଣିବେ ନାହିଁ? ଯେ ଚକ୍ଷୁ ଗଢ଼ିଲେ, ସେ କି ଦେଖିବେ ନାହିଁ?
10ଯେ ଗୋଷ୍ଠୀବର୍ଗକୁ ଶାସନ କରନ୍ତି, ଯେ ମନୁଷ୍ୟକୁ ଜ୍ଞାନ ଶିକ୍ଷା ଦିଅନ୍ତି, ସେ କି ଶାସ୍ତି ଦେବେ ନାହିଁ?
11ମନୁଷ୍ୟର କଳ୍ପନାସବୁ ଅସାର ବୋଲି ସଦାପ୍ରଭୁ ଜାଣନ୍ତି।
12ହେ ସଦାପ୍ରଭୋ, ଦୁଷ୍ଟ ନିମନ୍ତେ ଗର୍ତ୍ତ ଖୋଳା ହେବା ପର୍ଯ୍ୟନ୍ତ ବିପଦ କାଳରୁ ବିଶ୍ରାମ ଦେବା ନିମନ୍ତେ,
13ତୁମ୍ଭେ ଯାହାକୁ ଶାସନ କର ଓ ଆପଣା ବ୍ୟବସ୍ଥାରୁ ଶିକ୍ଷା ଦିଅ, ସେ ଲୋକ ଧନ୍ୟ।
14କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ, କିଅବା ଆପଣା ଅଧିକାର ପରିତ୍ୟାଗ କରିବେ ନାହିଁ।
15ଯେହେତୁ ଶାସନ ଧର୍ମ ପକ୍ଷରେ ବାହୁଡ଼ିବ; ପୁଣି, ସରଳାନ୍ତଃକରଣ ଲୋକସମସ୍ତେ ତହିଁର ଅନୁଗାମୀ ହେବେ।
16କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ ବିରୁଦ୍ଧରେ ଉଠିବ? କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ ବିରୁଦ୍ଧରେ ଠିଆ ହେବ?
17ସଦାପ୍ରଭୁ ମୋହର ସହାୟ ହୋଇ ନ ଥିଲେ ମୋହର ପ୍ରାଣ ଶୀଘ୍ର ନୀରବ ସ୍ଥାନରେ ବାସ କରିଥାʼନ୍ତା।
18ମୋହର ପାଦ ଖସି ଯାଉଛି ବୋଲି କହିଲା ବେଳେ, ହେ ସଦାପ୍ରଭୋ, ତୁମ୍ଭର ଦୟା ମୋତେ ଧରି ରଖିଲା।
19ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର ସାନ୍ତ୍ଵନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ।
20ବିଧାନ ଦ୍ଵାରା ଉପଦ୍ରବ-ରଚନାକାରୀ ଦୁଷ୍ଟତାରୂପ ସିଂହାସନର କି ତୁମ୍ଭ ସଙ୍ଗେ ସମ୍ଵନ୍ଧତା ହେବ?
21ସେମାନେ ଧାର୍ମିକର ପ୍ରାଣ ପ୍ରତିକୂଳରେ ଦଳବଦ୍ଧ ହୁଅନ୍ତି ଓ ନିର୍ଦ୍ଦୋଷ ରକ୍ତକୁ ଦୋଷୀ କରନ୍ତି।
22ମାତ୍ର ସଦାପ୍ରଭୁ ମୋହର ଉଚ୍ଚ ଦୁର୍ଗ ଓ ମୋʼ ପରମେଶ୍ଵର ମୋହର ଆଶ୍ରୟଶୈଳ ହୋଇଅଛନ୍ତି।
23ପୁଣି, ସେ ସେମାନଙ୍କ ନିଜ ଅଧର୍ମ ସେମାନଙ୍କ ଉପରେ ବର୍ତ୍ତାଇ ଅଛନ୍ତି, ଆଉ ସେମାନଙ୍କ ନିଜ ଦୁଷ୍ଟତାରେ ସେମାନଙ୍କୁ ଉଚ୍ଛିନ୍ନ କରିବେ; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ସେମାନଙ୍କୁ ଉଚ୍ଛିନ୍ନ କରିବେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Video for ଗୀତସଂହିତା 94