YouVersion Logo
Search Icon

ଗୀତସଂହିତା 44

44
ସୁରକ୍ଷା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍।
1ହେ ପରମେଶ୍ଵର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ, ତାହା ଆମ୍ଭେମାନେ ସ୍ଵକର୍ଣ୍ଣରେ ଶୁଣିଅଛୁ ଓ ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
2ତୁମ୍ଭେ ଅନ୍ୟ ଗୋଷ୍ଠୀୟମାନଙ୍କୁ ସ୍ଵହସ୍ତରେ ତଡ଼ି ଦେଇ ସେମାନଙ୍କୁ ରୋପଣ କରିଥିଲ; ତୁମ୍ଭେ ଜନବୃନ୍ଦକୁ ନାଶ କରି ସେମାନଙ୍କୁ ବିସ୍ତାରିତ କରିଥିଲ।
3କାରଣ ସେମାନେ ନିଜ ଖଡ଼୍‍ଗ ଦ୍ଵାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ,
କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ ଓ ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।
4ହେ ପରମେଶ୍ଵର, ତୁମ୍ଭେ ମୋହର ରାଜା;
ଯାକୁବ ପକ୍ଷରେ ମୁକ୍ତିର ଆଜ୍ଞା ହେଉ।
5ତୁମ୍ଭ ଦ୍ଵାରା ଆମ୍ଭେମାନେ ବିପକ୍ଷଗଣକୁ ଭୂସି ପକାଇବା; ତୁମ୍ଭ ନାମ ଦ୍ଵାରା ଆମ୍ଭେମାନେ ଆପଣା ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ଦଳି ପକାଇବା।
6ଯେହେତୁ ମୁଁ ଆପଣା ଧନୁରେ ନିର୍ଭର କରିବି ନାହିଁ, କିଅବା ମୋʼ ଖଡ଼୍‍ଗ ମୋତେ ଉଦ୍ଧାର କରିବ ନାହିଁ।
7ମାତ୍ର ତୁମ୍ଭେ ଆମ୍ଭମାନଙ୍କ ବିପକ୍ଷଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ ଓ ଆମ୍ଭମାନଙ୍କ ଘୃଣାକାରୀମାନଙ୍କୁ ଲଜ୍ଜିତ କରିଅଛ।
8ଆମ୍ଭେମାନେ ଦିନଯାକ ପରମେଶ୍ଵରଙ୍କଠାରେ ଦର୍ପ କରିଅଛୁ
ଓ ଅନନ୍ତକାଳ ତୁମ୍ଭ ନାମର ଧନ୍ୟବାଦ କରିବା।
[ସେଲା
9ମାତ୍ର ଏବେ ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ ଓ ଆମ୍ଭମାନଙ୍କୁ ଅପମାନଗ୍ରସ୍ତ କରିଅଛ;
ପୁଣି, ଆମ୍ଭମାନଙ୍କ ସୈନ୍ୟ ସଙ୍ଗରେ ଗମନ କରୁନାହଁ।
10ତୁମ୍ଭେ ବିପକ୍ଷମାନଙ୍କ ନିକଟରୁ ଆମ୍ଭମାନଙ୍କୁ ଫେରାଇ ଦେଉଅଛ
ଓ ଆମ୍ଭମାନଙ୍କ ଘୃଣାକାରୀଗଣ ଆପଣାମାନଙ୍କ ନିମନ୍ତେ ଆମ୍ଭମାନଙ୍କୁ ଲୁଟ କରୁଅଛନ୍ତି।
11ଖାଦ୍ୟ ନିମନ୍ତେ ନିରୂପିତ ମେଷଗଣ ତୁଲ୍ୟ ତୁମ୍ଭେ ଆମ୍ଭମାନଙ୍କୁ ସମର୍ପଣ କରିଅଛ
ଓ ନାନା ଗୋଷ୍ଠୀ ମଧ୍ୟରେ ଆମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛ।
12ତୁମ୍ଭେ ଆପଣା ଲୋକମାନଙ୍କୁ ବିନାମୂଲ୍ୟରେ ବିକ୍ରୟ କରୁଅଛ ଓ ସେମାନଙ୍କ ମୂଲ୍ୟ ଦ୍ଵାରା ଆପଣା ଧନ ବୃଦ୍ଧି କରିନାହଁ।
13ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ ଆମ୍ଭମାନଙ୍କୁ ତିରସ୍କାରର ବିଷୟ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ବିଦ୍ରୂପପାତ୍ର କରୁଅଛ।
14ତୁମ୍ଭେ ଆମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଗଳ୍ପର ବିଷୟ
ଓ ଜନବୃନ୍ଦ ମଧ୍ୟରେ ମୁଣ୍ତହଲାର କାରଣ କରିଅଛ।
15ତିରସ୍କାରକାରୀର ଓ ନିନ୍ଦକର ସ୍ଵର ସକାଶୁ, ପୁଣି ଶତ୍ରୁ ଓ ପ୍ରତିହିଂସକ ସକାଶୁ,
16ଦିନଯାକ ମୋʼ ଅପମାନ ମୋʼ ସମ୍ମୁଖରେ ଥାଏ ଓ ମୋʼ ମୁଖର ଲଜ୍ଜା ମୋତେ ଢାଙ୍କିଅଛି।
17ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି; ତଥାପି ଆମ୍ଭେମାନେ ତୁମ୍ଭକୁ ପାସୋରି ନାହୁଁ, କିଅବା ତୁମ୍ଭ ନିୟମ ବିଷୟରେ ଅସତ୍ୟ ବ୍ୟବହାର କରିନାହୁଁ।
18ତୁମ୍ଭେ ଆମ୍ଭମାନଙ୍କୁ ଶୃଗାଳମାନଙ୍କ ସ୍ଥାନରେ ଚୂର୍ଣ୍ଣ ଓ ମୃତ୍ୟୁଛାୟାରେ ଆଚ୍ଛନ୍ନ କରିଅଛ ବୋଲି
19ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇନାହିଁ।
20ଯେବେ ଆମ୍ଭେମାନେ ଆପଣା ପରମେଶ୍ଵରଙ୍କ ନାମ ପାସୋରିଥାଉ, ଅବା କୌଣସି ଅନ୍ୟ ଦେବତା ଆଡ଼େ ହସ୍ତ ପ୍ରସାରିଥାଉ;
21ତେବେ ପରମେଶ୍ଵର କି ତାହା ଅନୁସନ୍ଧାନ କରିବେ ନାହିଁ? କାରଣ ସେ ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି।
22ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନଯାକ ହତ ହେଉଅଛୁ; ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷତୁଲ୍ୟ ଗଣିତ ହେଉଅଛୁ।
23ଜାଗ, ହେ ପ୍ରଭୋ, ତୁମ୍ଭେ କାହିଁକି ନିଦ୍ରିତ ହେଉଅଛ? ଉଠ, ଆମ୍ଭମାନଙ୍କୁ ସଦାକାଳ ଦୂର କର ନାହିଁ।
24ତୁମ୍ଭେ କାହିଁକି ଆପଣା ମୁଖ ଲୁଚାଉଅଛ, ପୁଣି ଆମ୍ଭମାନଙ୍କ କ୍ଳେଶ ଓ ଦୌରାତ୍ମଭୋଗ ବିସ୍ମୃତ ହେଉଅଛ?
25କାରଣ ଆମ୍ଭମାନଙ୍କ ପ୍ରାଣ ଧୂଳିରେ ଅବନତ;
ଆମ୍ଭମାନଙ୍କ ଉଦର ଭୂମିରେ ଲାଗୁଅଛି।
26ଆମ୍ଭମାନଙ୍କ ସାହାଯ୍ୟ ନିମନ୍ତେ ଉଠ ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ଆମ୍ଭମାନଙ୍କୁ ମୁକ୍ତ କର।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in

Videos for ଗୀତସଂହିତା 44