ଯିହୋଶୂୟ 14
14
ଯର୍ଦ୍ଦନର ପଶ୍ଚିମ ପାର୍ଶ୍ଵସ୍ଥ ଅଧିକାର
1କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣ ଏହିସବୁ ଅଧିକାର ପାଇଲେ, ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନ-ଗଣର ପିତୃବଂଶୀୟ ପ୍ରଧାନବର୍ଗ,
2ଯେପରି ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ତାହା ନଅ ବଂଶକୁ ଓ ଅର୍ଦ୍ଧ ବଂଶକୁ ଗୁଲିବାଣ୍ଟ ଦ୍ଵାରା ବିଭାଗ କରି ଦେଲେ।
3କାରଣ ମୋଶା ଯର୍ଦ୍ଦନ ପୂର୍ବପାରିରେ ଦୁଇ ବଂଶ ଓ ଅର୍ଦ୍ଧ ବଂଶକୁ ଅଧିକାର ଦେଇଥିଲେ; ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ କୌଣସି ଅଧିକାର ଦେଲେ ନାହିଁ।
4ଯୋଷେଫର ସନ୍ତାନଗଣ ମନଃଶି ଓ ଇଫ୍ରୟିମ ଦୁଇ ବଂଶ ଥିଲେ। ପୁଣି ସେମାନେ ଲେବୀୟମାନଙ୍କୁ କେତେକ ବସତି-ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳିଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ।
5ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କରି ଦେଶ ବିଭାଗ କଲେ।
କାଲେବଙ୍କୁ ହିବ୍ରୋଣ ପ୍ରଦାନ
6ସେସମୟରେ ଯିହୁଦା-ସନ୍ତାନଗଣ ଗିଲ୍ଗଲ୍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ; ତହୁଁ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ ତାଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ଵରଙ୍କ ଲୋକ ମୋଶାଙ୍କୁ କାଦେଶ-ବର୍ଣ୍ଣେୟରେ ଯାହା କହିଥିଲେ, ତାହା ତୁମ୍ଭେ ଜାଣ।
7ମୋହର ଚାଳିଶ ବର୍ଷ ବୟସରେ ସଦାପ୍ରଭୁଙ୍କ ସେବକ ମୋଶା ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ-ବର୍ଣ୍ଣେୟଠାରୁ ମୋତେ ପଠାଇଥିଲେ; ତହିଁରେ ମୁଁ ଆପଣା ମନରେ ଯାହା ଥିଲା, ତଦନୁସାରେ ତାଙ୍କୁ ସମ୍ଵାଦ ଆଣି ଦେଲି।
8ତଥାପି ମୋହର ଯେଉଁ ଭ୍ରାତୃଗଣ ମୋର ସଙ୍ଗେ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ; ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ଵରଙ୍କର ଅନୁଗତ ହେଲି।
9ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ଵରଙ୍କର ଅନୁଗତ ହୋଇଅଛ।
10ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ୍ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ଚାରିକୋଡ଼ି ପାଞ୍ଚ ବର୍ଷ ବୟସ୍କ ହୋଇଅଛି।
11ତଥାପି ମୋଶା ଯେଉଁ ଦିନ ମୋତେ ପଠାଇଥିଲେ, ସେଦିନ ମୁଁ ଯେପରି ବଳବାନ ଥିଲି, ସେପରି ଆଜି ଅଛି; ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋହର ଯେପରି ବଳ ଥିଲା, ସେପରି ଏବେ ମଧ୍ୟ ମୋହର ବଳ ଅଛି।
12ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥାʼନ୍ତି ଓ ନଗରମାନ ବୃହତ ଓ ପ୍ରାଚୀରବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।
13ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ।
14ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବ୍ଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଅନୁଗତ ହୋଇଥିଲେ।
15ପୂର୍ବକାଳରେ ଏହି ହିବ୍ରୋଣର ନାମ କିରୀୟଥର୍ବ (ଅର୍ବର ନଗର) ଥିଲା; ସେହି ଅର୍ବ ଅନାକୀୟମାନଙ୍କ ମଧ୍ୟରେ ସର୍ବପ୍ରଧାନ ଲୋକ ଥିଲା। ଏଉତ୍ତାରୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
Currently Selected:
ଯିହୋଶୂୟ 14: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.