କଲସୀୟ 3
3
ନୂତନ ସ୍ଵଭାବ ପରିଧାନ କରିବା
1ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ଵସ୍ଥାନର ବିଷୟସବୁ ଅନ୍ଵେଷଣ କର।
2ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ଵସ୍ଥ ବିଷୟରେ ଆସକ୍ତ ହୁଅ।
3କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ଵରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି।
4ଆମ୍ଭମାନଙ୍କର ଜୀବନ ସ୍ଵରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।
5ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମାପୂଜା ରୂପ ଲୋଭ, ଏହିସବୁ ପ୍ରତି ମୃତ ହୁଅ;
6ଏହିସବୁ ହେତୁରୁ ଈଶ୍ଵରଙ୍କ କ୍ରୋଧ ବର୍ତ୍ତେ;
7ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ଆସକ୍ତ ଥାଇ ସେହିପ୍ରକାରେ ଆଚରଣ କରୁଥିଲ।
8କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟ, ଅର୍ଥାତ୍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହିସବୁ ପରିତ୍ୟାଗ କର।
9ପରସ୍ପର ମିଥ୍ୟା କୁହ ନାହିଁ; ତୁମ୍ଭେମାନେ ତ ପୁରାତନ ସ୍ଵଭାବ ଓ
10ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ଵଭାବ।। ପରିଧାନ କରିଅଛ; ସେହି ନୂତନ ସ୍ଵଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି;
11ଏପରି ସ୍ଥଳେ ଗ୍ରୀକ୍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ଵାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି ସମସ୍ତଙ୍କଠାରେ ବାସ କରନ୍ତି।
12ଅତଏବ, ଈଶ୍ଵରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର।
13ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର।
14ଆଉ, ଏହିସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ଵରୂପ।
15ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ଵରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ଵ କରୁ; ପୁଣି ତୁମ୍ଭେମାନେ ଧନ୍ୟବାଦ ଦିଅ।
16ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ଵାରା କୃତଜ୍ଞ ହୃଦୟରେ ଗାନ କର।
17ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ଵାରା ପିତା ଈଶ୍ଵରଙ୍କୁ ଧନ୍ୟବାଦ ଦିଅ।
ପରିବାରରେ ଖ୍ରୀଷ୍ଟୀୟ ଆଚରଣ
18ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ଵାମୀମାନଙ୍କ ବଶୀଭୂତା ହୁଅ।
19ହେ ସ୍ଵାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।
20ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର।
21ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି।
22ହେ ଦାସମାନେ।।, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ।
23ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ;
24ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର,
25କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ।
Currently Selected:
କଲସୀୟ 3: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.