Bible App logo
Search Icon

ଯିଶାଇୟ 47

47
ବାବିଲର ଲଜ୍ଜା
1ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନୋହିବ।
2ଚକି ନେଇ ଶସ୍ୟ ପେଷ, ତୁମ୍ଭର ଓଢ଼ଣି କାଢ଼, ଜାମା କାଢ଼ି ପକାଅ, ପାଦ ଅନାବୃତ କର, ନଦନଦୀରେ ଚାଲି କରି ଯାଅ।
3ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ, ହଁ, ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବନ୍ତ ଆମ୍ଭେ ପରିଶୋଧ ନେବା, ପୁଣି କାହାରି ଅନୁରୋଧ ମାନିବା ନାହିଁ।
4ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ଵରୂପ, ସୈନ୍ୟାଧିପତି ସଦାପ୍ରଭୁ, ତାହାଙ୍କର ନାମ।
5ଆଗୋ କଲ୍ଦୀୟମାନଙ୍କର କନ୍ୟେ, ତୁମ୍ଭେ ଅନ୍ଧାରକୁ ଯାଇ ତୁନି ହୋଇ ବସ; କାରଣ ରାଜ୍ୟ-ସମୂହର କର୍ତ୍ତୃତ୍ଵକାରିଣୀ ବୋଲି ତୁମ୍ଭେ ଆଉ ଖ୍ୟାତା ନୋହିବ।
6ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ ।
7ପୁଣି, ତୁମ୍ଭେ କହିଲ, ଆମ୍ଭେ ସଦାକାଳ କର୍ତ୍ତୃତ୍ଵକାରିଣୀ ହୋଇ ରହିବା; ଏହେତୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ, କିଅବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ।
8ଏହେତୁ ଗୋ ସୁଖଭୋଗିନୀ, ଏବେ ଏହା ଶୁଣ, ତୁମ୍ଭେ ନିର୍ଭୟରେ ବାସ କରି ମନେ ମନେ କହୁଅଛ, ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ; ଆମ୍ଭେ ବିଧବା ପରି ବସିବା ନାହିଁ, କିଅବା ସନ୍ତାନ-ବିରହ ଜାଣିବା ନାହିଁ;
9ମାତ୍ର ସନ୍ତାନ-ବିରହ ଓ ବୈଧବ୍ୟ ଏ ଦୁଇ ଏକ ମୁହୂର୍ତ୍ତରେ, ଏକ ଦିନରେ ତୁମ୍ଭ ପ୍ରତି ଘଟିବ; ତୁମ୍ଭର ଅପାର ଗଣକତା ଓ ଅତି ପ୍ରଚୁର ମାୟାବୀତ୍ଵ ଥିଲେ ହେଁ, ସେ ଦୁଇ ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
10କାରଣ ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର ରଖିଅଛ; ତୁମ୍ଭେ କହିଅଛ, କେହି ଆମ୍ଭକୁ ଦେଖୁ ନାହିଁ, ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ପୁଣି ତୁମ୍ଭେ ଆପଣା ମନେ ମନେ କହିଅଛ, ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ;
11ଏହେତୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ, ତୁମ୍ଭେ ତହିଁର ଉଦୟ ଜାଣିବ ନାହିଁ; ପୁଣି, ତୁମ୍ଭ ଉପରେ ବିପଦ ପଡ଼ିବ, ତୁମ୍ଭେ ତାହା ଦୂର କରିପାରିବ ନାହିଁ; ଆଉ, ଯାହା ତୁମ୍ଭେ ଜାଣୁ ନାହଁ, ଏପରି ବିନାଶ ହଠାତ୍ ତୁମ୍ଭ ଉପରେ ଘଟିବ।
12ତୁମ୍ଭେ ବାଲ୍ୟରୁ ଆପଣାର ଯେଉଁ ମାୟାବୀତ୍ଵ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ଵନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ।
13ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳା; ହୋଇଅଛ; ଏବେ ଜ୍ୟୋତିଷମାନେ, ନକ୍ଷତ୍ର-ଦର୍ଶୀମାନେ, ମାସିକ ଶୁଭାଶୁଭବାଦୀମାନେ ଛିଡ଼ା ହେଉନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
14ଦେଖ, ସେମାନେ କୁଟା ପରି ହେବେ; ଅଗ୍ନି ସେମାନଙ୍କୁ ଦଗ୍ଧ କରିବ; ସେମାନେ ଅଗ୍ନିଶିଖାର ବଳରୁ ଆପଣାମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। ତାହା ଉଷ୍ଣ ହେବା ନିମନ୍ତେ ଜ୍ଵଳ; ଅଙ୍ଗାର ଅବା ତହିଁ ସମ୍ମୁଖରେ ବସିବା ନିମନ୍ତେ ଅଗ୍ନି ସ୍ଵରୂପ ନୋହିବ।
15ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେସବୁ ତୁମ୍ଭ ପ୍ରତି ଏରୂପ ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in