Bible App logo
Search Icon

ଯିଶାଇୟ 45

45
କୋରସ୍ ସଦାପ୍ରଭୁଙ୍କ ମାଧ୍ୟମ
1ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍, କୋରସ୍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କି ପରାସ୍ତ କରିବା ନିମନ୍ତେ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା ; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗର-ଦ୍ଵାରସବୁ ବନ୍ଦ ନୋହିବ;
2ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ତ ଖଣ୍ତ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;
3ପୁଣି, ଆମ୍ଭେ ଅନ୍ଧକାରାବୃତ ଧନଭଣ୍ତାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା, ତହିଁରେ ତୁମ୍ଭର ନାମ ଧରି ଆହ୍ଵାନକାରୀ ଆମ୍ଭେ ଯେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ଵର ଅଟୁ, ଏହା ତୁମ୍ଭେ ଜାଣି ପାରିବ।
4ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।
5ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ଵର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;
6ତହିଁରେ ଆମ୍ଭ ଛଡ଼ା ଯେ ଆଉ କେହି ନାହିଁ, ଏହା ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ଲୋକେ ଜାଣିବେ; ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ।
7ଆମ୍ଭେ ଦୀପ୍ତି ନିର୍ମାଣ କରୁ ଓ ଆମ୍ଭେ ଅନ୍ଧକାର ସୃଷ୍ଟି କରୁ; ଆମ୍ଭେ ଶାନ୍ତି ରଚନା କରୁ, ଅନିଷ୍ଟ ସୃଷ୍ଟି କରୁ; ଆମ୍ଭେ ସଦାପ୍ରଭୁ ଏହାସବୁ ସାଧନ କରୁ।
8ହେ ଆକାଶମଣ୍ତଳ, ତୁମ୍ଭେମାନେ ଉପରୁ ବର୍ଷଣ କର, ମେଘମାଳ ଧର୍ମବୃଷ୍ଟି କରୁ; ଯେପରି ପରିତ୍ରାଣ ଉତ୍ପନ୍ନ ହେବ, ଏଥିପାଇଁ ପୃଥିବୀ ବିଦୀର୍ଣ୍ଣ ହେଉ ଓ ସେ ଧାର୍ମିକତା ଏକତ୍ର ଅଙ୍କୁରିତ କରାଉ; ଆମ୍ଭେ ସଦାପ୍ରଭୁ ଏହା ସୃଷ୍ଟି କରିଅଛୁ।
ସୃଷ୍ଟି ଓ ଇତିହାସର ପ୍ରଭୁ
9ଯେ ଆପଣା ସୃଷ୍ଟିକର୍ତ୍ତାଙ୍କ ସଙ୍ଗେ ବିରୋଧ କରେ, ସେ ସନ୍ତାପର ପାତ୍ର ! ପୃଥିବୀର ଖପରା ମଧ୍ୟରେ ଖଣ୍ତେ ଖପରା ମାତ୍ରଣ! ମୃତ୍ତିକା କʼଣ ତାʼର ଗଢ଼ିବା ଲୋକକୁ କହିବ, ତୁମ୍ଭେ କଅଣ ନିର୍ମାଣ କରୁଅଛ? ଅବା ତୁମ୍ଭର କର୍ମ କʼଣ କହିବ, ତାହାର ହସ୍ତ ନାହିଁ?
10ଯେ ପିତାକୁ କହେ, ତୁମ୍ଭେ କଅଣ ଜନ୍ମାଉଅଛ, ଅବା ସ୍ତ୍ରୀଲୋକକୁ କହେ, ତୁମ୍ଭେ କଅଣ ପ୍ରସବ କରୁଅଛ? ସେ ସନ୍ତାପର ପାତ୍ର !
11ସଦାପ୍ରଭୁ, ଇସ୍ରାଏଲର ଧର୍ମସ୍ଵରୂପ ଓ ତାହାର ନିର୍ମାଣକର୍ତ୍ତା ଏହି କଥା କହନ୍ତି, ଆଗାମୀ ଘଟନାର ବିଷୟ ଆମ୍ଭକୁ ପଚାର; ତୁମ୍ଭେମାନେ ଆମ୍ଭ ସନ୍ତାନଗଣର ବିଷୟରେ ଓ ଆମ୍ଭ ହସ୍ତକୃତ କର୍ମ ବିଷୟରେ ଆମ୍ଭକୁ ଆଦେଶ ଦିଅ।
12ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ତହିଁ ମଧ୍ୟରେ ମନୁଷ୍ୟର ସୃଷ୍ଟି କରିଅଛୁ; ଆମ୍ଭେ, ଆମ୍ଭର ହସ୍ତ ହିଁ ଆକାଶମଣ୍ତଳ ବିସ୍ତୀର୍ଣ୍ଣ କରିଅଛି ଓ ତହିଁର ସକଳ ବିଷୟକୁ ଆମ୍ଭେ ଆଜ୍ଞା ଦେଇଅଛୁ।
13ଆମ୍ଭେ ଧର୍ମରେ ତାହାକୁ ଉତ୍ପନ୍ନ କରିଅଛୁ ଓ ଆମ୍ଭେ ତାହାର ସକଳ ପଥ ସରଳ କରିବା; ସେ ଆମ୍ଭର ନଗର ନିର୍ମାଣ କରିବ ଓ ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ଛାଡ଼ି ଦେବ, ମୂଲ୍ୟ ନିମନ୍ତେ କିଅବା ପୁରସ୍କାର ନିମନ୍ତେ ନୁହେଁ , ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ସଦାପ୍ରଭୁ ଏକମାତ୍ର ତ୍ରାଣକର୍ତ୍ତା
14ସଦାପ୍ରଭୁ ଏହି କଥା କହନ୍ତି, ମିସରର ପରିଶ୍ରମର ଓ କୂଶର ବାଣିଜ୍ୟର ଫଳ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ; ସେମାନେ ତୁମ୍ଭର ପଶ୍ଚାଦ୍ଗାମୀ ହେବେ; ଶୃଙ୍ଖଲରେ ଆବଦ୍ଧ ହୋଇ ସେମାନେ ଆସିବେ; ପୁଣି, ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ନିଶ୍ଚୟ ପରମେଶ୍ଵର ତୁମ୍ଭ ମଧ୍ୟରେ ଅଛନ୍ତି; ତାହାଙ୍କ ବିନୁ ଆଉ କେହି ନାହିଁ, ଆଉ କେହି ପରମେଶ୍ଵର ନାହାନ୍ତି ।
15ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ଵର, ତୁମ୍ଭେ ନିଶ୍ଚୟ ଆତ୍ମଗୋପନକାରୀ ପରମେଶ୍ଵର ଅଟ।
16ସେମାନେ ଲଜ୍ଜିତ ହେବେ, ହଁ, ସେସମସ୍ତେ ଘାବରା ହେବେ; ପ୍ରତିମା ନିର୍ମାଣକାରୀ ସମସ୍ତେ ଏକାସଙ୍ଗେ ଅପମାନଗ୍ରସ୍ତ ହେବେ।
17ମାତ୍ର ଇସ୍ରାଏଲ, ସଦାପ୍ରଭୁଙ୍କ ଦ୍ଵାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପ୍ରାପ୍ତ ହେବ; ତୁମ୍ଭେମାନେ ଯୁଗଯୁଗାନ୍ତଯାଏ ଲଜ୍ଜିତ କିଅବା ଘାବରା ହେବ ନାହିଁ ।
18କାରଣ ଆକାଶମଣ୍ତଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏରୂପ କହନ୍ତି; ସେ ପରମେଶ୍ଵର ଅଟନ୍ତି; ସେ ପୃଥିବୀକି ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ।
19ଆମ୍ଭେ ଗୋପନରେ ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ; ତୁମ୍ଭେମାନେ ବୃଥାରେ ଆମ୍ଭର ଅନ୍ଵେଷଣ କର, ଏହା ଆମ୍ଭେ ଯାକୁବ ବଂଶକୁ କହି ନାହୁଁ, ଆମ୍ଭେ ସଦାପ୍ରଭୁ ଧର୍ମବାଦୀ, ଆମ୍ଭେ ସରଳ କଥା ପ୍ରକାଶ କରୁ।
20ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକ-ମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।
21ତୁମ୍ଭେମାନେ ପ୍ରକାଶ କର ଓ ତାହା ଉପସ୍ଥିତ କର; ହଁ, ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ; ପୂର୍ବ କାଳରୁ କିଏ ଏହା ଜଣାଇଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କି ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ଵର ନାହିଁ, ଆମ୍ଭେ ଧର୍ମଶୀଳ ପରମେଶ୍ଵର ଓ ତ୍ରାଣକର୍ତ୍ତା; ଆମ୍ଭ ଛଡ଼ା ଆଉ କେହି ନାହିଁ।
22ହେ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ, ତୁମ୍ଭେମାନେ ଆମ୍ଭ ପ୍ରତି ଅନାଇ ପରିତ୍ରାଣ ପ୍ରାପ୍ତ ହୁଅ; କାରଣ ଆମ୍ଭେ ପରମେଶ୍ଵର, ଆମ୍ଭ ଛଡ଼ା ଦ୍ଵିତୀୟ ନାହିଁ।
23ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ନୋହିବ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ଵା ଶପଥ କରିବ।
24ଲୋକେ ଆମ୍ଭ ଉଦ୍ଦେଶ୍ୟରେ କହିବେ, କେବଳ ସଦାପ୍ରଭୁଙ୍କଠାରେ ଧାର୍ମିକତା ଓ ଶକ୍ତି ଅଛି; ତାହାଙ୍କ ନିକଟକୁ ଲୋକମାନେ ଆସିବେ, ପୁଣି ଯେଉଁମାନେ ତାହାଙ୍କ ପ୍ରତି ବିରକ୍ତ ହୋଇଥିଲେ, ସେସମସ୍ତେ ଲଜ୍ଜିତ ହେବେ।
25ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁରେ ଧାର୍ମିକୀକୃତ ହେବେ ଓ ଦର୍ପ କରିବେ।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in