ଦ୍ଵିତୀୟ ରାଜାବଳୀ 16
16
ଯିହୁଦାର ରାଜା ଆହସ୍
1ରମଲୀୟଙ୍କର ପୁତ୍ର ପେକହଙ୍କର ଅଧିକାରର ସତର ବର୍ଷରେ ଯିହୁଦାର ରାଜା ଯୋଥମ୍ଙ୍କର ପୁତ୍ର ଆହସ୍ ରାଜ୍ୟ କରିବାକୁ ଆରମ୍ଭ କଲେ।
2ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ।
3ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖଠାରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇଲେ।
4ପୁଣି ସେ ଉଚ୍ଚସ୍ଥଳୀମାନରେ ଓ ପର୍ବତଗଣ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ଵଳାଇଲେ।
5ସେତେବେଳେ ଅରାମର ରାଜା ରତ୍ସୀନ୍ ଓ ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହ ଯୁଦ୍ଧ କରିବା ପାଇଁ ଯିରୂଶାଲମକୁ ଆସିଲେ; ପୁଣି ସେମାନେ ଆହସ୍ଙ୍କୁ ଅବରୋଧ କଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ।
6ସେସମୟରେ ଅରାମର ରାଜା ରତ୍ସୀନ୍, ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀୟ-ମାନଙ୍କୁ ଏଲତ୍ରୁ ତଡ଼ିଦେଲା; ତହିଁରେ ଅରାମୀୟମାନେ ଏଲତ୍କୁ ଆସି ଅଦ୍ୟାପି ସେଠାରେ ବାସ କରୁଅଛନ୍ତି।
7ଏଥିରେ ଆହସ୍ ଅଶୂରର ରାଜା ତିଗ୍ଲାତ୍-ପିଲେଷର ନିକଟକୁ ଦୂତଗଣ ପଠାଇ କହିଲେ, ମୁଁ ତୁମ୍ଭର ଦାସ ଓ ତୁମ୍ଭର ପୁତ୍ର; ଆସ, ଅରାମର ରାଜା ହସ୍ତରୁ ଓ ଇସ୍ରାଏଲର ରାଜା ହସ୍ତରୁ ମୋତେ ଉଦ୍ଧାର କର, ଏମାନେ ମୋʼ ପ୍ରତିକୂଳରେ ଉଠୁଅଛନ୍ତି।
8ପୁଣି ଆହସ୍ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ତାରରେ ପ୍ରାପ୍ତ ସୁନା ଓ ରୂପା ନେଇ ଅଶୂରର ରାଜା ନିକଟକୁ ଦର୍ଶନୀ ରୂପେ ପଠାଇଲେ।
9ତହିଁରେ ଅଶୂରର ରାଜା ତାଙ୍କର କଥାରେ ମନୋଯୋଗ କଲା; ପୁଣି ଅଶୂରର ରାଜା ଦମ୍ମେଶକ ବିରୁଦ୍ଧରେ ଯାଇ ତାହା ହସ୍ତଗତ କରିତହିଁର ଲୋକମାନଙ୍କୁ ବନ୍ଦୀ କରି କୀର୍ ନଗରକୁ ନେଇଗଲା ଓ ରତ୍ସୀନ୍କୁ ବଧ କଲା।
10ଏଥିଉତ୍ତାରେ ଆହସ୍ ରାଜା ଅଶୂରର ରାଜା ତିଗ୍ଲାତ୍ ପିଲେଷରକୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ୍ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ।
11ତହୁଁ ଊରୀୟ ଯାଜକ ଏକ ଯଜ୍ଞବେଦି ନିର୍ମାଣ କଲା; ଆହସ୍ ରାଜା ଦମ୍ମେଶକରୁ ଯାହା ଯାହା ପଠାଇଥିଲେ, ତଦନୁସାରେ ଆହସ୍ ରାଜା ଦମ୍ମେଶକରୁ ଆସିବା ପୂର୍ବେ ଊରୀୟ ଯାଜକ ସକଳ କର୍ମ କଲା।
12ପୁଣି ରାଜା ଦମ୍ମେଶକରୁ ଆସିଲା ଉତ୍ତାରେ ରାଜା ସେହି ଯଜ୍ଞବେଦି ଦେଖିଲେ; ଆଉ ରାଜା ସେହି ଯଜ୍ଞବେଦି ନିକଟକୁ ଯାଇ ତହିଁ ଉପରେ ବଳିଦାନ କଲେ।
13ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଓ ଭକ୍ଷ୍ୟ-ନୈବେଦ୍ୟ ଦଗ୍ଧ କରି ଓ ଆପଣା ପେୟ-ନୈବେଦ୍ୟ ଢାଳି ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ପ୍ରକ୍ଷେପ କଲେ।
14ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ଯଜ୍ଞବେଦିକିଣ ମନ୍ଦିରର ସମ୍ମୁଖରୁ, ଅର୍ଥାତ୍, ଆପଣା ଯଜ୍ଞବେଦି ଓ ସଦାପ୍ରଭୁଙ୍କ ଗୃହର ମଧ୍ୟସ୍ଥାନରୁ ତାହା ଆଣି ଆପଣା ଯଜ୍ଞବେଦିର ଉତ୍ତରଭାଗରେ ସ୍ଥାପନ କଲେ।
15ଆହୁରି ଆହସ୍ ରାଜା ଊରୀୟ ଯାଜକକୁ ଆଜ୍ଞା ଦେଇ କହିଲେ, ପ୍ରଭାତୀୟ ହୋମବଳି ଓ ସାୟଂକାଳୀନ ଭକ୍ଷ୍ୟ-ନୈବେଦ୍ୟ ଓ ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ-ନୈବେଦ୍ୟ, ପୁଣି ଦେଶସ୍ଥ ସମଗ୍ର ଲୋକଙ୍କ ହୋମବଳି ଓ ସେମାନଙ୍କର ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ଦଗ୍ଧ କର ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ବଳିଦାନର ସବୁ ରକ୍ତ ପ୍ରକ୍ଷେପ କର; ମାତ୍ର ପ୍ରଶ୍ନକରଣାର୍ଥେ ପିତ୍ତଳ ଯଜ୍ଞବେଦି ମୋʼ ପାଇଁ ରହିବ।
16ଏହିରୂପେ ଊରୀୟ ଯାଜକ ଆହସ୍ ରାଜାଙ୍କର ଆଜ୍ଞା ପ୍ରମାଣେ ସବୁ କର୍ମ କଲା।
17ପୁଣି ଆହସ୍ ରାଜା ବୈଠିକିମାନର ମଧ୍ୟଦେଶ କାଟି ତହିଁରୁ ପ୍ରକ୍ଷାଳନପାତ୍ର ସ୍ଥାନାନ୍ତର କଲେ; ଆଉ ସମୁଦ୍ର-ରୂପପାତ୍ର ତଳେ ଯେଉଁ ଯେଉଁ ପିତ୍ତଳମୟ ଗୋରୁ ଥିଲା, ସେସବୁର ଉପରୁ ତାହା ନେଇ ପଥରଚଟାଣ ଉପରେ ରଖିଲେ।
18ଆଉ ସେମାନେ ବିଶ୍ରାମଦିନ ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ଯେଉଁ ବହିର୍ଦ୍ଵାର କରିଥିଲେ, ତାହା ସେ ଅଶୂରର ରାଜାର ଭୟରେ ସଦାପ୍ରଭୁଙ୍କ ମନ୍ଦିର ଆଡ଼କୁ ଫେରାଇଲେ।
19ଏହି ଆହସ୍ଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତା; କʼଣ ଯିହୁଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
20ଅନନ୍ତର ଆହସ୍ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ; ତହୁଁ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ।
Currently Selected:
ଦ୍ଵିତୀୟ ରାଜାବଳୀ 16: ODIAOV-BSI
Highlight
Copy
Compare
Share
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.