ଯିହୋଶୂୟ 13
13
ଅଧିକାର ନିମନ୍ତେ ଅବଶିଷ୍ଟ ଅଞ୍ଚଳ
1ଏହି ସମୟରେ ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ; ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭେ ବୃଦ୍ଧ ଓ ଗତବୟସ୍କ ହେଲ; ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି।
2ସେହି ଅବଶିଷ୍ଟ ଦେଶ ଏହି; ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳ ଓ ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ ;
3ଅର୍ଥାତ୍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତରସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାତୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;
4ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା।
5ପୁଣି ଗିବ୍ଲୀୟମାନଙ୍କ ଦେଶ ଓ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍ଗାଦ୍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ଥ ସମସ୍ତ ଲିବାନୋନ୍।
6ଲିବାନୋନ୍ଠାରୁ ମିଷ୍ରଫୋତ୍ମୟିମ୍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସୀଦୋନୀୟମାନଙ୍କ ଦେଶ; ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା; ତୁମ୍ଭେ ଆମ୍ଭ ଆଜ୍ଞାନୁସାରେ ତାହା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ।
7ଏନିମନ୍ତେ ଏବେ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧବଂଶକୁ ଏହି ଦେଶ ବିଭାଗ କରି ଦିଅ।
ଯର୍ଦ୍ଦନର ପୂର୍ବ ପାର୍ଶ୍ଵସ୍ଥ ଅଧିକାର
8ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଯର୍ଦ୍ଦନର ପୂର୍ବପାରିରେ ମୋଶାଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ,
9ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି,
10ଆଉ ଅମ୍ମୋନ-ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିଷ୍ବୋନରେ କର୍ତ୍ତୃତ୍ଵକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମସ୍ତ ନଗର;
11ପୁଣି ଗିଲୀୟଦ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ,
12ଅର୍ଥାତ୍, ଅଷ୍ଟାରୋତରେ ଓ ଇଦ୍ରିୟୀରେ ରାଜତ୍ଵକାରୀ ରଫାୟୀୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାଶନ ରାଜ୍ୟ ଦେଇଥିଲା; କାରଣ ମୋଶା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ।
13ତଥାପି ଇସ୍ରାଏଲ-ସନ୍ତାନଗଣ ଗଶୂରୀୟମାନଙ୍କୁ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ; ସେହି ଗଶୂରୀୟ ଓ ମାଖାଥୀୟମାନେ ଆଜିଯାଏ ଇସ୍ରାଏଲ ମଧ୍ୟରେ ବାସ କରୁଅଛନ୍ତି।
14କେବଳ ଲେବୀ ବଂଶକୁ ସେ କିଛି ଅଧିକାର ଦେଲେ ନାହିଁ; ତାହା ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଅଗ୍ନିକୃତ ଉପହାର ତାହାର ଅଧିକାର ହେଲା।
15ପୁଣି ମୋଶା ରୁବେନ୍ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ।
16ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେମାନଙ୍କର ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି ;
17ହିଷ୍ବୋନ ଓ ସମଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈଥ୍ବାଲ-ମିୟୋନ,
18ଯହସ୍ ଓ କଦେମୋତ୍ ଓ ମେଫାତ୍ ଗଣ. ୨୧:୨୩
19ଓ କିରୀୟାଥୟିମ୍ ଓ ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ୍ ସହର
20ଓ ବୈଥ୍ପିୟୋର ଓ ଅସଦୋତ୍-ପିସ୍ଗା ଓ ବୈଥ୍-ଯିଶିମୋତ୍, ତହିଁର ଏହି ସମସ୍ତ ନଗର।
21ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିଷ୍ବୋନରେ ରାଜତ୍ଵକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୋଶା ତାହାକୁ ଓ ସେହି ଦେଶ ନିବାସୀ ମିଦୀୟନର ପ୍ରଧାନବର୍ଗ ଇବି ଓ ରେକମ ଓ ସୂର ଓ ହୂର ଓ ରେବା ନାମକ ସୀହୋନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ।
22ଇସ୍ରାଏଲ-ସନ୍ତାନଗଣ ଖଡ଼୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍କୁ ମଧ୍ୟ ବଧ କରିଥିଲେ।
23ଆଉ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍-ସନ୍ତାନଗଣର ସୀମା ଥିଲା, ରୁବେନ୍-ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
24ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନଙ୍କୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ।
25ଯାସେର ଓ ଗିଲୀୟଦର ସମସ୍ତ ନଗର ଓ ରବ୍ବାର ସମ୍ମୁଖସ୍ଥ ଅରୋୟେର ପର୍ଯ୍ୟନ୍ତ ଅମ୍ମୋନ-ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା।
26ପୁଣି ହିଷ୍ବୋନଠାରୁ ରାମତ୍-ମିସ୍ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ
27ଓ ତଳଭୂମିରେ ବୈଥାରମ୍ ଓ ବୈଥ୍ନିମ୍ରା ଓ ସୁକ୍କୋତ ଓ ସାଫୋନ୍ ଓ ହିଷ୍ବୋନସ୍ଥ ସୀହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଯର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍ ହ୍ରଦର ପ୍ରା; ପର୍ଯ୍ୟନ୍ତ ଯର୍ଦ୍ଦନ ଓ ତହିଁର ଅଞ୍ଚଳ।
28ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
29ଆଉ ମୋଶା ମନଃଶିର ଅର୍ଦ୍ଧ ବଂଶକୁ ଅଧିକାର ଦେଲେ; ମନଃଶି-ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କ ଅର୍ଦ୍ଧ ବଂଶର ହେଲା।
30ସେମାନଙ୍କର ସୀମା ମହନୟୀମଠାରୁ ସମସ୍ତ ବାଶନ ଦେଶ, ବାଶନର ରାଜା ଓଗ୍ର ସମସ୍ତ ରାଜ୍ୟ ଓ ବାଶନର ଅନ୍ତର୍ଗତ ଯାୟୀରର ସମସ୍ତ ଉପନଗର, ଏରୂପେ ଷାଠିଏ ନଗର;
31ପୁଣି ଅର୍ଦ୍ଧ ଗିଲୀୟଦ ଓ ଅଷ୍ଟାରୋତ୍ ଓ ଇଦ୍ରିୟୀ, ଓଗ୍ର ବାଶନ ରାଜ୍ୟସ୍ଥିତ ଏହି ଏହି ନଗର ମନଃଶିର ପୁତ୍ର ମାଖୀର-ସନ୍ତାନଗଣର ବଂଶାନୁସାରେ ମାଖୀର-ସନ୍ତାନଗଣର ଅର୍ଦ୍ଧ ବଂଶର ହେଲା।
32ଯର୍ଦ୍ଦନ ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରି ଦେଲେ।
33ମାତ୍ର ମୋଶା ଲେବୀ ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।
Currently Selected:
ଯିହୋଶୂୟ 13: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.