ଯିହୋଶୂୟ 5
5
1ଅନନ୍ତର ଆମ୍ଭେମାନେ ପାର ହେବାଯାଏ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ-ଜଳ କିରୂପେ ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ-ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ।
ଗିଲ୍ଗଲ୍ରେ ସୁନ୍ନତ
2ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ଵିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।
3ଏଥିରେ ଯିହୋଶୂୟ ଶିଳା-ଛୁରୀମାନ ନିର୍ମାଣ କରି ତ୍ଵକ୍-ପର୍ବତ ନିକଟରେ ଇସ୍ରାଏଲ-ସନ୍ତାନଗଣର ସୁନ୍ନତ କରାଇଲେ।
4ପୁଣି ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି; ମିସରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ, ମିସରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ।
5ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ; ମାତ୍ର ମିସରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନ ଥିଲା।
6ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ, ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧମଧୁପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ।
7ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କ ଯେଉଁ ସନ୍ତାନଗଣକୁସେ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା।
8ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ।
9ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିସରର ଦୁର୍ନାମ ଘୁଞ୍ଚାଇଲୁ; ଏହେତୁ ଆଜିଯାଏ ସେହି ସ୍ଥାନର ନାମ ଗିଲ୍ଗଲ୍ (ଘୁଞ୍ଚିବାର) ରହିଲା।
କିଣାନରେ ପ୍ରଥମ ନିସ୍ତାର ଭୋଜ
10ଇସ୍ରାଏଲ-ସନ୍ତାନଗଣ ଗିଲ୍ଗଲ୍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ-ପଦାରେ ନିସ୍ତାର ପର୍ବ ପାଳନ କଲେ।
11ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ଦିନ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ।
12ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ; ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ।
ଯିହୋଶୂୟ ଏବଂ ଏକ ଖଡ଼୍ଗଧାରୀ ବ୍ୟକ୍ତି
13ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ-ଖଡ଼୍ଗହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?
14ତହୁଁ ସେ କହିଲେ, ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ; ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?
15ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର। ଆଉ ଯିହୋଶୂୟ ସେପରି କଲେ।
Currently Selected:
ଯିହୋଶୂୟ 5: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.