Bible App logo
Search Icon

ଯିହୋଶୂୟ 6

6
ଯିରୀହୋର ପତନ
1(ସେହି ସମୟରେ ଇସ୍ରାଏଲ-ସନ୍ତାନଗଣ ସକାଶୁ ଯିରୀହୋ ରୁଦ୍ଧ ଥିଲା; ଦୃଢ଼ ରୂପେ ରୁଦ୍ଧ ହୋଇଥିଲା; କେହି ବାହାରକୁ ଗଲା ନାହିଁ ଓ କେହି ଭିତରକୁ ଆସିଲା ନାହିଁ ) ଯିହୋ.୨:୧
2ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହା-ବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।
3ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ ଛଅ ଦିନ କରିବ।
4ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶଦ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ ;
5ଏଥିରେ ଯେତେବେଳେ ସେମାନେ ମହାଶଦ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ଵନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶଦ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହାଜୟଧ୍ଵନିରେ ଜୟଧ୍ଵନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।
6ତହୁଁ ନୂନର ପୁତ୍ର ଯିହୋଶୂୟ ଯାଜକମାନଙ୍କୁ ଡାକି କହିଲେ, ତୁମ୍ଭେମାନେ ନିୟମ-ସିନ୍ଦୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଦୁକର ଅଗ୍ରସର ହୋଇ ମହାଶଦ୍ଦକାରୀ ସାତ ତୂରୀ ବହନ୍ତୁ।
7ଏଥିରେ ସେମାନେ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଅଗ୍ରସର ହୋଇ ନଗର ବେଷ୍ଟନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ।
8ତେଣୁ ଯିହୋଶୂୟ ଲୋକମାନଙ୍କୁ କହିଲା ଉତ୍ତାରେ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ମହାଶଦ୍ଦକାରୀ ତୂରୀ ବହି ବଜାଇ ବଜାଇ ଚାଲିଲେ ଓ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ପଛେ ପଛେ ଚଳିଲା।
9ଆଉ ସସଜ୍ଜ ଲୋକମାନେ ତୂରୀବାଦକ ଯାଜକମାନଙ୍କ ଆଗେ ଆଗେ ଚାଲିଲେ, ପୁଣି ଯାଜକମାନେ ତୂରୀ ବଜାଇ ଯାଉ ଯାଉ ପଶ୍ଚାଦ୍ଗାମୀ ଲୋକମାନେ ସିନ୍ଦୁକର ପଛେ ପଛେ ଗମନ କଲେ।
10ମାତ୍ର ଯିହୋଶୂୟ ଲୋକମାନଙ୍କୁ ଆଜ୍ଞା ଦେଇ କହିଥିଲେ, ତୁମ୍ଭେମାନେ ଜୟଧ୍ଵନି କରିବ ନାହିଁ, କି ଆପଣା ରବ ଶୁଣାଇବ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ କୌଣସି ବାକ୍ୟ ନିର୍ଗତ ହେବ ନାହିଁ, ମୁଁ ଜୟଧ୍ଵନି କରିବାକୁ ଆଜ୍ଞା ଦେଲେ, ତୁମ୍ଭେମାନେ ଜୟଧ୍ଵନି କରିବ।
11ଏହିରୂପେ ସେ ସଦାପ୍ରଭୁଙ୍କ ସିନ୍ଦୁକକୁ ନଗରର ଚାରିଆଡ଼େ ଥରେ ଲେଖାଏଁ ପ୍ରଦକ୍ଷିଣ କରାଇଲେ; ତହୁଁ ଲୋକମାନେ ଛାଉଣିକି ଆସିଲେ, ଆଉ ଛାଉଣିରେ ବାସ କଲେ।
12ଅନନ୍ତର ଯିହୋଶୂୟ ଅତି ପ୍ରଭାତରେ ଉଠିଲେ, ପୁଣି ଯାଜକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଘେନିଲେ।
13ଆଉ ସାତ ଯାଜକ ମହାଶଦ୍ଦକାରୀ ସାତ ତୂରୀ ଧରି ସଦାପ୍ରଭୁଙ୍କ ସିନ୍ଦୁକ ଆଗେ ଆଗେ କ୍ରମାଗତ ଗମନ କରି ତୂରୀ ବଜାଇଲେ; ସସଜ୍ଜ ଲୋକମାନେ ସେମାନଙ୍କ ଅଗ୍ରସର ହୋଇ ଚାଲିଲେ; ପୁଣି ପଶ୍ଚାଦ୍ବର୍ତ୍ତୀ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ପଛେ ପଛେ ଚାଲିଲେ, ଯାଜକମାନେ ତୂରୀ ବଜାଇ ବଜାଇ ଗମନ କଲେ।
14ଆଉ ଦ୍ଵିତୀୟ ଦିନ ସେମାନେ ଥରେ ନଗର ପ୍ରଦକ୍ଷିଣ କରି ଛାଉଣିକି ଫେରି ଆସିଲେ; ଏହିରୂପେ ସେମାନେ ଛଅ ଦିନ କଲେ।
15ତହୁଁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହିରୂପେ ସାତ ଥର ନଗର ପ୍ରଦକ୍ଷିଣ କଲେ; କେବଳ ସେହିଦିନ ସେମାନେ ସାତ ଥର ନଗର ପ୍ରଦକ୍ଷିଣ କଲେ।
16ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, ଜୟଧ୍ଵନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।
17ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଦୂତମାନଙ୍କୁ ଲୁଚାଇ ରଖିଥିଲା।
18ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସି-ମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକି ବର୍ଜିତ କରିବ ଓ ତାକୁ ଦୁଃଖ ଦେବ।
19ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହା ସବୁ ସଦାପ୍ରଭୁଙ୍କ ଭଣ୍ତାରକୁ ଆସିବ।
20ଏରୂପେ ଲୋକମାନେ ଜୟଧ୍ଵନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ଵନି ଶୁଣି ମହାଜୟଧ୍ଵନିରେ ଜୟଧ୍ଵନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।
21ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଦଭ ଆଦି ଯାହା ଯାହା ନଗରରେ ଥିଲା, ସେସବୁକୁ ଖଡ଼୍‍ଗମୁଖରେ ବର୍ଜିତ ରୂପେ ବିନାଶ କଲେ।
22ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକି ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।
23ଏଥିରେ ସେହି ଯୁବା ଚରମାନେ ଗଲେ, ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା, ସେସବୁ ବାହାର କରି ଆଣିଲେ, ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ; ଆଉ ସେମାନଙ୍କୁ ଇସ୍ରାଏଲ-ଛାଉଣି ବାହାରେ ରଖିଲେ।
24ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତ ସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ତାରରେ ରଖିଲେ।
25ମାତ୍ର ଯିହୋଶୂୟ ରାହାବ ବେଶ୍ୟାକୁ ଓ ତାହାର ପିତୃପରିବାରକୁ ଓ ତାହାର ସର୍ବସ୍ଵ ଜୀବିତ ରଖିଲେ; ପୁଣି ସେ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ବସତି କରୁଅଛି; କାରଣ ଯିରୀହୋ ଅନ୍ଵେଷଣ କରିବା ପାଇଁ ଯିହୋଶୂୟ ଯେଉଁ ଦୂତମାନଙ୍କୁ ପଠାଇଥିଲେ, ସେମାନଙ୍କୁ ସେ ଲୁଚାଇ ରଖିଥିଲା।
26ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; ସେ ଆପଣା ଜ୍ୟେଷ୍ଠପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ଵାରମାନ ସ୍ଥାପନ କରିବ।
27ଏହିରୂପେ ସଦାପ୍ରଭୁ ଯିହୋଶୂୟଙ୍କର ସହବର୍ତ୍ତୀ ହେଲେ ଓ ତାଙ୍କର କୀର୍ତ୍ତି ଦେଶଯାକ ବ୍ୟାପିଲା।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in