ମାଥିଉ 27
27
ପୀଲାତଙ୍କ ସମ୍ମୁଖରେ ଯୀଶୁ
1ପ୍ରଭାତ ହୁଅନ୍ତେ, ସମସ୍ତ ପ୍ରଧାନଯାଜକ, ପୁଣି ଲୋକମାନଙ୍କର ପ୍ରାଚୀନବର୍ଗ ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିପକ୍ଷରେ ମନ୍ତ୍ରଣା କଲେ,
2ଆଉ ସେମାନେ ତାହାଙ୍କୁ ବାନ୍ଧି ଘେନିଯାଇ ପୀଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ।
ଯିହୁଦାର ମୃତ୍ୟୁ
3ସେତେବେଳେ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣକାରୀ ଯିହୁଦା, ସେ ପ୍ରାଣଦଣ୍ତାଜ୍ଞା ପାଇଅଛନ୍ତି, ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗଙ୍କ ନିକଟକୁ ସେହି ତିରିଶଗୋଟି ରୌପ୍ୟମୁଦ୍ରା ଫେରାଇ ଆଣି କହିଲା,
4ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମ୍ଭମାନଙ୍କର କଅଣ ଅଛି? ତୁ ତାହା ବୁଝ୍।
5ତହିଁରେ ସେ ରୌପ୍ୟମୁଦ୍ରାଗୁଡ଼ାକ ମନ୍ଦିର ଭିତରେ ଫୋପାଡ଼ିଦେଇ ଚାଲିଗଲା, ପୁଣି ଯାଇ ଆପଣାକୁ ଫାଶୀ ଦେଲା।
6କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରା-ଗୁଡ଼ାକ ଘେନି କହିଲେ, ଏହା ଭଣ୍ତାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ।
7ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ।
8ଏଣୁ ଆଜି ପର୍ଯ୍ୟନ୍ତ ସେହି କ୍ଷେତ୍ରକୁ ରକ୍ତକ୍ଷେତ୍ର ବୋଲି କହନ୍ତି।
9ଏଥିରେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ଇସ୍ରାଏଲ-ସନ୍ତାନମାନେ ଯାହାଙ୍କ ମୂଲ୍ୟ ନିରୂପଣ କରିଥିଲେ, ତାହାଙ୍କ ମୂଲ୍ୟସ୍ଵରୂପେ ସେହି ତିରିଶଗୋଟି ରୌପ୍ୟମୁଦ୍ରା ସେମାନେ ଘେନି
10ମୋʼ ପ୍ରତି ପ୍ରଭୁଙ୍କ ଆଦେଶ ଅନୁସାରେ କୁମ୍ଭକାରର କ୍ଷେତ୍ର ନିମନ୍ତେ ଦେଲେ।
ଯୀଶୁଙ୍କ ବିଚାର
11ଇତିମଧ୍ୟରେ ଯୀଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ କରାଗଲେ, ଆଉ ଶାସନକର୍ତ୍ତା ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କ ରାଜାଣ? ଯୀଶୁ କହିଲେ, ଆପଣ କହୁଅଛନ୍ତି।
12ଆଉ, ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତେ, ସେ କୌଣସି ଉତ୍ତର ଦେଲେ ନାହିଁ।
13ସେଥିରେ ପୀଲାତ ତାହାଙ୍କୁ କହିଲେ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ସାକ୍ଷ୍ୟ ଦେଉଅଛନ୍ତି, ତାହା କି ଶୁଣୁ ନାହଁ?
14ମାତ୍ର ସେ ତାହାଙ୍କୁ ଗୋଟିଏ କଥାର ହିଁ ପଦେ ହେଲେ ଉତ୍ତର ଦେଲେ ନାହିଁ, ସେଥିରେ ଶାସନକର୍ତ୍ତା ଅତ୍ୟ; ଚମତ୍କୃତ ହେଲେ।
ଯୀଶୁଙ୍କୁ ପ୍ରାଣଦଣ୍ତ
15କିନ୍ତୁ ପର୍ବ ସମୟରେ ଲୋକସମୂହର ଇଚ୍ଛାନୁସାରେ ଜଣେ ବନ୍ଦୀକି ସେମାନଙ୍କ ନିମନ୍ତେ ମୁକ୍ତ କରିବା ଶାସନ-କର୍ତ୍ତାଙ୍କର ରୀତି ଥିଲା।
16ସେତେବେଳେ ସେମାନଙ୍କର ବାରବ୍ବା ନାମକ ଜଣେ ବିଖ୍ୟାତ ବନ୍ଦୀ ଥିଲା।
17ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ?
18କାରଣ ସେମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ଜାଣିଥିଲେ।
19ଆଉ, ସେ ବିଚାରାସନରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ କହି ପଠାଇଲେ, ସେହି ଧାର୍ମିକ ଲୋକଙ୍କ କଥାରେ ତୁମ୍ଭେ ଆଦୌ ହାତ ଦିଅ ନାହିଁ, କାରଣ ତାହାଙ୍କ ଯୋଗୁଁ ମୁଁ ଆଜି ସ୍ଵପ୍ନରେ ବହୁତ କଷ୍ଟ ଭୋଗିଅଛି।
20ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକ-ସମୂହକୁ ମଣାଇଲେ।
21ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କର ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ।
22ପୀଲାତ ସେମାନଙ୍କୁ ପଚାରିଲେ, ତେବେ ଯାହାକୁ ଖ୍ରୀଷ୍ଟ କହନ୍ତି, ସେହି ଯୀଶୁ ପ୍ରତି ଆମ୍ଭେ କଅଣ କରିବା? ସେମାନେ ସମସ୍ତେ କହିଲେ, ସେ କ୍ରୁଶରେ ଚଢ଼ାଯାଉ।
23ସେଥିରେ ସେ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟ; ଚିତ୍କାର କରି କହିଲେ, ସେ କ୍ରୁଶରେ ଚଢ଼ାଯାଉ।
କ୍ରୁଶ ନିମନ୍ତେ ଯୀଶୁ ସମର୍ପିତ
24ଏଣୁ ପୀଲାତ ଯେତେବେଳେ ଦେଖିଲେ ଯେ, ସେ କିଛି କରି ପାରୁ ନାହାନ୍ତି, ବରଞ୍ଚ ଆହୁରି ଗଣ୍ତଗୋଳ ହେଉଅଛି, ସେତେବେଳେ ସେ ଜଳ ଘେନି ଲୋକସମୂହ ସାକ୍ଷାତରେ ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ଆମ୍ଭେ ନିର୍ଦ୍ଦୋଷ, ତୁମ୍ଭେମାନେ ତାହା ବୁଝ।
25ଏଥିରେ ସମସ୍ତ ଲୋକ ଉତ୍ତର ଦେଲେ, ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ।
26ସେଥିରେ ସେ ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ମାତ୍ର ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
ଯୀଶୁଙ୍କ ପ୍ରତି ପରିହାସ
27ଏଥିଉତ୍ତାରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ତାହାଙ୍କ ନିକଟରେ ଏକତ୍ର କଲେ।
28ପୁଣି, ସେମାନେ ତାହାଙ୍କ ବସ୍ତ୍ର କାଢ଼ିନେଇ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ,
29ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ତିଏ ନଳ ଦେଲେ, ପୁଣି ତାହାଙ୍କ ସମ୍ମୁଖରେ ଜାନୁ ପାତି, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କୁ ପରିହାସ କଲେ।
30ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ଘେନି ତାହାଙ୍କ ମୁଣ୍ତରେ ମାରିବାକୁ ଲାଗିଲେ।
31ପୁଣି, ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ।
ଯୀଶୁଙ୍କ କ୍ରୁଶବିଦ୍ଧ
32ସେମାନେ ବାହାରିବା ସମୟରେ ଶିମୋନ ନାମକ ଜଣେ କୂରୀଣୀୟ ଲୋକଙ୍କୁ ଦେଖି ଯୀଶୁଙ୍କ କ୍ରୁଶ ବହିବା ପାଇଁ ତାଙ୍କୁ ବାଧ୍ୟ କଲେ।
33ଆଉ, ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍, ଯାହାକୁ କପାଳ ସ୍ଥଳ ବୋଲି କହନ୍ତି, ସେଠାରେ ଉପସ୍ଥିତ ହୋଇ,
34ତାହାଙ୍କୁ ପିତ୍ତମିଶ୍ରିତ ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ଵାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ।
35ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ଵାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ,
36ପୁଣି ସେଠାରେ ବସି ତାହାଙ୍କୁ ଜଗି ରହିଲେ।
37ଆଉ, ସେମାନେ ତାହାଙ୍କ ମସ୍ତକର ଊର୍ଦ୍ଧ୍ଵରେ ଏହି ଅଭିଯୋଗପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କର ରାଜା ଯୀଶୁ।
38ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ଵରେ ଜଣେ ଓ ବାମ ପାର୍ଶ୍ଵରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ।
39ଆଉ, ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ତ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ,
40ରେ ମନ୍ଦିର ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷା କରି କ୍ରୁଶରୁ ଓହ୍ଲାଇ ଆ।
41ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କ ସହିତ ପରିହାସ କରି କହିବାକୁ ଲାଗିଲେ,
42ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରି ପାରୁ ନାହିଁ। ସେ ପରା ଇସ୍ରାଏଲର ରାଜା, ସେ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ଵାସ କରିବା।
43ସେ ଈଶ୍ଵରଙ୍କ ଉପରେ ନିର୍ଭର କରେ; ସେ ଯଦି ତାହାଠାରେ ସନ୍ତୁଷ୍ଟ, ତାହାହେଲେ ଏହିକ୍ଷଣି ତାହାଙ୍କୁ ରକ୍ଷା କରନ୍ତୁ। ସେ ତ କହିଥିଲା, ମୁଁ ଈଶ୍ଵରଙ୍କ ପୁତ୍ର।
44ପୁଣି, ଯେଉଁ ଡକାଇତମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ସେହି ପ୍ରକାର ନିନ୍ଦା କରିବାକୁ ଲାଗିଲେ।
ଯୀଶୁଙ୍କ ମୃତ୍ୟୁ
45ପରେ ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା।
46ଆଉ, ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍ଥାନୀ? ଅର୍ଥାତ୍, ହେ ମୋହର ଈଶ୍ଵର, ହେ ମୋହର ଈଶ୍ଵର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
47ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି।
48ଆଉ, ସେହିକ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ିଯାଇ ଗୋଟିଏ ସ୍ପଞ୍ଜ୍ ଘେନି ତାହା ଅମ୍ଳରସରେ ପୂର୍ଣ୍ଣ କଲା, ଆଉ ତାହା ଖଣ୍ତିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା।
49କିନ୍ତୁଅନ୍ୟମାନେ କହିଲେ, ରୁହ, ଏଲୀୟ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ, ଦେଖିବା।
50କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ଵରରେ ଡାକି ପ୍ରାଣତ୍ୟାଗ କଲେ।
51ପୁଣି ଦେଖ, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ତ ହେଲା, ଆଉ ଭୂମିକମ୍ପ ହେଲା ଓ ଶୈଳସବୁ ବିଦୀର୍ଣ୍ଣ ହେଲା,
52ପୁଣି ସମାଧିସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲା,
53ପୁଣି ତାହାଙ୍କ ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ।
54ଶତସେନାପତି ଓ ତାଙ୍କ ସାଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ, ସେମାନେ ଭୂମିକମ୍ପାଦି ଘଟନା ଦେଖି ଅତ୍ୟ; ଭୀତ ହୋଇ କହିଲେ, ସତ୍ୟ, ଏ ଈଶ୍ଵରଙ୍କ ପୁତ୍ର ଥିଲେ।
55ଆଉ, ଅନେକ ସ୍ତ୍ରୀଲୋକ ସେ ସ୍ଥାନରେ ଥାଇ ଦୂରରୁ ଦେଖୁଥିଲେ; ସେମାନେ ଯୀଶୁଙ୍କ ସେବା କରୁ କରୁ ଗାଲିଲୀରୁ ତାହାଙ୍କ ସାଙ୍ଗରେ ଆସିଥିଲେ;
56ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରୀୟମ, ଯାକୁବ ଓ ଯୋଷେଫଙ୍କ ମାତା ମରୀୟମ, ପୁଣି ଜେବଦୀଙ୍କ ପୁତ୍ରମାନଙ୍କ ମାତା ଥିଲେ।
ଯୀଶୁଙ୍କ ସମାଧି
57ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ।
58ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ। ସେଥିରେ ପୀଲାତ ତାହା ଦେବାକୁ ଆଜ୍ଞା କଲେ।
59ଯୋଷେଫ ଶରୀରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ,
60ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ତାହା ଥୋଇଲେ, ଆଉ ସମାଧି-ଦ୍ଵାରରେ ଖଣ୍ତିଏ ବଡ଼ ପଥର ଗଡ଼ାଇଦେଇ ଚାଲିଗଲେ।
61ମଗ୍ଦଲିନୀ ମରୀୟମ ଓ ଅନ୍ୟ ମରୀୟମ ସେ ସ୍ଥାନରେ ସମାଧି ସମ୍ମୁଖରେ ବସି ରହିଲେ।
ସମାଧି ସ୍ଥାନର ପ୍ରହରୀ
62ତହିଁ ଆରଦିନ, ଅର୍ଥାତ୍, ଆୟୋଜନ-ଦିବସର ପରବର୍ତ୍ତୀ ଦିନ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ନିକଟରେ ଏକତ୍ର ହୋଇ କହିଲେ,
63ମହାଶୟ, ଆମ୍ଭମାନଙ୍କର ମନେ ପଡ଼ୁଅଛି, ସେହି ପ୍ରବଞ୍ଚକ ଜୀବିତ ଥିବା ସମୟରେ କହିଥିଲା, ତିନି ଦିନ ଉତ୍ତାରେ ମୁଁ ଉଠିବି।
64ଅତଏବ, ତୃତୀୟ ଦିବସ ପର୍ଯ୍ୟନ୍ତ ସମାଧି ସୁରକ୍ଷିତ ହେବା ନିମନ୍ତେ ଆଜ୍ଞା କରନ୍ତୁ, ନୋହିଲେ କେଜାଣି ତାହାର ଶିଷ୍ୟମାନେ ଆସି ତାହାକୁ ଚୋରି କରି ଲୋକଙ୍କୁ କହିବେ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି; ତାହାହେଲେ ପ୍ରଥମ ପ୍ରବଞ୍ଚନା ଅପେକ୍ଷା ଶେଷ ପ୍ରବଞ୍ଚନା ଅଧିକ ମନ୍ଦ ହେବ।
65ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷିତ କର।
66ତେଣୁ ସେମାନେ ଯାଇ ପ୍ରହରୀଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।
Currently Selected:
ମାଥିଉ 27: ODIAOV-BSI
Highlight
Share
Compare
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.