ଯିଶାଇୟ 66
66
ଆତ୍ମାରେ ଦୁଃଖୀ ଓ ଚୂର୍ଣ୍ଣମନା
1ସଦାପ୍ରଭୁ ଏହି କଥା କହନ୍ତି, ସ୍ଵର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ; ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ?
2କାରଣ ଆମ୍ଭର ହସ୍ତ ଏହିସବୁ ନିର୍ମାଣ କରିଅଛି, ଆଉ ତହିଁ ସକାଶୁ ଏହିସବୁ ଉତ୍ପନ୍ନ ହେଲା, ଏହା ସଦାପ୍ରଭୁ କହନ୍ତି; ମାତ୍ର ଏହି ଲୋକ ପ୍ରତି, ଅର୍ଥାତ୍, ଯେଉଁ ଲୋକ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ୟରେ କମ୍ପମାନ ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟିପାତ କରିବା।
3ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ଵଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;
4ଆମ୍ଭେ ମଧ୍ୟ ସେମାନଙ୍କର ଭ୍ରାନ୍ତିଜନକ ବିଷୟ ମନୋନୀତ କରିବା ଓ ସେମାନଙ୍କ ଭୟର ବିଷୟ ସେମାନଙ୍କ ପ୍ରତି ଘଟାଇବା; କାରଣ ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେଲେ ନାହିଁ; ଆମ୍ଭେ କଥା କହିଲା ବେଳେ ସେମାନେ ଶୁଣିଲେ ନାହିଁ; ମାତ୍ର ଯାହା ଆମ୍ଭ ଦୃଷ୍ଟିରେ ମନ୍ଦ, ତାହା ସେମାନେ କଲେ ଓ ଯହିଁରେ ଆମ୍ଭର ସନ୍ତୋଷ ନାହିଁ, ତାହା ସେମାନେ ମନୋନୀତ କଲେ।
5ସଦାପ୍ରଭୁଙ୍କ ବାକ୍ୟରେ କମ୍ପମାନ ହେଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ତାହାଙ୍କର ବାକ୍ୟ ଶୁଣ; ତୁମ୍ଭମାନଙ୍କର ଯେଉଁ ଭ୍ରାତୃଗଣ ତୁମ୍ଭମାନଙ୍କୁ ଘୃଣା କରନ୍ତି, ଆମ୍ଭ ନାମ ସକାଶେ ତୁମ୍ଭମାନଙ୍କୁ ଦୂର କରନ୍ତି, ସେମାନେ କହିଅଛନ୍ତି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖି ପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ ; ମାତ୍ର ସେମାନେ ଲଜ୍ଜିତ ହେବେ।
6ନଗରରୁ କଳହର ରବ, ମନ୍ଦିରରୁ ରବ, ଯେ ଆପଣା ଶତ୍ରୁମାନଙ୍କୁ ପ୍ରତିଫଳ ଦିଅନ୍ତି, ସେହି ସଦାପ୍ରଭୁଙ୍କର ରବଣ!
ଯିରୂଶାଲମ ସହ ଆନନ୍ଦିତ
7ବେଦନାର ପୂର୍ବେ ସେ ପ୍ରସବ କଲା; ଗର୍ଭବେଦନା ଆସିବା ପୂର୍ବେ ପୁତ୍ରସନ୍ତାନ ଭୂମିଷ୍ଠ ହେଲା।
8ଏପ୍ରକାର କଥା କିଏ ଶୁଣିଅଛି? ଏପ୍ରକାର କଥା କିଏ ଦେଖିଅଛି? ଏକ ଦିନରେ କି କୌଣସି ଦେଶର ଜନ୍ମ ହେବ? କୌଣସି ଗୋଷ୍ଠୀୟ ଲୋକେ କି ଏକାବେଳେ ଜନ୍ମ ହେବେ? ସିୟୋନ ଗର୍ଭବେଦନା ପାଇବା ମାତ୍ରେ, ସେ ଆପଣା ସନ୍ତାନଗଣକୁ ପ୍ରସବ କଲା।
9ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରସବକାଳ ଉପସ୍ଥିତ କରି କି ପ୍ରସବ କରାଇବା ନାହିଁ? ତୁମ୍ଭର ପରମେଶ୍ଵର କହନ୍ତି, ପ୍ରସବ କରାଉ ଯେ ଆମ୍ଭେ, ଆମ୍ଭେ କି ଗର୍ଭ ରୋଧ କରିବା?
10ହେ ଯିରୂଶାଲମକୁ ପ୍ରେମକାରୀ ସମସ୍ତେ, ତୁମ୍ଭେମାନେ ତାହା ସହିତ ଆନନ୍ଦ କର ଓ ତାହା ନିମନ୍ତେ ଉଲ୍ଲାସ କର; ତାହା ବିଷୟରେ ଶୋକକାରୀ ସମସ୍ତେ, ତୁମ୍ଭେମାନେ ଆନନ୍ଦ ସକାଶୁ ତାହା ସହିତ ଉଲ୍ଲାସ କର;
11ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ଵନାରୂପ ସ୍ତନ୍ୟ ପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ଚର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।
12କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତାହା ଆଡ଼କୁ ନଦୀ ତୁଲ୍ୟ ଶାନ୍ତି ଓ ଉଚ୍ଛୁଳିବା ସ୍ରୋତ ତୁଲ୍ୟ ନାନା ଦେଶୀୟମାନଙ୍କ ଐଶ୍ଵର୍ଯ୍ୟ ବହାଇବା, ପୁଣି ତୁମ୍ଭେମାନେ ତହିଁରୁ ସ୍ତନ୍ୟ ପାନ କରିବ ଓ ତୁମ୍ଭେମାନେ କକ୍ଷରେ ବୁହାଯିବ ଓ ଆଣ୍ଠୁ ଉପରେ ନଚାଯିବ।
13ଯେପରି ଜଣକୁ ତାହାର ମାତା ସାନ୍ତ୍ଵନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ଵନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ଵନା ପାଇବ।
14ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ଵିତ ହେବେ।
ଈଶ୍ଵରଙ୍କ ମହିମା ଏବଂ ଶେଷ ବିଚାର
15କାରଣ ଦେଖ, ମହାତାପରେ ଆପଣାର କ୍ରୋଧ ଓ ପ୍ରଜ୍ଵଳିତ ଅଗ୍ନି ଦ୍ଵାରା ଆପଣା ଭର୍ତ୍ସନା ପ୍ରତିଦାନ କରିବା ପାଇଁ ସଦାପ୍ରଭୁ ଅଗ୍ନି ସହକାରେ ଆଗମନ କରିବେ ଓ ତାହାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।
16କାରଣ ସଦାପ୍ରଭୁ ଅଗ୍ନି ଦ୍ଵାରା ଓ ଆପଣା ଖଡ଼୍ଗ ଦ୍ଵାରା ଯାବତୀୟ ମର୍ତ୍ତ୍ୟ ସହିତ ବିବାଦ ନିଷ୍ପନ୍ନ କରିବେ; ତହିଁରେ ସଦାପ୍ରଭୁଙ୍କ ଦ୍ଵାରା ହତ ଲୋକ ଅନେକ ହେବେ।
17ସଦାପ୍ରଭୁ କହନ୍ତି, ଯେଉଁମାନେ ମଧ୍ୟବର୍ତ୍ତୀ ଏକ ଜଣର ପଶ୍ଚାତ୍ ଉଦ୍ୟାନକୁ ଯିବା ପାଇଁ ଆପଣାମାନଙ୍କୁ ପବିତ୍ର ଓ ଶୁଚି କରନ୍ତି, ଶୂକର ମାଂସ ଓ ଘୃଣ୍ୟ ଦ୍ରବ୍ୟ ଓ ମୂଷା ଖାଆନ୍ତି, ସେମାନେ ଏକତ୍ର ବିନଷ୍ଟ ହେବେ।
18କାରଣ ଆମ୍ଭେ ସେମାନଙ୍କର କ୍ରିୟା ଓ କଳ୍ପନାସବୁ ଜାଣୁ; ସର୍ବଦେଶୀୟ ଓ ଭାଷାବାଦୀ ଲୋକଙ୍କୁ ଆମ୍ଭର ସଂଗ୍ରହ କରିବାର ସମୟ ଆସୁଅଛି ଓ ସେମାନେ ଆସି ଆମ୍ଭର ମହିମା ଦେଖିବେ।
19ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ, ତର୍ଶୀଶ୍, ପୁଲ ଓ ଲୂଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ, ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ଵୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି, କିଅବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।
20ପୁଣି, ସଦାପ୍ରଭୁ କହନ୍ତି, ଇସ୍ରାଏଲର ସନ୍ତାନଗଣ ଯେପରି ଶୁଚି-ପାତ୍ରରେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣନ୍ତି, ସେପରି ସେମାନେ ତୁମ୍ଭମାନଙ୍କର ଭ୍ରାତା ସମସ୍ତଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ନିମନ୍ତେ, ସର୍ବଦେଶୀୟମାନଙ୍କ ମଧ୍ୟରୁ ସେମାନଙ୍କୁ ଅଶ୍ଵ, ରଥ ଓ ଚୌଦଳ, ଖଚର ଓ ଦ୍ରୁତଗାମୀ ପଶୁମାନଙ୍କ ଉପରେ ଆମ୍ଭର ପବିତ୍ର ପର୍ବତ ଯିରୂଶାଲମକୁ ଆଣିବେ।
21ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଯାଜକ ଓ ଲେବୀୟ ହେବା ନିମନ୍ତେ ଲୋକ ଗ୍ରହଣ କରିବା, ଏହା ସଦାପ୍ରଭୁ କହନ୍ତି।
22କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି।
23ଆଉ, ଏକ ଅମାବାସ୍ୟାଠାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ଓ ଏକ ବିଶ୍ରାମବାରଠାରୁ ଅନ୍ୟ ବିଶ୍ରାମବାର ପର୍ଯ୍ୟନ୍ତ ଯାବତୀୟ ମର୍ତ୍ତ୍ୟ ଆମ୍ଭ ସମ୍ମୁଖରେ ଭଜନା କରିବା ପାଇଁ ଆସିବେ, ଏହା ସଦାପ୍ରଭୁ କହନ୍ତି।
24ପୁଣି, ସେମାନେ ବାହାରେ ଯାଇ, ଯେଉଁମାନେ ଆମ୍ଭ ବିରୁଦ୍ଧରେ ଅଧର୍ମ କରିଅଛନ୍ତି, ସେହି ଲୋକମାନଙ୍କର ଶବ ଦେଖିବେ; କାରଣ ସେମାନଙ୍କର କୀଟ ମରିବ ନାହିଁ, କିଅବା ସେମାନଙ୍କର ଅଗ୍ନି ନିର୍ବାଣ ହେବ ନାହିଁ; ପୁଣି, ସେମାନେ ସମସ୍ତ ମର୍ତ୍ତ୍ୟର ଘୃଣାସ୍ପଦ ହେବେ।
Currently Selected:
ଯିଶାଇୟ 66: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.