Bible App logo
Search Icon

ଯିଶାଇୟ 65

65
ବିଚାର ଏବଂ ଉଦ୍ଧାର
1ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ଵାରା ଆମ୍ଭେ ଅନ୍ଵେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ଵେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତିନ୍ତ ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, ଆମ୍ଭକୁ ଦେଖ, ଆମ୍ଭକୁ ଦେଖ ବୋଲି ଆମ୍ଭେ କହିଲୁ।
2ଯେଉଁମାନେ ଆପଣା ଆପଣା କଳ୍ପନାନୁସାରେ କୁପଥରେ ଗମନ କରନ୍ତି, ଏପରି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ଦିନଯାକ ଆପଣା ହସ୍ତ ବିସ୍ତାର କରିଅଛୁ;
3ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଗୁଡ଼ିଏ ଇଟା ଉପରେ ଧୂମ ଜ୍ଵଳାଇ ଆମ୍ଭ ମୁଖ ଆଗରେ ନିତ୍ୟ ନିତ୍ୟ ଆମ୍ଭକୁ ବିରକ୍ତ କରନ୍ତି;
4ସେମାନେ କବର-ସ୍ଥାନ ମଧ୍ୟରେ ବସନ୍ତି ଓ ଗୁପ୍ତ ସ୍ଥାନରେ ବସା କରନ୍ତି; ସେମାନେ ଶୂକର ମାଂସ ଭୋଜନ କରନ୍ତି ଓ ସେମାନଙ୍କ ପାତ୍ରରେ ଘୃଣାଯୋଗ୍ୟ ମାଂସର ଝୋଳ ଥାଏ;
5ସେମାନେ କହନ୍ତି, ସ୍ଵସ୍ଥାନରେ ଛିଡ଼ା ହୁଅ, ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର; ଏମାନେ ଆମ୍ଭ ନାସିକାରେ ଧର୍ମ ସ୍ଵରୂପ, ଦିନଯାକ ପ୍ରଜ୍ଵଳିତ ଅଗ୍ନି ସ୍ଵରୂପ।
6ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା,
7ସଦାପ୍ରଭୁ କହନ୍ତି, ପର୍ବତଗଣ ଉପରେ ଧୂପ ଜ୍ଵଳାଇ ଅଛ ଓ ଉପପର୍ବତଗଣ ଉପରେ ଆମ୍ଭକୁ ନିନ୍ଦା କରିଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅପରାଧ ଓ ତୁମ୍ଭମାନଙ୍କ ପିତୃପୁରୁଷଗଣର ଅପରାଧସକଳର ପ୍ରତିଫଳ ଆମ୍ଭେ ଏକାବେଳେ ଦେବା; ଏନିମନ୍ତେ ଆମ୍ଭେ ପ୍ରଥମେ ସେମାନଙ୍କ କ୍ରିୟାର ପରିମାଣ କରି ସେମାନଙ୍କ କୋଳରେ ଦେବା।
8ସଦାପ୍ରଭୁ ଏହି କଥା କହନ୍ତି, ଦ୍ରାକ୍ଷାପେଣ୍ତାରେ ଯେପରି ନୂତନ ଦ୍ରାକ୍ଷାରସ ମିଳେ ଓ ଲୋକେ କହନ୍ତି, ଏହା ନଷ୍ଟ ନ କର, କାରଣ ଏଥିରେ ଆଶୀର୍ବାଦ ଅଛି; ସେପରି ଆମ୍ଭେ ଆପଣା ଦାସଗଣ ସକାଶେ କରିବା, ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
9ପୁଣି, ଆମ୍ଭେ ଯାକୁବଠାରୁ ଏକ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତଗଣର ଏକ ଅଧିକାରୀ ଉତ୍ପନ୍ନ କରିବା ଓ ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି କରିବେ।
10ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ଵେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।
11ମାତ୍ର ସଦାପ୍ରଭୁଙ୍କୁ ତ୍ୟାଗ କରୁଅଛ, ଆମ୍ଭ ପବିତ୍ର ପର୍ବତକୁ ପାସୋରୁଅଛ, ଭାଗ୍ୟଦେବ ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀର ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂର୍ଣ୍ଣ କରୁଅଛ ଯେ ତୁମ୍ଭେମାନେ,
12ତୁମ୍ଭମାନଙ୍କୁ ଆମ୍ଭେ ଖଡ଼୍‍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।
13ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେମାନେ କ୍ଷୁଧାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ଆନନ୍ଦ କରିବେ, ମାତ୍ର ତୁମ୍ଭେମାନେ ଲଜ୍ଜିତ ହେବ;
14ଦେଖ, ଆମ୍ଭର ଦାସମାନେ ଚିତ୍ତର ସୁଖ ସକାଶୁ ଗାନ କରିବେ, ମାତ୍ର ତୁମ୍ଭେମାନେ ଚିତ୍ତର ଦୁଃଖ ସକାଶୁ କ୍ରନ୍ଦନ କରିବ ଓ ଆତ୍ମାର ବିରକ୍ତି ସକାଶୁ ହାହାକାର କରିବ।
15ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଶାପାସ୍ପଦ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ;
16ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ଵରରେ ଆପଣାକୁ ଆଶୀର୍ବାଦ କରିବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ଵରଙ୍କ ଦ୍ଵାରା ଶପଥ କରିବ; ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।
ନୂତନ ସୃଷ୍ଟି
17କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ।
18ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର; କାରଣ ଦେଖ, ଆମ୍ଭେ ଯିରୂଶାଲମକୁ ଉଲ୍ଲାସ ସ୍ଵରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ।
19ପୁଣି, ଆମ୍ଭେ ଯିରୂଶାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା; ପୁଣି, ତହିଁ ମଧ୍ୟରେ ରୋଦନର ଶଦ୍ଦ, କିଅବା କ୍ରନ୍ଦନର ଶଦ୍ଦ ଆଉ ଶୁଣାଯିବ ନାହିଁ।
20ସେସମୟରୁ ସେସ୍ଥାନରେ ଅଳ୍ପ ଦିନର ଶିଶୁ କିଅବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନ ଥିବ; କାରଣ ବାଳକ ଏକଶତ ବର୍ଷ ବୟଃକ୍ରମରେ ମରିବ ଓ ପାପୀ ଏକଶତ ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ।
21ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
22ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ; କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁ ତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳଯାଏ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ।
23ସେମାନେ ବୃଥା ପରିଶ୍ରମ କରିବେ ନାହିଁ, କିଅବା ବିପଦର ପାଇଁ ପ୍ରସବ କରିବେ ନାହିଁ; କାରଣ ସେମାନେ ଓ ସେମାନଙ୍କ ସଙ୍ଗେ ସେମାନଙ୍କ ସନ୍ତାନଗଣ, ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ରର ବଂଶ।
24ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
25କେନ୍ଦୁଆ ବାଘ ଓ ମେଣ୍ଢାଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ; ପୁଣି, ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, ସଦାପ୍ରଭୁ ଏହା କହନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in