YouVersion Logo
Search Icon

ଦ୍ଵିତୀୟ ରାଜାବଳୀ 17

17
ଇସ୍ରାଏଲର ରାଜା ହୋଶେୟ
1ଯିହୁଦାର ରାଜା ଆହାସ୍ଙ୍କର ଅଧିକାରର ଦ୍ଵାଦଶ ବର୍ଷରେ ଏଲାଙ୍କର ପୁତ୍ର ହୋଶେୟ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ନଅ ବର୍ଷ ରାଜ୍ୟ କଲେ।
2ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ମାତ୍ର ଆପଣା ପୂର୍ବବର୍ତ୍ତୀ ଇସ୍ରାଏଲ-ରାଜାମାନଙ୍କ ତୁଲ୍ୟ ନୁହେଁ।
3ତାଙ୍କ ବିରୁଦ୍ଧରେ ଅଶୂରର ରାଜା ଶଲ୍ମନେଷର ଆସିଲା; ତହିଁରେ ହୋଶେୟ ତାହାର ଦାସ ହେଲେ ଓ ତାହା ନିକଟକୁ ଦର୍ଶନୀ ଆଣିଲେ।
4ଏଉତ୍ତାରେ ଅଶୂରର ରାଜା ହୋଶେୟଙ୍କଠାରେ ଚକ୍ରା; ଭାବ ଦେଖିଲା; କାରଣ ସେ ମିସରର ସୋ ରାଜା ନିକଟକୁ ଦୂତଗଣ ପଠାଇଲେ, ପୁଣି ଅଶୂରର ରାଜାକୁ ଯେପରି ବର୍ଷକୁ ବର୍ଷ ଦର୍ଶନୀ ଦେଉଥିଲେ, ସେପରି ଆଉ ଦେଲେ ନାହିଁ; ଏଣୁ ଅଶୂରର ରାଜା ତାଙ୍କୁ ରୁଦ୍ଧ କରି କାରାଗାରରେ ବନ୍ଦ କଲା।
ଇସ୍ରାଏଲର ପତନ ଓ ନିର୍ବାସନ
5ତହିଁରେ ଅଶୂରର ରାଜା ସମସ୍ତ ଦେଶ ଆକ୍ରମଣ କଲା ଓ ଶମରୀୟାକୁ ଯାଇ ତାହା ତିନି ବର୍ଷ ପର୍ଯ୍ୟନ୍ତ ଅବରୋଧ କଲା।
6ହୋଶେୟଙ୍କର ଅଧିକାରର ନବମ ବର୍ଷରେ ଅଶୂରର ରାଜା ଶମରୀୟା ହସ୍ତଗତ କଲା ଓ ଇସ୍ରାଏଲକୁ ଅଶୂରକୁ ନେଇ ଯାଇ ହଲହରେ ଓ ହାବୋରରେ ଗୋଶନ ନଦୀ ତୀରରେ ଓ ମାଦୀୟମାନଙ୍କ ନାନା ନଗରରେ ରଖିଲା।
7ଏଥିର କାରଣ ଏହି, ଇସ୍ରାଏଲ ସନ୍ତାନଗଣର ଯେଉଁ ସଦାପ୍ରଭୁ ପରମେଶ୍ଵର ସେମାନଙ୍କୁ ମିସର ଦେଶରୁ, ଅର୍ଥାତ୍, ମିସ୍ରୀୟ ରାଜା ଫାରୋର ହସ୍ତାଧୀନରୁ ବାହାର କରି ଆଣିଥିଲେ, ତାହାଙ୍କ ବିରୁଦ୍ଧରେ ସେମାନେ ପାପ କରି ଅନ୍ୟ ଦେବଗଣକୁ ଭୟ କଲେ
8ଓ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଓ ଇସ୍ରାଏଲ ରାଜାମାନଙ୍କ ସ୍ଥାପିତ ବିଧିରେ ଚାଲିଲେ।
9ଆହୁରି ଇସ୍ରାଏଲ-ସନ୍ତାନଗଣ ଗୋପନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ବିରୁଦ୍ଧରେ ଅଯଥାର୍ଥ କର୍ମ କଲେ ଓ ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀରବେଷ୍ଟିତ ନଗର ପର୍ଯ୍ୟନ୍ତ ଆପଣାମାନଙ୍କ ସକଳ ନଗରରେ ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କଲେ।
10ଆଉ ସେମାନେ ଆପଣାମାନଙ୍କ ପାଇଁ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷମୂଳେ ସ୍ତମ୍ଭ ଓ ଆଶେରାମୂର୍ତ୍ତୀମାନ ସ୍ଥାପନ କଲେ;
11ପୁଣି ସେଠାସ୍ଥିତ ସକଳ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଦ୍ଵାରା ସେମାନଙ୍କ ସମ୍ମୁଖରୁ ଦୂରୀକୃତ ଅନ୍ୟ ଦେଶୀୟମାନଙ୍କ ତୁଲ୍ୟ ସେମାନେ ଧୂପ ଜ୍ଵଳାଇଲେ ଓ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଦୁଷ୍କର୍ମ କଲେ;
12ପୁଣି ତୁମ୍ଭେମାନେ ଏହି କର୍ମ କରିବ ନାହିଁ ବୋଲି ସଦାପ୍ରଭୁ ଯେଉଁ ଦେବତାମାନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେହି ଦେବତାମାନଙ୍କୁ ସେମାନେ ସେବା କଲେ।
13ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଓ ପ୍ରତ୍ୟେକ ଦର୍ଶକ ଦ୍ଵାରା ଇସ୍ରାଏଲ ପ୍ରତି ଓ ଯିହୁଦା ପ୍ରତି ସାକ୍ଷ୍ୟ ଦେଇ କହିଲେ, ତୁମ୍ଭେମାନେ ଆପଣାମାନଙ୍କ କୁପଥରୁ ଫେର, ଆଉ ଆମ୍ଭେ ତୁମ୍ଭମାନଙ୍କ ପିତୃଲୋକଙ୍କୁ ଯେସମସ୍ତ ବ୍ୟବସ୍ଥା ଆଜ୍ଞା କରିଅଛୁ ଓ ଯାହା ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣର ହସ୍ତ ଦ୍ଵାରା ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ଆମ୍ଭର ଆଜ୍ଞା ଓ ବିଧିସବୁ ପାଳନ କର।
14ତଥାପି ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ, ମାତ୍ର ସେମାନଙ୍କର ଯେଉଁ ପିତୃଲୋକମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କଠାରେ ବିଶ୍ଵାସ କଲେ ନାହିଁ, ସେମାନଙ୍କ ଗ୍ରୀବା ତୁଲ୍ୟ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ।
15ପୁଣି ସେମାନେ ତାହାଙ୍କର ବିଧି ଓ ସେମାନଙ୍କ ପିତୃଗଣ ସହିତ କୃତ ତାହାଙ୍କର ନିୟମ ଓ ସେମାନଙ୍କ ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ; ଆଉ ସେମାନେ ଅସାରତାର ଅନୁଗାମୀ ହୋଇ ଅସାର ହେଲେ ଓ ସଦାପ୍ରଭୁ ଯେଉଁମାନଙ୍କ ତୁଲ୍ୟ କର୍ମ ନ କରିବାକୁ ସେମାନଙ୍କୁ ଆଜ୍ଞା ଦେଇଥିଲେ; ଆପଣାମାନଙ୍କ ଚତୁର୍ଦ୍ଦିଗସ୍ଥ ସେହି ଅନ୍ୟ ଦେଶୀୟମାନଙ୍କର ପଶ୍ଚାଦ୍ଗାମୀ ହେଲେ।
16ପୁଣି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କର ସକଳ ଆଜ୍ଞା ତ୍ୟାଗ କଲେ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ପ୍ରତିମା, ଅର୍ଥାତ୍, ଦୁଇ ଗୋବତ୍ସ ଓ ଆଶେରାମୂର୍ତ୍ତୀ ନିର୍ମାଣ କଲେ, ଆଉ ଆକାଶୀୟ ବାହିନୀ ସକଳକୁ ପ୍ରଣାମ କଲେ ଓ ବାଲ୍ର ସେବା କଲେ।
17ପୁଣି ସେମାନେ ଆପଣାମାନଙ୍କ ପୁତ୍ରକନ୍ୟାଗଣକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ, ପୁଣି ମନ୍ତ୍ର ଓ ଗଣକତା ବ୍ୟବହାର କଲେ, ଆଉ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ଆପଣାମାନଙ୍କୁ ବିକ୍ରୟ କଲେ।
18ଏହେତୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତିଶୟ କ୍ରୁଦ୍ଧ ହେଲେ ଓ ସେମାନଙ୍କୁ ଆପଣା ଦୃଷ୍ଟିରୁ ଦୂର କଲେ; କେବଳ ଯିହୁଦା-ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲା ନାହିଁ।
19ଯିହୁଦା ମଧ୍ୟ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ଆଜ୍ଞାସବୁ ପ୍ରତିପାଳନ କଲେ ନାହିଁ, ମାତ୍ର ଇସ୍ରାଏଲର କୃତ ବିଧିରେ ଚାଲିଲେ।
20ଏଣୁ ସଦାପ୍ରଭୁ ସମୁଦାୟ ଇସ୍ରାଏଲ-ବଂଶକୁ ଅଗ୍ରାହ୍ୟ କଲେ ଓ ସେମାନଙ୍କୁ କ୍ଳେଶ ଦେଲେ ଓ ଆପଣା ଦୃଷ୍ଟିରୁ ସେମାନଙ୍କୁ ଦୂର ନ କରିବା ପର୍ଯ୍ୟନ୍ତ ଲୁଟକାରୀମାନଙ୍କ ହସ୍ତରେ ସମର୍ପଣ କଲେ।
21କାରଣ ସେ ଦାଉଦ-ବଂଶରୁ ଇସ୍ରାଏଲକୁ ଛିନ୍ନ କଲେ; ଆଉ ସେମାନେ ନବାଟର ପୁତ୍ର ଯାରବୀୟାମ୍ଙ୍କୁ ରାଜା କଲେ ଓ ଯାରବୀୟାମ୍ ଇସ୍ରାଏଲକୁ ସଦାପ୍ରଭୁଙ୍କ ଅନୁଗମନରୁ ତଡ଼ିଦେଇ ସେମାନଙ୍କୁ ଏକ ମହାପାପ କରାଇଲେ।
22ପୁଣି ଇସ୍ରାଏଲ-ସନ୍ତାନଗଣ ଯାରବୀୟାମ୍ଙ୍କ କୃତ ସମସ୍ତ ପାପରେ ଚାଲିଲେ; ସେମାନେ ତହିଁରୁ ବିମୁଖ ହେଲେ ନାହିଁ;
23ଶେଷରେ ସଦାପ୍ରଭୁ ଆପଣାର ସମସ୍ତ ସେବକ-ଭବିଷ୍ୟଦ୍ବକ୍ତାଙ୍କ ହସ୍ତରେ ଯେପରି କହିଥିଲେ, ତଦନୁସାରେ ସେ ଆପଣା ଦୃଷ୍ଟିରୁ ଇସ୍ରାଏଲକୁ ଦୂର କଲେ। ତେଣୁ ଇସ୍ରାଏଲ ଆପଣାମାନଙ୍କ ଦେଶରୁ ଅଶୂରକୁ ନିଆଗଲେ ଓ ଆଜିଯାଏ ସେଠାରେ ଅଛନ୍ତି।
ବିଜାତୀୟ ଗୋଷ୍ଠୀଙ୍କୁ ଶମରୀୟାରେ ସ୍ଥାପନ
24ଅନନ୍ତର ଅଶୂରର ରାଜା, ବାବିଲ ଓ କୂଥା ଓ ଅଦ୍ଦା ଓ ହମାତ୍ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲ-ସନ୍ତାନଗଣ ବଦଳେ ଶମରୀୟାର ନାନା ନଗରରେ ସେମାନଙ୍କୁ ସ୍ଥାପନ କଲା; ତହୁଁ ସେମାନେ ଶମରୀୟା ଅଧିକାର କରି ତହିଁର ନାନା ନଗରରରେ ବାସ କଲେ।
25ସେଠାରେ ସେମାନେ ଆପଣାମାନଙ୍କ ବସତିର ଆରମ୍ଭରେ ସଦାପ୍ରଭୁଙ୍କୁ ଭୟ କଲେ ନାହିଁ; ଏହେତୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ସିଂହଗଣ ପଠାଇଲେ ଓ ସିଂହମାନେ ଲୋକମାନଙ୍କ ମଧ୍ୟରୁ କେତେକଙ୍କୁ ବଧ କଲେ।
26ଏସକାଶୁ ସେମାନେ ଅଶୂରର ରାଜାକୁ କହିଲେ, ଆପଣ ଯେଉଁ ଗୋଷ୍ଠୀୟମାନଙ୍କୁ ନେଇ ଶମରୀୟାର ନଗରମାନରେ ସ୍ଥାପନ କରିଅଛନ୍ତି; ସେମାନେ ଏ ଦେଶୀୟ ଦେବତାର ରୀତି ଜାଣନ୍ତି ନାହିଁ; ଏଥିପାଇଁ ସେ ସେମାନଙ୍କ ମଧ୍ୟକୁ ସିଂହଗଣ ପଠାଇଅଛନ୍ତି, ଆଉ ଦେଖନ୍ତୁ, ସେମାନେ ଲୋକମାନଙ୍କୁ ବଧ କରୁଅଛନ୍ତି, କାରଣ ଲୋକମାନେ ଏ ଦେଶୀୟ ଦେବତାର ରୀତି ଜାଣନ୍ତି ନାହିଁ।
27ଏଥିରେ ଅଶୂରର ରାଜା ଆଜ୍ଞା ଦେଇ କହିଲା, ତୁମ୍ଭେମାନେ ସେଠାରୁ ଯେଉଁ ଯାଜକମାନଙ୍କୁ ଆଣିଅଛ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାକୁ ନେଇ ଯାଅ; ସେମାନେ ସେଠାକୁ ଯାଇ ବାସ କରନ୍ତୁ ଓ ସେ ସେଦେଶୀୟ ଦେବତାର ରୀତି ଲୋକମାନଙ୍କୁ ଶିଖାଉ।
28ତହିଁରେ ସେମାନେ ଯେଉଁ ଯାଜକମାନଙ୍କୁ ଶମରୀୟାରୁ ନେଇ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ବୈଥେଲ୍ରେ ବାସ କଲା ଓ କିପ୍ରକାରେ ସଦାପ୍ରଭୁଙ୍କୁ ଭୟ କରିବା କର୍ତ୍ତବ୍ୟ, ତାହା ସେମାନଙ୍କୁ ଶିଖାଇଲା।
29ତଥାପି ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣାର ଦେବତା ନିର୍ମାଣ କଲେ ଓ ଶମରୀୟ ଲୋକମାନେ ଉଚ୍ଚସ୍ଥଳୀମାନରେ ଯେସବୁ ଗୃହ ନିର୍ମାଣ କରିଥିଲେ; ତହିଁ ମଧ୍ୟରେ ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ନିବାସ-ନଗରରେ ଆପଣା ଆପଣାର ଦେବତା ସ୍ଥାପନ କଲେ।
30ପୁଣି ବାବିଲୀୟ ଲୋକମାନେ ସୁକ୍କୋତ୍-ବନୋତ୍ ନିର୍ମାଣ କଲେ ଓ କୂଥୀୟ ଲୋକମାନେ ନେର୍ଗଲ ନିର୍ମାଣ କଲେ ଓ ହମାତୀୟ ଲୋକମାନେ ଅଶୀମା ନିର୍ମାଣ କଲେ;
31ଓ ଅବ୍ବୀୟ ଲୋକମାନେ ନିଭସ୍ ଓ ତର୍ତ୍ତକ୍ ନିର୍ମାଣ କଲେ ଓ ସଫର୍ବୀୟ ଲୋକମାନେ ସଫର୍ବୟିମର ଅଦ୍ରମ୍ମେଲକ୍ ଓ ଅନମ୍ମେଲକ୍ ଦେବତାମାନଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ସନ୍ତାନମାନଙ୍କୁ ଅଗ୍ନିରେ ଦଗ୍ଧ କଲେ।
32ଏହିରୂପେ ସେମାନେ ସଦାପ୍ରଭୁଙ୍କୁ ଭୟ କଲେ ଏବଂ ଆପଣାମାନଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉଚ୍ଚସ୍ଥଳୀ-ସବୁର ଯାଜକମାନଙ୍କୁ ନିଯୁକ୍ତ କଲେ; ସେମାନେ ସେମାନଙ୍କ ନିମନ୍ତେ ଉଚ୍ଚସ୍ଥଳୀର ଗୃହସବୁରେ ବଳିଦାନ କଲେ।
33ସେମାନେ ସଦାପ୍ରଭୁଙ୍କୁ ଭୟ କଲେ, ପୁଣି ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରୁ ସେମାନେ ନୀତ ହୋଇଥିଲେ, ସେମାନଙ୍କ ରୀତି ଅନୁସାରେ ଆପଣା ଆପଣା ଦେବତା-ମାନଙ୍କର ସେବା କଲେ।
34ସେମାନେ ଆଜି ପର୍ଯ୍ୟନ୍ତ ପୂର୍ବ ରୀତି ଅନୁସାରେ କରୁଅଛନ୍ତି; ସେମାନେ ସଦାପ୍ରଭୁଙ୍କୁ ଭୟ କରୁନାହାନ୍ତି, କିଅବା ସଦାପ୍ରଭୁ ଯେଉଁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ, ତାଙ୍କ ସନ୍ତାନଗଣର ସେମାନଙ୍କର ବିଧି ଅନୁସାରେ ଓ ସେମାନଙ୍କ ଶାସନାନୁସାରେ ଓ ସେମାନଙ୍କୁ ଦତ୍ତ ତାହାଙ୍କର ବ୍ୟବସ୍ଥା ଓ ଆଜ୍ଞାନୁସାରେ କରୁ ନାହାନ୍ତି।
35ସେହି ଯାକୁବ-ସନ୍ତାନଗଣ ସଙ୍ଗେ ସଦାପ୍ରଭୁ ଏକ ନିୟମ କରି ସେମାନଙ୍କୁ ଆଜ୍ଞା ଦେଇ କହିଥିଲେ, ତୁମ୍ଭେମାନେ ଅନ୍ୟ ଦେବଗଣକୁ ଭୟ କରିବ ନାହିଁ କି ସେମାନଙ୍କୁ ପ୍ରଣାମ କରିବ ନାହିଁ, କିଅବା ସେମାନଙ୍କର ସେବା କରି ସେମାନଙ୍କ ନିକଟରେ ବଳିଦାନ କରିବ ନାହିଁ;
36ମାତ୍ର ଯେ ମହାପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ଵାରା ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ସେହି ସଦାପ୍ରଭୁଙ୍କୁ ତୁମ୍ଭେମାନେ ଭୟ କରିବ ଓ ତାହାଙ୍କୁ ପ୍ରଣାମ କରିବ ଓ ତାହାଙ୍କ ନିକଟରେ ବଳିଦାନ କରିବ;
37ପୁଣି ସେ ତୁମ୍ଭମାନଙ୍କ ପାଇଁ ଯେ ଯେ ବିଧି ଓ ଶାସନ ଓ ବ୍ୟବସ୍ଥା ଓ ଆଜ୍ଞା ଲେଖିଅଛନ୍ତି, ତୁମ୍ଭେମାନେ ସଦାକାଳ ତାହା ପାଳନ କରିବାକୁ ମନୋଯୋଗ କରିବ; ଆଉ ତୁମ୍ଭେମାନେ ଅନ୍ୟ ଦେବଗଣକୁ ଭୟ କରିବ ନାହିଁ;
38ପୁଣି ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ଯେଉଁ ନିୟମ କରିଅଛୁ, ତାହା ପାସୋରିବ ନାହିଁ; କିଅବା ଅନ୍ୟ ଦେବଗଣକୁ ତୁମ୍ଭେମାନେ ଭୟ କରିବ ନାହିଁ;
39ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କୁ ତୁମ୍ଭେମାନେ ଭୟ କରିବ; ଆଉ ସେ ତୁମ୍ଭମାନଙ୍କର ସମସ୍ତ ଶତ୍ରୁଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।
40ତଥାପି ସେମାନେ ତାହା ଶୁଣିଲେ ନାହିଁ ଓ ଆପଣାମାନଙ୍କ ପୂର୍ବ ରୀତି ଅନୁସାରେ କର୍ମ କଲେ।
41ଏହିରୂପେ ଉକ୍ତ ଗୋଷ୍ଠୀୟମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ଆପଣାମାନଙ୍କ ଖୋଦିତ ପ୍ରତିମାଗଣର ସେବା କଲେ; ସେମାନଙ୍କର ସନ୍ତାନଗଣ ଓ ସେମାନଙ୍କ ସନ୍ତାନ-ଗଣର ସନ୍ତାନଗଣ ମଧ୍ୟ ଆପଣାମାନଙ୍କ ପୂର୍ବପୁରୁଷମାନଙ୍କ ତୁଲ୍ୟ ଆଜି ପର୍ଯ୍ୟନ୍ତ କରୁଅଛନ୍ତି।

Highlight

Copy

Compare

Share

None

Want to have your highlights saved across all your devices? Sign up or sign in