କଲସୀୟ 4
4
1ହେ କର୍ତ୍ତାମାନେ, ସ୍ଵର୍ଗରେ ତୁମ୍ଭମାନଙ୍କ ମଧ୍ୟ କର୍ତ୍ତା ଅଛନ୍ତି ବୋଲି ଜାଣି ଆପଣା ଆପଣା ଦାସମାନଙ୍କ ପ୍ରତି ନ୍ୟାୟ ଓ ସମାନ ବ୍ୟବହାର କର।
ବିବିଧ ପରାମର୍ଶ
2ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ, ପୁଣି, ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ;
3ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ଵର ଆମ୍ଭମାନଙ୍କ ପାଇଁ ଦ୍ଵାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ ତତ୍ତ୍ଵ ନିମନ୍ତେ ମୁଁ ବନ୍ଦୀ ଅଟେ,
4ତାହା ଉଚିତମତେ କଥା କହି ପ୍ରକାଶ କରି ପାରେ।
5ସୁଯୋଗର ସଦ୍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର।
6ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି ଲବଣରେ ସ୍ଵାଦଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର।
ଶେଷ ଶୁଭେଚ୍ଛା
7ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ଵସ୍ତ ସେବକ ଓ ସହଦାସ ଯେ ତୁଖିକ, ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ;
8ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାଙ୍କ ଦ୍ଵାରା ଉତ୍ସାହ ପ୍ରାପ୍ତ ହୁଏ।
9ତାଙ୍କ ସଙ୍ଗରେ ମୁଁ ବିଶ୍ଵସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ।
10ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି ବର୍ଣ୍ଣବ୍ବାଙ୍କ କୁଟୁମ୍ଵୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ଵନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି,
11ଆଉ, ଯୁସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି; ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ, ଏମାନେ ମୋହର ସାନ୍ତ୍ଵନାର କାରଣ ହୋଇଅଛନ୍ତି।
12ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ଵରଙ୍କ ସମସ୍ତ ଇଚ୍ଛା ସମ୍ଵନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ।
13କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ପୁଣି ଲାଅଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ଵୀକାର କରୁଅଛନ୍ତି, ତାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି।
14ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି।
15ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍ଫା ଓ ତାଙ୍କ ଗୃହରେ ଥିବା ମଣ୍ତଳୀକୁ ନମସ୍କାର ଜଣାଅ।
16ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ତଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯନି କର।
17ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପନ୍ନ କରିବାକୁ ସାବଧାନ ହୋଇଥାଅ।
18ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।।
Currently Selected:
କଲସୀୟ 4: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.