YouVersion Logo
Search Icon

ମାଥିଉ 26

26
ଯୀଶୁଙ୍କ ବିରୁଦ୍ଧରେ ଚକ୍ରା;
1ଯୀଶୁ ଏହିସମସ୍ତ କଥା ସମାପ୍ତ କରି ଆପଣା ଶିଷ୍ୟମାନଙ୍କୁ କହିଲେ,
2ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ।
3ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,
4ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ;
5କିନ୍ତୁସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ତଗୋଳ ହେବ।
ବେଥନୀୟାରେ ଯୀଶୁଙ୍କ ଅଭିଷେକ
6ଯୀଶୁ ବେଥନୀୟାରେ କୁଷ୍ଠୀ ଶିମୋନଙ୍କ ଗୃହରେ ଥିବା ସମୟରେ,
7ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ଘେନି ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
8କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି?
9ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।
10ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋʼ ପ୍ରତି ଉତ୍ତମ କର୍ମ କରିଅଛି।
11ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।
12ଆଉ, ସେ ମୋର ସମାଧି-କ୍ରିୟାସ୍ଵରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି।ଯୋହ.୧୯:୩୮-୪୨
13ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।
ଯୀଶୁଙ୍କୁ ଧରାଇ ଦେବା ପାଇଁ ଯିହୁଦାର ସମ୍ମତି
14ସେତେବେଳେ ଦ୍ଵାଦଶଙ୍କ ମଧ୍ୟରୁ ଈଷ୍କରିୟୋଥ ଯିହୁଦା ନାମକ ଜଣେ ପ୍ରଧାନ ଯାଜକମାନଙ୍କ ନିକଟକୁ ଯାଇ କହିଲା,
15ମୋତେ କଅଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି। ସେଥିରେ ସେମାନେ ତାହାକୁ ତିରିଶଗୋଟି ରୌପ୍ୟମୁଦ୍ରା ତୌଲି କରି ଦେଲେ।
16ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇଦେବା ନିମନ୍ତେ ସୁଯୋଗ ଅନ୍ଵେଷଣ କରିବାକୁ ଲାଗିଲା।
ଶିଷ୍ୟଙ୍କ ସହ ଭୋଜ ପାଳନ
17ପରେ ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
18ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି।
19ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
20ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ଵାଦଶ ଶିଷ୍ୟଙ୍କ ସହିତ ଭୋଜନରେ ବସିଲେ।
21ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁହସ୍ତରେ ସମର୍ପଣ କରିବ।
22ସେଥିରେ ସେମାନେ ଅତ୍ୟ; ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୋ ସେ କଅଣ ମୁଁ?
23ଯୀଶୁ ଉତ୍ତର ଦେଲେ, ଯେ ମୋʼ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁହସ୍ତରେ ସମର୍ପଣ କରିବ।
24ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ଵାରା ମନୁଷ୍ୟପୁତ୍ର ଶତ୍ରୁହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ତର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
25ଏଥିରେ ଯେଉଁ ଯିହୁଦା ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ଯୀଶୁ ତାହାକୁ କହିଲେ, ତୁମ୍ଭେ କହିଅଛ।
ପ୍ରଭୁଭୋଜ ବିଧି ସ୍ଥାପନ
26ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟୀ ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ, ଭୋଜନ କର, ଏହା ମୋହର ଶରୀର ।
27ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର,
28କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ।
29କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ।
30ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତ ପର୍ବତକୁ ବାହାରିଗଲେ।
ପିତରଙ୍କ ଅସ୍ଵୀକାରର ପୂର୍ବ ସୂଚନା
31ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ, ।
32ମାତ୍ର ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଗାଲିଲୀକି ଯିବି।
33କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ।
34ଯୀଶୁ ତାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ।
35ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ଵୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ।
ଗେଥ୍ଶିମାନୀରେ ଯୀଶୁଙ୍କ ପ୍ରାର୍ଥନା
36ଏଥିଉତ୍ତାରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।
37ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ଘେନି ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ।
38ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟ; ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋʼ ସାଙ୍ଗରେ ଜାଗିଥାଅ।
39ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇ ପାରେ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।
40ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମ୍ଭେମାନେ କି ମୋʼ ସାଙ୍ଗରେ ଦଣ୍ତେ ହେଲେ ଜାଗି ପାରିଲ ନାହିଁ?
41ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।
42ପୁନର୍ବାର ସେ ଦ୍ଵିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋʼଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।
43ପୁଣି, ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା।
44ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁନର୍ବାର ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ।
45ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପକ୍ଷଣ ଶୟନ କରି ବିଶ୍ରାମ କର, ଦେଖ,ସେହି ସମୟ ସନ୍ନିକଟ ହେଲାଣି, ପୁଣି ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
46ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।
ଯୀଶୁ ଶତ୍ରୁ ହସ୍ତରେ ସମର୍ପିତ
47ସେ କଥା କହୁଥିବା ସମୟରେ, ଦେଖ, ଦ୍ଵାଦଶଙ୍କ ମଧ୍ୟରୁ ଯିହୁଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନ-ବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ଼୍‍ଗ ଓ ଯଷ୍ଟି ଧରି ଆସିଲେ।
48ଆଉ, ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ଵନ କରିବି, ସେ ସେହି, ତାହାଙ୍କୁ ଧରିବ।
49ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ଵନ କଲା।
50କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର। ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
51ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ତା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
52ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍‍ଗ ପୁନର୍ବାର ସ୍ଵସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼୍‍ଗ ଧାରଣ କରନ୍ତି, ସେସମସ୍ତେ ଖଡ଼୍‍ଗ ଦ୍ଵାରା ବିନଷ୍ଟ ହେବେ।
53ଅଥବା ତୁମ୍ଭେ କଅଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରି ପାରେ ନାହିଁ ଓ ସେ ଏହିକ୍ଷଣି ମୋʼ ନିମନ୍ତେ ଦ୍ଵାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ?
54ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କିପ୍ରକାର ସଫଳ ହେବ?
55ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ତା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ;
56ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି। ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
ମହାସଭାରେ ଯୀଶୁଙ୍କ ବିଚାର
57ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ଘେନିଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ।
58କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ।
59ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟାସାକ୍ଷ୍ୟ ଅନ୍ଵେଷଣ କରିବାକୁ ଲାଗିଲେ,
60ଆଉ ଅନେକ ମିଥ୍ୟାସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। କିନ୍ତୁ ଶେଷରେ ଦୁଇଜଣ ବାହାରି କହିଲେ,
61ଏହି ଲୋକଟା କହିଥିଲା, ମୁଁ ଈଶ୍ଵରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳିଦେଇ ପାରେ।
62ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
63କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ଵରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ?
64ଯୀଶୁ ତାଙ୍କୁ କହିଲେ, ଆପଣ କହିଅଛନ୍ତି; ଆହୁରି, ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
65ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ଵରନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ଵରନିନ୍ଦା ଶୁଣିଲେ,
66ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ତର ଯୋଗ୍ୟ।
67ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,
68ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା?
ପିତରଙ୍କ ଯୀଶୁଙ୍କୁ ଅସ୍ଵୀକାର
69ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
70କିନ୍ତୁ ସେ ସମସ୍ତଙ୍କ ସାକ୍ଷାତରେ ଅସ୍ଵୀକାର କରି କହିଲେ, ତୁମ୍ଭେ କଅଣ କହୁଛ, ମୁଁ ଜାଣେ ନାହିଁ।
71ପୁଣି, ସେ ଦାଣ୍ତଦ୍ଵାରକୁ ବାହାରିଯାଆନ୍ତେ ଆଉ ଜଣେ ଦାସୀ ତାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା।
72ପୁଣି, ସେ ରାଣ ପକାଇ ଆଉ ଥରେ ଅସ୍ଵୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ।
73ଅଳ୍ପକ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ ବୋଲିରୁ ତ ତାହା ଜଣା ପଡ଼ୁଅଛି।
74ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। ସେହିକ୍ଷଣି କୁକୁଡ଼ା ଡାକିଲା।
75ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ, ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟ; ବ୍ୟାକୁଳ ହୋଇ ରୋଦନ କଲେ।

Highlight

Share

Compare

Copy

None

Want to have your highlights saved across all your devices? Sign up or sign in